୭ ଜିଲ୍ଲାରେ ସଂକ୍ରମିତ ଅବରୋଧ ଅଞ୍ଚଳ ଘୋଷଣା : ରାଜଧାନୀରେ ସର୍ବାଧିକ ୫ ଅଞ୍ଚଳ

ଭୁବନେଶ୍ବର : ରାଜ୍ୟରେ କରୋନା ଚିହ୍ନଟ ହେଉଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବା ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଉଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ ଏହି ଅଞ୍ଚଳ ଘୋଷଣା ହୋଇଛି। ସଂକ୍ରମିତ ଅବରୋଧ ଅଞ୍ଚଳ ଘୋଷଣା ହେବା ପରେ ସେହି ଅଞ୍ଚଳରେ ଘରକୁ ଘର ବୁଲି ସର୍ବେକ୍ଷଣ କରାଯାଉଛି। ଯଦି କୌଣସି ବ୍ୟକ୍ତିଙ୍କ କରୋନା ସମ୍ବନ୍ଧିତ ଲକ୍ଷଣ ଦେଖିବାକୁ ମିଳୁଛି ତା’ହେଲେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଉଛି। ରାଜ୍ୟରେ କେତୋଟି ସଂକ୍ରମିତ ଅବରୋଧ ଅଞ୍ଚଳ ରହିଛି ସେ ସଂପର୍କରେ ସୂଚନା ଦେଇଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଶ୍ରୀ ବାଗଚୀଙ୍କ ସୂଚନା ଅନୁସାରେ ରାଜଧାନୀର ସୂର୍ଯ୍ୟନଗର, ସୁନ୍ଦରପଦା, ଯଦୁପୁର, ବମିଖାଲ ଓ ସତ୍ୟନଗର ଅଞ୍ଚଳ ଏହି ଜୋନ୍‌ରେ ରହିଛି। ଖୋର୍ଧା ଜିଲ୍ଲାରେ ମୋଟ ୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି କଟକରେ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୨ଟି ସଂକ୍ରମଣ ଅବରୋଧ ଅଞ୍ଚଳ ରହିଛି। ୧ନଂ ୱାର୍ଡ ଜୟରାମପୁର ଗ୍ରାମ ପଞ୍ଚାୟତ ନିଶ୍ଚିନ୍ତକୋଇଲି ତହସିଲ, ୱାର୍ଡ ନଂ ୧୨ ଓ ୧୩ ମିର୍ଜାପୁର ଗ୍ରାମପଞ୍ଚାୟତ ସାଲେପୁର ତହସିଲ, ବକ୍ସିବଜାର ଛକରୁ ସାଇନ୍ସ କଲେଜ ସୂତାହାଟ, ମସଜିଦ୍ ଛକରୁ ତିନିକୋଣିଆ ବଗିଚା ପର୍ଯ୍ୟନ୍ତ ଏହି ଜୋନ୍ ରହିଛି। ଗଞ୍ଜାମ ଜିଲ୍ଲାରେ ଚିକିଟି ବ୍ଲକ୍‌ର ଲାଲମେଣ୍ଟା ଗାଁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷିତ ହୋଇଛି। ଯାଜପୁରରେ ରସୁଲପୁର ବ୍ଲକ୍‌ର ବ୍ରହ୍ମବରଦା, କେନ୍ଦ୍ରପଡ଼ାରେ ରାଧାନଗର, ବଳଭଦ୍ରପୁର, ଶୀତଳେଶ୍ବର, ଶୀତଳସ୍ତମ୍ଭ, ନିଆଳି, ଭାଟପଡ଼ା, ମେଧାପୁର, କାନ୍ତିପୁର, ଗୋପ ଜୋନ୍‌ ଭିତରେ ରହିଛି। ପୁରୀରେ ପିପିଲି ବ୍ଲକ୍‌ର ଦାନଗହିର ଗାଁ ଛକ, ଜୟପୁର ଶାସନ ଛକ ଓ ଜୟପୁର ଛକ, ଭଦ୍ରକରେ ପୁରୁଣା ବଜାର, ଚରମ୍ପା ରେଲୱେ ଷ୍ଟେସନ ଅଞ୍ଚଳ, ଏରିନ୍ ଗ୍ରାମ ପଞ୍ଚାୟତ ଅଞ୍ଚଳ ସଂକ୍ରମଣ ଅବରୋଧ ଅଞ୍ଚଳ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ବେହରିଆଗୁଡ଼ା, ପର୍ଜିଆ, ଥମାରଗୁଡ଼ା ଜୋନ୍‌ ଘୋଷିତ ହୋଇଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର