ଅର୍ଥନୀତିକୁ କରୋନା ମାଡ଼ : ଅଭିବୃଦ୍ଧି ୪.୯ ପ୍ରତିଶତ ଖସିବ

ମୁଣ୍ଡପିଛା ଆୟ ୧,୦୨,୧୫୬ ଟଙ୍କାକୁ କମିବ
ଜାତୀୟ ହାରଠାରୁ ଓଡ଼ିଶା ପ୍ରଦର୍ଶନ ଭଲ

ଭୁବନେଶ୍ବର : କରୋନା ମହାମାରୀର ମହାପ୍ରଭାବ ଓଡ଼ିଶା ଅର୍ଥନୀତିକୁ ସାଂଘାତିକ ଭାବେ ଘାଇଲା କରିଛି। ଏହାର ପ୍ରଭାବରେ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୪.୯ ପ୍ରତିଶତ ସଙ୍କୁଚିତ ହୋଇଯିବ। ବିଧାନସଭାରେ ଆଜି ଉପସ୍ଥାପନ କରାଯାଇଥିବା ୨୦୨୦-୨୧ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ତେବେ ଆଶ୍ବାସନାର ବିଷୟ ହେଲା ଭାରତୀୟ ଅର୍ଥନୀତି ୨୦୨୦-୨୧ ଆର୍ଥିକ ବର୍ଷରେ ୭.୭ ପ୍ରତିଶତ ସଂକୁଚିତ ହେବାକୁ ଥିବାବେଳେ ଓଡ଼ିଶାରେ ଏହାର ପ୍ରଭାବ ଅପେକ୍ଷାକୃତ କମ୍।

ଚିନ୍ତାର ବିଷୟ ହେଲା ଦେଶ ତୁଳନାରେ ଓଡ଼ିଶାର କୃଷି କ୍ଷେତ୍ରର ପ୍ରଦର୍ଶନ ଖରାପ ରହିବ। ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୪୦ ପ୍ରତିଶତ ରହିବାକୁ ଥିବାବେଳେ ରାଜ୍ୟରେ ଏହା ବିଯୁକ୍ତ ୬.୪ ପ୍ରତିଶତ ରହିବ। କିନ୍ତୁ ଶିଳ୍ପ ଏବଂ ସେବା କ୍ଷେତ୍ରରେ ଦେଶ ତୁଳନାରେ ରାଜ୍ୟର ପ୍ରଦର୍ଶନ ‌ଅପେକ୍ଷାକୃତ ଭଲ ରହିବ। ଜାତୀୟ ସ୍ତରରେ ଶିଳ୍ପ ଏବଂ ସେବା କ୍ଷେତ୍ରର ଅଭିବୃଦ୍ଧି ଯଥାକ୍ରମେ ୯.୫୭ ପ୍ରତିଶତ ଏବଂ ୮.୭୭ ପ୍ରତିଶତ ସଂକୁଚିତ ହେବାକୁ ଥିବାବେଳେ ଓଡ଼ିଶାରେ ଏହା ଯଥାକ୍ରମେ ଅପେକ୍ଷାକୃତ ଭାବେ କମ୍‌ ଅର୍ଥାତ୍ ୮.୮୩ ପ୍ରତିଶତ ଏବଂ ୩.୧୮ ପ୍ରତିଶତ ସଙ୍କୁଚିତ ହେବ। କରୋନା ସମେତ ଅମ୍ଫାନ ବାତ୍ୟା, ବନ୍ୟା, ଦୀର୍ଘଦିନ ଧରି ବର୍ଷା ନହେବା ଏବଂ ଫସଲରେ କୀଟପତଙ୍ଗ ଆକ୍ରମଣ ଆଦି କାରଣ ପାଇଁ ଓଡ଼ିଶାର କୃଷି କ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ରିପୋର୍ଟ କାର୍ଡରେ ଦର୍ଶାଯାଇଛି।

ଏଥିସହିତ ଚଳିତ ଆର୍ଥିକ ବର୍ଷରେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ଗତ ବର୍ଷ ତୁଳନାରେ ୨୪୧୦ ଟଙ୍କା କମିଯିବ। ୨୦୧୯-୨୦ରେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ୧ ଲକ୍ଷ ୪ ହଜାର ୫୬୬ ଟଙ୍କା ଥିବାବେଳେ ୨୦୨୦-୨୧ରେ ଏହା ୧ ଲକ୍ଷ ୨ ହଜାର ୧୫୬ ଟଙ୍କାକୁ ଖସିଯିବ। ଏ କ୍ଷେତ୍ରରେ ମଧ୍ୟ ଆଶ୍ବାସନାର ବିଷୟ ହେଲା ଜାତୀୟ ସ୍ତର ତୁଳନାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ଅପେକ୍ଷାକୃତ ଭାବେ କମ୍‌ ମାତ୍ରାରେ କମିବ। ରିପୋର୍ଟରେ ଏହା ଦର୍ଶାଯାଇଛି ଯେ ଜାତୀୟ ସ୍ତରରେ ଭାରତୀୟମାନଙ୍କ ମୁଣ୍ଡପିଛା ଚଳିତବର୍ଷ ୫.୪୧ ପ୍ରତିଶତ ହ୍ରାସ ପାଇବ। କିନ୍ତୁ ଓଡ଼ିଶାରେ ଏହି ହ୍ରାସ ୨.୩୦ ପ୍ରତିଶତରେ ସୀମିତ ରହିବ।

ତେବେ କରୋନା ମହାମାରୀ ଜିଏସ୍‌ଡିପି ବା ରାଜ୍ୟର ମୋଟ ଘରୋଇ ଉତ୍ପାଦରେ କୃଷି, ଶିଳ୍ପ ଏବଂ ସେବା କ୍ଷେତ୍ରର ଯୋଗଦାନକୁ ସେତେଟା ବିଗାଡ଼ି ପାରିନାହିଁ। ୨୦୧୯-୨୦ରେ ରାଜ୍ୟର ମୋଟ ଜିଡିପିରେ କୃଷିର ଅବଦାନ ୨୧.୩୮ ପ୍ରତିଶତ, ଶିଳ୍ପର ଅବଦାନ ୩୭.୯୨ ପ୍ରତିଶତ ଏବଂ ସେବାର ଅବଦାନ ୪୦.୭୦ ପ୍ରତିଶତ ରହିଥିଲା। ୨୦୨୦-୨୧ରେ ରାଜ୍ୟର ମୋଟ ଜିଡିପିରେ ଉପରୋକ୍ତ ତିନିଟି କ୍ଷେତ୍ରର ଯୋଗଦାନ ଯଥାକ୍ରମେ ୨୧.୨୭ ପ୍ରତିଶତ, ୩୬.୨୬ ପ୍ରତିଶତ ଏବଂ ୪୨.୪୭ ପ୍ରତିଶତ ରହିବ।

ଏଥିସହିତ ଦାରିଦ୍ର୍ୟ ଦୂରୀକରଣ ଠାରୁ ଆରମ୍ଭ କରି ରପ୍ତାନି ଆଦି କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

କୃଷି କ୍ଷେତ୍ରର ବିକାଶ ପାଇଁ ଜଳସେଚନକୁ ତ୍ବରାନ୍ବିତ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ସୁଦ୍ଧା ୪୩.୦୭ ଲକ୍ଷ ହେକ୍ଟର ଜମି ପାଇଁ ଜଳସେଚନ ସୁବିଧା କରାଯାଇଛି। ଚାଷୀମାନଙ୍କୁ ୫ ଲକ୍ଷ ୮୨,୮୧୪ କ୍ବିଣ୍ଟାଲ ପ୍ରମାଣୀକୃତ ବିହନ ଯୋଗାଇ ଦିଆଯାଇଛି। ସେହିଭଳି ୨୦୧୯-୨୦ରେ କୃଷକମାନଙ୍କୁ ଫସଲା ଋଣ ବାବଦରେ ୪୩୨.୬୯ କୋଟି ଟଙ୍କା ଏବଂ ମିଆଦୀ ଋଣ ବାବଦରେ ୮୨୪୮.୦୪ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଭାଗଚାଷୀଙ୍କ ପାଇଁ ବଳରାମ (ଭୂମିହୀନ ଏଗ୍ରିକଲଚରିଷ୍ଟ ଲୋନ୍ ଆଣ୍ଡ୍ ରିସୋର୍ସେସ ଅଗମେଣ୍ଟେସନ ମଡେଲ) ସମେତ ସମୃଦ୍ଧି କୃଷି ନୀତି ୨୦୨୦ ଭଳି ଯୋଜନା କୃଷି କ୍ଷେତ୍ରର ବିକାଶ ପାଇଁ ଆରମ୍ଭ କରାଯାଇଛି। ଏଥିସହିତ କାଳିଆ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଓଡ଼ିଶା ମିଲେଟ ମିସନ, କୃଷକ ଉତ୍ପାଦକ ସଂଘ ନୀତି ଆଦି କୃଷକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ କରାଯାଇଛି। ୨୦୧୯-୨୦ ଖରିଫ ଋତୁରେ ୩୫୪୩ଟି ମଣ୍ଡି ମାଧ୍ୟମରେ ୭୦,୫୬,୫୦୭ ଏମ୍‌ଟି ଧାନ ସଂଗ୍ରହ କରାଯାଇଛି। ଏଥିରେ ସବୁଠୁ ଆଗରେ ବରଗଡ଼ ଜିଲ୍ଲା ଥିବାବେଳେ ଏହାପଛକୁ ଯଥାକ୍ରମେ କଳାହାଣ୍ଡି ଓ ସୁବର୍ଣ୍ଣପୁର ରହିଛି।

କେବଳ ଧାନ କିମ୍ବା ଅନ୍ୟାନ୍ୟ ଫସଲ ନୁହେଁ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇ ୨୦୧୯-୨୦ରେ ୨୩୭୦ ଏମ୍‌ଟିରେ ପହଞ୍ଚିଛି। ସେହିଭଳି ୨୦୧୯-୨୦ରେ ରାଜ୍ୟରେ ୨୦୫.୧୬ ହଜାର ଟନର ମାଂସ ଉତ୍ପାଦନ ହୋଇଛି। ରାଜ୍ୟବାସୀଙ୍କ ପାଇଁ ବର୍ଷକୁ ମୁଣ୍ଡପିଛା ୪.୨୯ କିଲୋ ମାଂସ ଉପଲବ୍ଧ ହୋଇଛି। ସେହିଭଳି ରାଜ୍ୟରେ ମାଛ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇ ୨୦୧୯-୨୦ରେ ୮୧୬.୪୬ ହଜାର ଟନରେ ପହଞ୍ଚିଛି। ଏଥିଯୋଗୁ ରାଜ୍ୟରେ ଲୋକମାନେ ବର୍ଷକୁ ମୁଣ୍ଡପିଛା ମାଛ ଖାଇବା ୧୫.୪ କିଲୋକୁ ବୃଦ୍ଧି ପାଇଛି। ଅଣ୍ଡାର ଉତ୍ପାଦନ ମଧ୍ୟ ୨୩୮୧୪ ଲକ୍ଷକୁ ବୃଦ୍ଧି ପାଇଛି। ଏଥିଯୋଗୁ ରାଜ୍ୟବାସୀଙ୍କ ପାଇଁ ମୁଣ୍ଡପିଛା ଅଣ୍ଡା ଉପଲବ୍ଧତା ୫୦ରେ ରହିଛି। ଏଥିସହିତ ରାଜ୍ୟରେ କଙ୍କଡ଼ା ଏବଂ ଚିଙ୍ଗୁଡ଼ି ଉତ୍ପାଦନ ମଧ୍ୟ ବଢ଼ିଛି।

ସମ୍ବନ୍ଧିତ ଖବର