ପୁରୀ ଖଜା ଶିଳ୍ପକୁ କରୋନା ଚଡ଼କ : ୫ ମାସରେ ୫୦ କୋଟି କ୍ଷତି
ଭକ୍ତ ନାହାନ୍ତି, ଭାଟିରେ ତାଲା, ଘରେ ବସିଛନ୍ତି ଶ୍ରମିକ
ପୁରୀ : କରୋନା କଟକଣା, ଲକ୍ଡାଉନ, ସଟ୍ଡାଉନ ଯୋଗୁଁ ସର୍ବାଧିକ କ୍ଷତି ସହିଛି ପୁରୀ। ପର୍ଯ୍ୟଟକଙ୍କ ଉପରେ ନିର୍ଭର କରୁଥିବା ପୁରୀର ହୋଟେଲ ଶିଳ୍ପ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଶିଳ୍ପ ଉଜୁଡ଼ି ଯାଇଛି। ଶ୍ରୀମନ୍ଦିର ଖୋଲୁନଥିବାରୁ ଭକ୍ତ ବି ଆସୁନାହାନ୍ତି। ଭକ୍ତ ନ ଆସିବାରୁ ପୁରୀର ସମସ୍ତ ବ୍ୟବସାୟରେ ତାଲା ପଡ଼ିଛି। ମହାପ୍ରସାଦ ବିକ୍ରି ହୋଇ ପାରୁନାହିଁ। ଗତକାଲି ବସ୍ତା ବସ୍ତା ଶୁଖିଲା ମହାପ୍ରସାଦ ପେଜନଳା ନିକଟରେ ଫିଙ୍ଗା ଯାଇଥିଲା। କେବଳ ମହାପ୍ରସାଦ ନୁହେଁ, ପୁରୀ ଆସୁଥିବା ଲୋକ ଭିତରର ମହାପ୍ରସାଦ ଠାରୁ ଅଧିକ ବାହାରର ଖଜା କିଣୁଥିଲେ। ଏ ଖଜାକୁ ନେଇ ଜ୍ଞାତି-କୁଟୁମ୍ବକୁ ଭୋଗ ଆକାରରେ ବାଣ୍ଟୁଥିଲେ। ଫଳରେ ଭକ୍ତଙ୍କ ଆଗ୍ରହ ଓ ଚାହିଦାକୁ ଦୃଷ୍ଟିରେ ରଖି ପୁରୀରେ ଏକ ବୃହତ ଖଜା ଶିଳ୍ପ ଗଡ଼ି ଉଠିଥିଲା। ଏହି ଶିଳ୍ପରୁ ହଜାର ହାଜର ଲୋକ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଚଳୁଥିଲେ। ମାତ୍ର ଗତ ୫ ମାସ ହେବ ଏ ସବୁ ଠପ ହୋଇଯାଇଛି। ଭକ୍ତ ବି ଖଜା ସୁଆଦ ଭୁଲି ଗଲେଣି। ଭାଟିରେ ତାଲା ପଡ଼ିଛି। କର୍ମଚାରୀ ସବୁ ଘର ମୁହାଁ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୀରେ ଖଜାର ଚାହିଦା ରହିଛି। ପୁରୀ ଖଜା ସ୍ବାଦ ଓ ଦର ଦୃଷ୍ଟିରୁ ଠିକ ଥିବାରୁ ଏହା ପ୍ରତି ଲୋକଙ୍କ ଆଗ୍ରହ ରହିଛି। ଭଲ ଘିଅ ଖଜା, ଘିଅ ଖଜା-ତେଲ ( ରିଫାଇନ ଖଜା) ଏଭଳି ଭିନ୍ନ ଭିନ୍ନ ରହିଛି। ଦର ୧୪୦ ରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପୁରୀ ମନ୍ଦିର ବାହାରେ ଦୈନିକ ହାରାହାରି ୩୦ ରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖଜା ବିକ୍ରି ହୋଇଥିବା ଜଣେ ବ୍ୟବସାୟୀ ବଟକୃଷ୍ଟ ସୁଆର କହିଛନ୍ତି। ମାତ୍ର ଏ ସବୁ କରୋନା ଯୋଗୁଁ ୫ ମାସ ହେବ ଠପ ହୋଇଯାଇଛି। ଗୋଟିଏ ବଡ଼ ଭାଟିରେ ପାଖାପାଖି ୧୫ ରୁ ୨୦ ଜଣ ଶ୍ରମିକ କାମ କରନ୍ତି। ପୁରୀରେ ଥିବା ଶତାଧିକ ଭାଟିରେ ଶହ ଶହ କର୍ମଚାରୀ ଏବେ ଜୀବିକା ହରାଇଛନ୍ତି। ଏପରିକି ଦୋକାନରେ କାମ କରୁଥିବା ଶହ ଶହ କର୍ମଚାରୀ ତାଙ୍କ ଜୀବିକା ହରାଇଛନ୍ତି। ଖଜାଭାଟିରେ ତାଲା ପଡିଛି। ଏହି ଖଜା ବ୍ୟବସାୟ ଉପରେ ନିର୍ଭରୁ କରୁଥିବା ହଜାରେ ପରିବାର ସଙ୍କଟରେ ରହିଛନ୍ତି। ପ୍ରାୟ ୫୦୦ରୁ ଅଧିକ ଖଜା ବ୍ୟବସାୟୀଙ୍କ ଜୀବିକା ବିପନ୍ନ ହୋଇଛି। ଏମାନଙ୍କ ପ୍ରତି ସରକାର ଦୃଷ୍ଟି ଦେବାକୁ ଶ୍ରୀ ସୁଆର ଦାବି କରିଛନ୍ତି । ପୁରୀ ଖଜାକୁ ଶିଳ୍ପର ମାନ୍ୟତା ଦେବା ସହିତ ଖଜା ବ୍ୟବସାୟୀଙ୍କୁ ସରକାର ପ୍ରୋତ୍ସାହନ ଦେଲେ ବ୍ୟବସାୟୀମାନେ ବଂଚିଯିବେ ବୋଲି ସେ କହିଛନ୍ତି।