ବାହାଘର ପାଇଁ ଆସିଲା ନୂଆ ଗାଇଡଲାଇନ; କ’ଣ ରହିବ କଟକଣା, କେତେ ଜଣଙ୍କୁ ମିଳିବ ଅନୁମତି?

ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍‌ ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବଢି ଚାଲିଥିବା ବେଳେ ରାଜ୍ୟ ସରକାର ଆଜି ନୂଆ କରୋନା ଗାଇଡଲାଇନ ଜାରି କରିଛନ୍ତି । ବିଭିନ୍ନ କଟକଣା ସହ ଗାଇଡଲାଇନ ଜାରି କରାଯାଇଛି । ଜୀବନ ସହ ଜୀବିକା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ନୂଆକରି ଆସିଥିବା ଗାଇଡଲାଇନରେ ବାହାଘରକୁ ନେଇ ନୂଆ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।

ବାହାଘର ଓ ବ୍ରତଘରରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି । ସେହିଭଳି ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି ମିଳିଛି । ପୂର୍ବରୁ ବାହାଘରରେ ୨୫୦ ଜଣଙ୍କୁ ଅନୁମତି ମିଳିଥିଲା । ଏହାସହ ବାହାଘର ଶୋଭାଯାତ୍ରାକୁ ନେଇ ମଧ୍ୟ କଟକଣା ଲଗାଇଛନ୍ତି ସରକାର। ବାହାଘର ଶୋଭାଯାତ୍ରାରେ ମାତ୍ର ୩୦ ଜଣଙ୍କୁ ଅନୁମତି ଦେଇଛନ୍ତି ସରକାର । ଏହି ୩୦ ଜଣଙ୍କ ମଧ୍ୟରେ ବରଯାତ୍ରୀ, ବାଜା, ଲାଇଟ ମ୍ୟାନ ରହିବେ । ଏହାଠାରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ । ସେହିଭଳି ଆବଦ୍ଧ ଗୃହ ମଧ୍ୟରେ ବାହାଘର ହେଉଥିଲେ ଗୃହର କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ । କିନ୍ତୁ ଏହା ୧୦୦ରୁ ଅଧିକ ହେବନି । ଏହାବାଦ୍ ପୂର୍ବରୁ ବାହାଘର ପାଇଁ ଲାଗିଥିବା କଟକଣା ଜାରି ରହିବ ।

ଏସବୁ ବାଦ୍ ବାହାଘରର ସବୁ ଉତ୍ସବକୁ ଅନୁମତି ମିଳିବ ନାହିଁ । କେବଳ ବାହାଘର ବ୍ୟତୀତ ରିସେପସନକୁ ଅନୁମତି ମିଳିବ । ଏହାବ୍ୟତୀତ ଅନ୍ୟ କୌଣସି ସମାରୋହ ହୋଇପାରିବନି । ତେବେ ବାହାଘର ସମୟରେ କୋଭିଡ ଗାଇଡଲାଇନକୁ ଯେପରି କଡାକଡି ପାଳନ କରାଯିବ ତାହାର ଦାୟିତ୍ୱ ଆୟୋଜକଙ୍କର ରହିବ ।

ସମ୍ବନ୍ଧିତ ଖବର