ସବୁ ଲକ୍‌ଡାଉନ୍ ଅଞ୍ଚଳରେ ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ

କଟକ : ‘କରୋନା’କୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ହାଇକୋର୍ଟଙ୍କ ପକ୍ଷରୁ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଗୁଡିକ ପାଇଁ ମାର୍ଚ୍ଚ ୨୩ରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଆଜି ଆଂଶିକ ସଂଶୋଧନ କରାଯାଇ ସାନି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମାର୍ଚ୍ଚ ୨୧ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଲକ୍‌ଡାଉନ୍ ତାଲିକାରେ ସ୍ଥାନ ପାଇଥିବା ୫ଟି ଜିଲ୍ଲା ଓ ନିର୍ଦ୍ଦିଷ୍ଟ ପୌରାଞ୍ଚଳରେ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଓ କୋର୍ଟ କାର୍ଯ୍ୟାଳୟ ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ପୂର୍ବ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ବେଳେ ଏଥିରେ ସଂଶୋଧନ କରାଯାଇଛି। ମାର୍ଚ୍ଚ ୨୩ରେ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଜାରି ସାନି ବିଜ୍ଞପ୍ତି ପରେ ହାଇକୋର୍ଟ ମାର୍ଚ୍ଚ ୨୩ର ବିଜ୍ଞପ୍ତିରେ ସଂଶୋଧନ କରି ଲକ୍ ଡାଉନ୍ ତାଲିକାରେ ଥିବା ସମସ୍ତ ଜିଲ୍ଲାରେ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ୧୨ଟାରୁ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପରି ବ୍ୟବସ୍ଥା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆଜି ପ୍ରକାଶିତ ବିଜ୍ଞପ୍ତି ଆଧାରରେ ପଦକ୍ଷେପ ଗ୍ରହଣ ପାଇଁ ସମସ୍ତ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ, କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସରକାର ବିଭିନ୍ନ ଜିଲ୍ଲା ଓ ସହର ଲକ୍‌ଡାଉନ୍ ପାଇଁ ଘୋଷଣା କରିଥିଲେ। ଲକ୍‌ଡାଉନ ପରିସ୍ଥିତିରେ ସଂପୃକ୍ତ ଅଞ୍ଚଳରେ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଓ କୋର୍ଟ କାର୍ଯ୍ୟାଳୟ ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜାମିନ, ପ୍ରଡକ୍ସନ୍, ରିମାଣ୍ଡ ଭଳି ଅତି ଜରୁରୀ ମାମଲାଗୁଡିକର ଶୁଣାଣି ଏହି ସମୟରେ କରାଯିବ।

ସମ୍ବନ୍ଧିତ ଖବର