ରାଉରକେଲା: ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଉତ୍ସବରୁ ଆରମ୍ଭ ହୋଇଥାଏ ପାର୍ବଣ ଋତୁ। ଅଗଷ୍ଟ ମାସରୁ ଆସନ୍ତା ଫେବୃ୍ୟାରୀ ପର୍ଯ୍ୟନ୍ତ ପ୍ରାୟ ୭ ମାସ ଧରି ସ୍ମାର୍ଟ ସିଟି ପାଳନ କରେ ବିଭିନ୍ନ ପୂଜା। ଏଥିପାଇଁ ସହରରେ ଜାରିରହେ ଉତ୍ସବର ମାହୋଲ। ପୂଜା କମିଟିରୁ ଆରମ୍ଭ କରି ମୂର୍ତ୍ତି କାରଖାନା ସବୁଠି ଚାଲେ ଜୋରସୋର ପ୍ରସ୍ତୁତି। କରୋନା କଟକଣା ପାଇଁ ବନ୍ଦ ରହିଛି ଗଣେଶ ପୂଜା। ସଂକ୍ରମଣ ନ କମିଲେ ଗୋଟିଏ ପରେ ଗୋଟିଏ ପୂଜା ମହୋତ୍ସବରେ ଲାଗି ପାରେ ବ୍ରେକ୍। ଏବେର ସ୍ଥିତିକୁ ଦେଖିବାକୁ ଗଲେ ଚଳିତ ବର୍ଷ ସହରର ପ୍ରାୟ ୭୧ ବର୍ଷ ଧରି ଚାଲି ଆସୁଥିବା ପୂଜା ମାହାଲୋ ଫିକା ପଡିବ। ଏଥିପାଇଁ ନା ଅଛି ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଆଗ୍ରହ ନା ଅଛି ସହରବାସୀଙ୍କ ମଧ୍ୟରେ ଉତ୍କଣ୍ଠା। ସବୁଠୁ ଚିନ୍ତାରେ ପଡିଛନ୍ତି ମୂର୍ତ୍ତି ଗଢ଼ି ପରିବାର ପ୍ରତିପୋଷଣ କରୁଥିବା ଶିଳ୍ପୀ ଓ ମୂର୍ତ୍ତି ବ୍ୟବସାୟୀ। ବେଲଗାମ୍ କରୋନା ପାଇଁ ଗଣେଶ ପୂଜା ନୁହେଁ ଆଗାମୀ ଦିନରେ ପାଳନ ହେବାକୁ ଯାଉଥିବା ମା’ ଦୁର୍ଗାପୂଜା, ଲକ୍ଷ୍ମୀ ଓ କାଳୀ ପୂଜା ହେବ କି ନାହିଁ ତାହା ବି ଅନିଶ୍ଚିତତା।
ଏଭଳି କଠିନ ସମୟରେ ଯେଉଁମାନଙ୍କ ହାତରେ ସ୍ପର୍ଶରେ ଝଲସି ଉଠେ ପ୍ରତିମାମାନଙ୍କର ରୂପ ସେମାନେ କିନ୍ତୁ ହାତ ବାନ୍ଧି ବସିଛନ୍ତି। ଶହେ କି ଦୁଇ ଶହ ନୁହେଁ ପ୍ରାୟ ୩୦୦ରୁ ଅଧିକ ଶିଳ୍ପୀର ସମାନ ସ୍ଥିତି। ପୂଜା ମଣ୍ଡପ, କ୍ଲବ, ଶିକ୍ଷାନୁଷ୍ଠାନରେ ସାମୂହିକ ପୂଜାରେ କଟକଣା ଥିବାରୁ ଶିଳ୍ପୀମାନେ ଛୋଟ ଛୋଟ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। ସେଗୁଡ଼ିକ ବିକ୍ରି ହେବ କି ନାହିଁ ସନ୍ଦେହ। ସେପଟେ ପାର୍ବଣରେ ଚଳଚଞ୍ଚଳ ଥିବା ଶିଳ୍ପ ମନ୍ଦିର ବି ଖାଁ ଖାଁ। ମୂର୍ତ୍ତି ନାହିଁ କେବଳ ଶିଳ୍ପୀ ବସିଛନ୍ତି। ମୂର୍ତ୍ତି ତିଆରି ପାଇଁ ସହରର ଉଦିତନଗର, ବନ୍ଧମୁଣ୍ଡା, ତିଲକାନଗର, ଫଟାପାଇପ୍, ପ୍ଲାଣ୍ଟସାଇଟ୍, ସେକ୍ଟର-୨ ଝୁମ୍ପୁଡି ବସ୍ତି, ଫର୍ଟିଲାଇଜରରେ ରହିଛି ପ୍ରାୟ ୨୦ରୁ ଅଧିକ ଶିଳ୍ପ ମନ୍ଦିରରେ ଏଭଳି ସ୍ଥିତି ଉପୁଜିଛି। ଅର୍ଡର ମୁତାବକ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ ସକାଳୁ ରାତି ଶିଳ୍ପୀମାନଙ୍କୁ ସମୟ ନଥାଏ। କାରଣ ଏମାନଙ୍କ ହାତ ତିଆରି ମୂର୍ତ୍ତି କେବଳ ରାଉରକେଲା ନୁହେଁ, ପଡୋଶୀ ଝାଡ଼ଖଣ୍ଡ, ସୁନ୍ଦରଗଡ, ଝାରସୁଗୁଡା ଯାଇଥାଏ ବୋଲି କହନ୍ତି ଉଦିତନଗରର ମୂର୍ତ୍ତି ବ୍ୟବସାୟୀ ବାବୁଲି। କିନ୍ତୁ ମହାମାରୀ କରୋନା ପାଇଁ ତାଙ୍କ ବ୍ୟବସାୟୀ ବୁଡି ନାହିଁ ବରଂ ତାଙ୍କ ଉପରେ ନିର୍ଭରଶୀଳ ଶହ ଶହ ଶିଳ୍ପୀଙ୍କ ଦୁଃଖ ବେଶି ବଢ଼ି ଯାଇଛି। ତଥାପି ତାଙ୍କର ମନରେ ବିଶ୍ବାସ ରହିଛି କରୋନା ହଟିବ, ନିଶ୍ଚିତ ଭାବେ ପୂର୍ବପରି ମୂର୍ତ୍ତି ଗଢ଼ିବେ।
ଶିଳ୍ପୀମାନଙ୍କ ମଧ୍ୟରେ ରହିଛନ୍ତି ୩୦ରୁ ୪୦ ବର୍ଷ ଧରି କାମ କରୁଥିବା ପଶ୍ଚିମବଙ୍ଗର ମେଚ୍ଛେଦା, ମେଦିନାପୁର, ଚବିଶ ପରଗଣା, ପୁରୁଲିଆ ବଙ୍ଗାଳୀ କାରୀଗର। କେତେକ ପୂଜା କମିଟି କର୍ମକର୍ତ୍ତା କରୋନା କଟକଣା ଲାଗି ରହିଲେ ଦୁର୍ଗାପୂଜା, କାଳୀ ଓ ଲକ୍ଷ୍ମୀ ପୂଜା କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ କହିଛନ୍ତି। ପଶ୍ଚିମବଙ୍ଗର ପ୍ରକାଶ ସୂତ୍ରଧର କହନ୍ତି କରୋନା କଟକଣା ଆମ ଜୀବନଜୀବିକା ଛଡାଇ ନେଇଛି। ବର୍ଷର ପ୍ରାୟ ୭ ମାସ କାମ କରି ରୋଜଗାର କରୁଥିବା ଅର୍ଥରେ ପରିବାର ପ୍ରତିପୋଷଣ କରୁଥିଲୁ। ମାସକୁ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲା। ଏତେ ଅର୍ଡର ମିଳୁଥିଲା ଯେ କାମ କରିବାକୁ ରାତି ଦିନ ଫୁରସତ୍ ମିଳୁ ନଥିଲା। ଏବେ ଛୋଟ ଛୋଟ ଗଣେଶ ମୂର୍ତ୍ତି ତିଆରି କରି ବସିଛୁ।
ବର୍ତ୍ତମାନ ସୁଦ୍ଧା କୌଣସି ଦୁର୍ଗାପୂଜା କମିଟି ପକ୍ଷରୁ ମା’ଙ୍କ ମୃଣ୍ମୟ ପ୍ରତିମା ତିଆରି ପାଇଁ ଅର୍ଡରଟିଏ ଆସି ନାହିଁ। ତଥାପି ଧୈର୍ଯ୍ୟ ସହ ପୂଜା କମିଟିଗୁଡ଼ିକର ଅର୍ଡରକୁ ଚାହିଁ ବସିଛୁ। ନ ହେଲେ ନିଜ ନିଜର ଗାଁ ଫେରିଯିବୁ। ଉଲ୍ଲେଖଯୋଗ୍ୟ, ସହରର ସିଭିଲଟାଉନସିପ୍, ଷ୍ଟିଲ ଟାଉନସିପ୍ ଓ ଫର୍ଟିଲାଇଜର ଟାଉନସିପ୍ ପ୍ରାୟ ୧୦୪ ପୂଜା ମଣ୍ଡପରେ ମା’ ଦୁର୍ଗା ପୂଜା ପାଆନ୍ତି। ୪୫ ଟି ମଣ୍ଡପରେ ମା’ ଲକ୍ଷ୍ମୀ ଓ ୮୩ଟି ପୂଜା ମଣ୍ଡପରେ ମା’ କାଳୀ ପୂଜା ଅନୁଷ୍ଠିତ ହୋଇଥାଏ। ଦଶହରା ପୂଜା ସ୍ମାର୍ଟସିଟି ରାଉରକେଲାରେ ରାଜ୍ୟରେ ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/47455cce-e78d-42c7-bd69-d14794b46a75.jpg)