ରାଉରକେଲା : କରୋନା ଛଡାଇ ନେଇଛି ରୋଜଗାର। ହାତ ବାନ୍ଧି ବସିଛନ୍ତି ଶହ ଶହ ବସ୍ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର। ସଦାସର୍ବଦା ଏମାନଙ୍କ ଡାକ, ଗାଡିର ହର୍ଣ୍ଣ ଓ ଯାତ୍ରୀଙ୍କ କୋଳାହଳରେ ଫାଟି ପଡୁଥିବା ପଶ୍ଚିମ ଓଡ଼ିଶାର ସବୁଠୁ ବଡ ରାଉରକେଲା ନୂଆ ବସଷ୍ଟାଣ୍ଡ ଏବେ ଶୂନସାନ । କେବଳ ଛିଡା ହୋଇଛି ରାଜ୍ୟ ଓ ରାଜ୍ୟ ବାହାର ଶତାଧିକ ବସ୍ ଏକ୍ସପ୍ରେସ୍ ଓ ସାଧାରଣ ବସ୍। ଜଗିଛନ୍ତି ଡ୍ରାଇଭର ଓ ହେଲପର୍। ବସ୍ ଭିତରେ ରାତି କଟାଉଛନ୍ତି।
ସଂକ୍ରମଣ ଭୟ ଥିବା ସତ୍ବେ ପରିବାର ପ୍ରତିପୋଷଣ ଚିନ୍ତା ଏମାମନଙ୍କୁ ନିଶବ୍ଦ ବସଷ୍ଟାଣ୍ଡରେ ବସିବାକୁ ବାଧ୍ୟ କରିଛି। କାରଣ ସ୍ବେଚ୍ଛାସେବୀ ଖାଦ୍ୟ ପୁଡିଆ ମିଳିଲେ ପରିବାର ଚଳିବ। ପିଲାଛୁଆଙ୍କ ପେଟର ଭୋକ ମରିବ l ଏଥିପାଇଁ ସକାଳୁ ରାତି ପର୍ଯ୍ୟନ୍ତ ଚାହିଁ ରହିଛନ୍ତି ସ୍ବେଚ୍ଛାସେବୀଙ୍କ ଖାଦ୍ୟ ପୁଡିଆକୁ। ମଧ୍ୟାହ୍ନ ଓ ରାତିରେ ଆରଏମସି କିମ୍ବା ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଖାଦ୍ୟ ପୁଡିଆ ଧରି ପହଞ୍ଚିବାରେ ପରେ ମୁହଁରେ ହସ ଫୁଟୁଛି l ଅଧା ଖାଉଛନ୍ତି। ଆଉ ଅଧକକୁ ଧରି ନେଇ ନିଜ ଘରେ ଦେଇ ଆସୁଛନ୍ତି। ପୁଣି ଆସନ୍ତାକାଲି ଖାଦ୍ୟ ପୁଡିଆକୁ ସେମିତି ଚାହିଁ ରହୁଛନ୍ତି।
ଦିନେ ଦୁଇ ଦିନ ନୁହେଁ ଲକଡାଉନ ଆରମ୍ଭରୁ ଏମିତି ଦୟନୀୟ ଜୀବନ ଅତିବାହିତ କରୁଛନ୍ତି l କେବଳ ଡ୍ରାଇଭର, ହେଲପର ନୁହେଁ ବସଷ୍ଟାଣ୍ଡରେ ମାଲ୍ ଲୋଡିଂ, ଅନ୍ ଲୋଡିଂ କରୁଥିବା କୁଲି, ଟିକେଟ ବିକୁଥବା ଏଜେଣ୍ଟ ସମସ୍ତଙ୍କର ସେହି ସମାନ ଅବସ୍ଥା। ବର୍ଷ ବର୍ଷ ଧରି ଝାଳବୁହା ପରିଶ୍ରମ କରି ଯେଉଁ ବସ୍ ମାଲିକଙ୍କୁ ଲାଭ ଦେଉଥିଲେ। ସେମାନଙ୍କ ଦୁଃଖ ଶୁଣୁ ନାହାନ୍ତି। ଏମାନଙ୍କ ହକ୍ ଦାବିକୁ ନେଇ ସଦାସର୍ବଦା ଲଢ଼େଇ ଜାରି ରଖିଥିବା ସଂଘର ନେତାଙ୍କ ଦେଖା ଦେଉ ନାହାନ୍ତି l ସରକାରଙ୍କ ନିକଟରେ ଦାବି କରି ନିଜ ନିଜର କାମ ଯେମିତି ସାରି ଦେଇଛନ୍ତି l ଏସବୁ ଭିତରେ ହାତ ବାନ୍ଧି ବସିଥିବା ଶତାଧିକ ଡ୍ରାଇଭର , ଖଲାସି(ହେଲପର )ଙ୍କ ପରିବାର ଭୋକ ଉପାସରେ ଜୀବନ ଅତିବାହିତ କରୁଛନ୍ତି। ଦିନକୁ ଓଳିଏ ଖାଇଲେ, ଆର ଓଳିକୁ ଉପାସ ରହୁଛନ୍ତି।
ରାଉରକେଲା ନୂଆ ବସଷ୍ଟାଣ୍ଡ ହେଉଛି ପଶ୍ଚିମ ଓଡ଼ିଶାର ସବୁଠୁ ବଡ ବସଷ୍ଟାଣ୍ଡ। ଓଡ଼ିଶା ସମେତ ପଡୋଶୀ ଝାଡ଼ଖଣ୍ଡ, ଛତିଶଗଡ, ବିହାର ଆଦି ରାଜ୍ୟକୁ ଏଠାର ୫୦୦ରୁ ଏକ୍ସପ୍ରେସ୍ ଓ ସାଧାରଣ ବସ୍ ଯିବା ଆସିବା କରିଥାନ୍ତି। ୨ହଜାର ଡ୍ରାଇଭର, କଣ୍ଡକ୍ଟର, ହେଲପର ଏସବୁ ବସ୍ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଲକଡାଉନ ପରେ ସମସ୍ତ ବସ୍ ଚଳାଚଳ ବନ୍ଦ ରହିଛି। କିଛି ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ନିଜ ଗାଁକୁ ଚାଲିଯାଇଥିଲା। ରାଉରକେଲା ଓ ଏହାର ଆଖପାଖରେ ରହୁଥିବା ଶହରୁ ଅଧିକ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ଜୀବନ ବଞ୍ଚାଇବାକୁ ବସଷ୍ଟାଣ୍ଡ ଆସିବାକୁ ବାଧ୍ୟ ହେଉଛନ୍ତି l
ଟିକେଟ ବିକୁଥିବା ବି.ଆପ୍ପା ରାଓ କୁହନ୍ତି, ସେ ୩୦ ବର୍ଷ ଧରି ଟିକେଟ ବିକି ପରିବାର ପ୍ରତିପୋଷଣ କରନ୍ତି । କରୋନା ମହାମାରୀ ପରେ ବସ୍ ଚଳାଚଳ ବନ୍ଦ ହୋଇଯିବା ପରେ ପରିବାର ଭୋକ ଉପାସରେ ଜୀବନ କାଟୁଛନ୍ତି। ଆମର ଦୁଃଖ ବୁଝିବାକୁ କାହାରି ପାଖରେ ସମୟ ନାହିଁ। କିଛି ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମିଳୁଥିବା ଖାଦ୍ୟ ପୁଡିଆ ପରିବାର ଚଳୁଛି। ପରିବାରର ଭୋକ ମେଣ୍ଟୁଛି l ହେଲପର ମନୋଜ କୁମାର ଯାଦବ,ସୁରେଶ ତିର୍କୀ ଓ ଡ୍ରାଇଭର ଭଗବାନ ରାଉତ କରୋନା ଆମ ଜୀବିକା ଛଡାଇ ନେଇଛି। ଏଭଳି କଠିନ ସମୟରେ ବସ୍ ମାଲିକମାନେ ମଧ୍ୟ ଆମ ଦୁଃଖ ଶୁଣୁ ନାହାନ୍ତି। କିଛି ସ୍ବେଚ୍ଛାସେବୀ ସଙ୍ଗଠନ ଖାଦ୍ୟ ପୁଡିଆ ଖାଇ ବଞ୍ଚୁଛୁ। ନ ମିଳିଲେ ଉପାସରେ ରହୁଛୁ। ଏଭଳି ସଙ୍କଟ ସମୟରେ ଆମ ଦୁଃଖ ସରକାର ନ ଶୁଣିଲେ କିଏ ଶୁଣିବ ବୋଲି କହିଛନ୍ତି ସେମାନେ l