କୋଭିଡ କଟକଣା କୋହଳ, ଅଗଷ୍ଟ ମାସରେ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର-କଟକରେ ଜାରି ରହିବ ସପ୍ତାହାନ୍ତ ସଟ୍‌ଡାଉନ୍‌

ଭୁବନେଶ୍ୱର: କରୋନା ମୁକାବିଲା ସହିତ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଅଗଷ୍ଟ ମାସରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପ୍ରଦୀପ ଜେନା ଶନିବାର ସୂଚନା ଦେଇଛନ୍ତି । ଅର୍ଥାତ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ-ବାଜର ଗୁଡ଼ିକ ଖୋଲା ରହିବ । ଅଗଷ୍ଟ ମାସର ଗାଇଡ ଲାଇନରେ ସରକାର କାଟାଗୋରୀ-ଏ ଓ କାଟାଗୋରୀ-ବି ଜିଲ୍ଲା ତାଲିକା ହଟାଇ ଦେଇଛନ୍ତି ।

ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ଯେ, କଟକ ଓ ଭୁବନେଶ୍ୱରରେ ସପ୍ତାହାନ୍ତ ସଟଡାଉନ ଜାରି ରହିଲେ ବି ଜରୁରୀକାଳୀନ ସେବା ପ୍ରଭାବିତ ହେବ ନାହିଁ । ସେହିଭଳି ପୁରୀ ସହରରେ ମଧ୍ୟ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ରାଜ୍ୟରେ ଧାର୍ମିକ, ରାଜନୈତିକ, ସାଂସ୍କୃତିକ, ପ୍ରଦର୍ଶନୀ, ବାଣିଜ୍ୟ ମେଳା-ମହୋତ୍ସବ ଆଦି କ୍ଷେତ୍ରରେ କଟକଣା ଜାରି ରହିବ । କିନ୍ତୁ ଜିଲ୍ଲା ପ୍ରଶାସନର ଅନୁମତି ନେଇ ତଥା ସ୍ଥାନୀୟ ଅଂଚଳର ସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଖୋଲାଯାଇପାରିବ । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗଙ୍କର ବୈଠକ ହେବ ।

ଆହାର କେନ୍ଦ୍ର ଖୋଲା ରହିବ । କୋଭିଡ ନିୟମ ପାଳନ କରି ଏଠାରେ ଲୋକେ ଠିଆ ହୋଇ ଖାଇପାରିବେ । ସପିଂ ମଲ ଖୋଲାଯିବ । କିନ୍ତୁ ମଲ କର୍ତ୍ତୃପକ୍ଷ ଲୋକଙ୍କୁ କୋଭିଡ ନିୟମ ପ୍ରତି ସତର୍କ କରାଇବେ । କଟକ, ଭୁବନେଶ୍ୱର ଠିଆ ହୋଇ ଖୋର୍ଦ୍ଧାରେ ପାପ୍ତବୟସ୍କ ସପିଂ ମଲ ଭିତରକୁ ପ୍ରବେଶ କରିବା ପାଇଁ କୋଭିଡ ଟିକାର ୨ଟି ଡୋଜ ନେଇଥିବା ପ୍ରମାଣ ପତ୍ର ଦେଖାଇବାକୁ ହେବ । ରେଷ୍ଟୁରାଣ୍ଟ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ନାଟ୍ୟଶାଳା, ଥିଏଟର ଓ ସିନେମାହଲ ୫୦ ପ୍ରତିଶତ କ୍ଷମତାରେ ଖୋଲିବ । ରାସ୍ତାକଡ଼ର ଦୋକାନରେ ଲୋକେ ଏବେ ଠିଆ ହୋଇ ଖାଇପାରିବେ । ଦୈନିକ ହାଟ ଓ ସାପ୍ତାହିକ ହାଟ ଖୋଲା ରହିବ । ଅନ୍ତଃରାଜ୍ୟ ବସ ଚଳାଚଳ କରିବ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଅପେରା ଅନୁଷ୍ଠାନ ଚାଲିପାରିବ । କୋଭିଡ ନିୟମ ଅନୁଯାୟୀ ପାର୍କ ଓ ଚିଡିଆଖାନା ସଂଗ୍ରହାଳୟ ଖୋଲିବ । ଅଟୋ, ଟ୍ୟାକ୍ସି ଆଦି ନିଦ୍ଦିଷ୍ଟ ସିଟ ଅନୁସାରେ ପରହିବହନ ହୋଇପାରିବେ ।

ରାତ୍ରୀକାଳୀନ କର୍ଫ୍ୟୁ ସମୟରେ କଟକଣାକୁ ଶକ୍ତ କରାଯିବ । କିନ୍ତୁ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କଟକଣା ନାହିଁ । ରେଳଷ୍ଟେସନ, ବସଷ୍ଟେସନ ଓ ବିମାନବନ୍ଦରକୁ ଯାଉଥିବା ଲୋକଙ୍କ ପାଇଁ ଅସୁବିଧା ନାହିଁ । କୋଭିଡ-୧୯ କଟକଣାକୁ ସବୁଠାରେ ପାଳନ କରାଯିବା ବାଧ୍ୟତାମୂଳକ ହେବ ବୋଲି ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ।

ଏସ୍‌ଆରସି କହିଛନ୍ତି, କୋଭିଡର ୨ୟ ଲହର ଚାଲିଛି । ଏହି ସମୟ ମଧ୍ୟରେ ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ଅଛି । ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ସଂକ୍ରମଣ ଟିକିଏ ଅଧିକ ରହିଛି । ବିଶ୍ୱର କିଛି ସ୍ଥାନରେ କୋଭିଡର ୩ୟ ଲହର ଆରମ୍ଭ ହୋଇଯାଇଥିବା ଶୁଣାଯାଉଛି । ରାଜ୍ୟରେ ଗତ ମେ’ ମାସ ୫ ତାରିଖ ଠାରୁ ଲକଡାଉନ ସହିତ କିଛି କଟକଣା ରଖିଛୁ । ଦୀର୍ଘ ୨ ମାସ ପରେ ଏହା ଧୀରେ ଧୀରେ କୋହଳ ହୋଇଥିଲା । କୋଭିଡକୁ ଜିତିବାକୁ ହେଲେ କଟକଣା ଭିତରେ ହିଁ ରହିବାକୁ ରହିବ । କିନ୍ତୁ ସଂପୂର୍ଣ୍ଣ ଲକଡାଉନ କଲେ ଜୀବନ ଓ ଜୀବିକା ପ୍ରଭାବିତ ହେବ ।

ରାଜ୍ୟ ସରକାର ଧୀରେ ଧୀରେ ଅନଲକ ପ୍ରକିୟାକୁ ବଢ଼ାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସେମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ପାଳନ କରନ୍ତୁ ଓ ହାତ ଧୋଇବାକୁ ଏକ ଅଭ୍ୟାସରେ ପରିଣତ କରନ୍ତୁ । ରାଜ୍ୟ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି । ଗତ ଜାନୁଆରି ୧୬ ତାରିଖ ଠାରୁ ଜାରି ରହିଛି । ଏବେ ସୁଦ୍ଧା ଦେଢ଼ କୋଟି ଲୋକ କୋଭିଡ-୧୯ ଟିକା ନେଇ ସାରିଛନ୍ତି । ଆମ ରାଜ୍ୟରେ କରୋନା ନିୟନ୍ତ୍ରଣାଧୀନକୁ ଆସିଛି ବୋଲି ଶ୍ରୀ ଜେନା କହିଛନ୍ତି ।

ଏସ୍‌ଆରସି କହିଛନ୍ତି ଯେ, ଗତ ୨ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ କମିଛି । ଏଥି ପାଇଁ ସରକାର ବହୁ ଉଦ୍ୟମ କରିଛନ୍ତି । କିଛି ଅଂଚଳରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଲୋକେ ଏଥି ପାଇଁ କୋଭିଡ ଗାଇଡଲାଇନକୁ ପାଳନ କରିବାର ଆବଶ୍ୟକତା ରହିଛି । ଜୀବନ ଓ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ।

ସମ୍ବନ୍ଧିତ ଖବର