ବଲାଙ୍ଗୀର ଜିଲ୍ଲାରେ ଖସୁଛି କରୋନା ଗ୍ରାଫ୍‌, ଏବେବି ୩୯ ସକ୍ରିୟ ମାମଲା

ସୋମବାର ନୂଆ ସଂକ୍ରମଣ ସଂଖ୍ୟା ଶୁନ୍‌

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ସୋମବାର କରୋନା ସଂକ୍ରମଣ ଗ୍ରାଫ୍‌ ତଳକୁ ଖସିଛି। ସଂକ୍ରମଣ କମିକମି ଚାଲିଥିବା ବେଳେ ପ୍ରତ୍ୟହ କିଛି କିଛି ନୂଆ ସଂକ୍ରମିତ ଚିହ୍ନଟ ହେଉଥିଲେ। ହେଲେ ସୋମବାର ଏକ ଖୁସି ଖବର ମିଳିଥିଲା। ସୋମବାର ଜଣେ କେହି ବି ନୂଆ ଚିହ୍ନଟ ହୋଇନଥିବା ପ୍ରଶାସନ ସୂତ୍ରରୁ ସୂଚନା ମିଳିଥିଲା। ଦ୍ୱିତୀୟ ଲହର ପରେ ଏମିତି ଗୋଟିଏ ଦିନ ଆସିନଥିଲା ଯେ ଜଣେ ବି କେହି ଚିହ୍ନଟ ସେଦିନ ହୋଇନଥିଲେ। ସୋମବାର ଜଣେ ବି କେହି ଚିହ୍ନଟ ହୋଇ ନଥିବାରୁ ଜିଲ୍ଲାରେ ସମସ୍ତଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି। ତେବେ କୋଭିଡ ଡାସ୍‌ବୋର୍ଡ ତଥ୍ୟ ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ଏବେବି ୩୯ ଜଣ ପଜିଟିଭ ଚିହ୍ନଟ ରୋଗୀ ସକ୍ରିୟ ରହିଛନ୍ତି। ଏଣୁ କୋଭିଡ ନିୟମକୁ ମାନି ଚାଲିବାକୁ ହିଁ ପଡ଼ିବ।

ସରକାରୀ ତଥ୍ୟ ଅନୁସାରେ, ମାସକ ତଳେ ଅର୍ଥାତ ଗତ ଜୁଲାଇ ୧୦ ତାରିଖ କୋଭିଡ ପଜିଟିଭ ସକ୍ରିୟ ରୋଗୀଙ୍କ ସଂଖ୍ୟା ଥିଲା ୮୭। ଆଉ ଅଗଷ୍ଟ ୧ ତାରିଖ ସକ୍ରିୟ ସଂଖ୍ୟା ଥିଲା ୫୨। ହେଲେ ଏବେ ତାହା କମିକମି ୩୯କୁ ଆସିଲାଣି। ଆଉ ଆଜି କୌଣସି ନୂଆ ରୋଗୀ ଚିହ୍ନଟ ହୋଇନଥିବାରୁ ଆଗକୁ ସକ୍ରିୟ ସଂଖ୍ୟା ବି ଶୂନ୍ୟ ଆଡ଼କୁ ଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଓ ଜନସାଧାରଣ ଆଶା ରଖିଛନ୍ତି। ଜିଲ୍ଲାରେ ବର୍ତ୍ତମାନ ଯାଏ ୨୩ ହଜାର ୨୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩ହଜାର ୬୩ ଜଣ ସୁସ୍ଥ ହୋଇଛନ୍ତି। ଆଉ ବର୍ତ୍ତମାନ ସକ୍ରିୟ ସଂଖ୍ୟା ୩୯ ରହିଛି।

ସରକାରୀ ତଥ୍ୟରେ ୧୧୧ ଜଣ ମୃତ
କରୋନା କାଳରେ ଅନେକଙ୍କୁ କଷ୍ଟ ଦେଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। କରୋନା କାହାର ଘର ସଂସାର ଉଜାଡ଼ି ଦେଇଥିଲା ତ ଆଉ କାହାର ପରିବାରରୁ ଏକାଧିକ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ସଂଖ୍ୟାକୁ ନେଇ କରୋନା କାଳରେ ସଠିକ ସୂଚନା ମିଳିପାରି ନଥିଲା। ଆଉ ଏବେ କରୋନାରେ ଆକ୍ରାନ୍ତ ହୋଇ ଯେଉଁମାନଙ୍କ ମୃତ୍ୟୁ ହୋଇଥିଲା ସେସବୁର ଅଡିଟ ବି କରୁଛନ୍ତି ଟିମ୍‌। ଏଯାଏ ସରକାରୀ ତଥ୍ୟ ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ୧୧୧ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର