ସମ୍ବଲପୁରୀ ହସ୍ତତନ୍ତ ବ୍ୟବସାୟକୁ କରୋନା ଧକ୍କା

ସମ୍ବଲପୁର : ସମ୍ବଲପୁରୀ ହସ୍ତତନ୍ତ ବ୍ୟବସାୟକୁ ଶକ୍ତ ଧକ୍କା ଦେଇଛି କରୋନା ସ୍ଥିତି। ଗତବର୍ଷ ମାର୍ଚରୁ ଜୁନ୍‌ ମାସ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟ ହେଣ୍ଡଲୁମ କୋଅପରେଟିଭ ସୋସାଇଟି ଲିମିଟେଡ୍‌ ୨୦ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଚଳିତ ବର୍ଷ ମାର୍ଚରୁ ଜୁନ ମାସ ମଧ୍ୟରେ ମାତ୍ର ୧୦.୪୧ କୋଟି ଟଙ୍କାର ବ୍ୟବସାୟ କରିଛି। ଆଗାମୀ ଦିନରେ ଏହା ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି। ଏଥିସହିତ ଏହି ସୋସାଇଟି ଉପରେ ନିର୍ଭରଶୀଳ ୬ ହଜାରରୁ ଅଧିକ ବୁଣାକାର ଓ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି।

ସମ୍ବଲପୁରୀ ବସ୍ତ୍ରାଳୟ ହେଣ୍ଡଲୁମ କୋଅପରେଟିଭ ସୋସାଇଟି ଲିମିଟେଡ୍‌ ଅଧିନରେ ୪୦ଟି ଆଉଟ୍‌ଲେଟ ରହିଛି। ସେଥିରୁ ୩୮ଟି ଓଡ଼ିଶା ଏବଂ ୨ଟି ବାହାର ରାଜ୍ୟରେ ଅଛି। ଏଥିମଧ୍ୟରୁ କୌଣସି ଆଉଟ୍‌ଲେଟର ବ୍ୟବସାୟ ଚଳିତବର୍ଷ ଉତ୍ସାହଜନକ ନୁହେଁ। ପ୍ରଥମତଃ ମାର୍ଚ ୨୧ ତାରିଖରୁ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଯୋଗୁଁ ସମସ୍ତ ଆଉଟଲେଟ୍‌ ବନ୍ଦ ରହିଲା। ଏହାପରେ ଯେତେବେଳେ ଆଉଟଲେଟ୍‌ ଖୋଲିଲା କ୍ରୟ କରିବାକୁ କେହି ଆସିଲେ ନାହିଁ। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ସାପ୍ତାହିକ ବଜାର ବନ୍ଦ ଯୋଗୁଁ ବ୍ୟବସାୟ ଗୁରୁତର ବାଧାପ୍ରାପ୍ତ ହେଲା। ବୁଣାକାର ରହୁଥିବା ଅନେକ ଗାଁ ଏବଂ ପଡ଼ା ସଂକ୍ରମିତ ଅଞ୍ଚଳ ହୋଇଥିବାରୁ ଏହା ମଧ୍ୟ ବ୍ୟବସାୟକୁ ପ୍ରଭାବିତ କଲା। ସମ୍ବଲପୁରୀ ପୋଷାକର ସର୍ବାଧିକ ଚାହିଦା ବିବାହ ଏବଂ ସାମାଜିକ ଉତ୍ସବରେ ଥାଏ। ମାର୍ଚରୁ ଜୁନ, ଜୁଲାଇ ମାସ ବିବାହର ମାସ। ଏହି ସମୟରେ ପୋଷାକର ସର୍ବାଧିକ ବ୍ୟବସାୟ ମଧ୍ୟ ହୁଏ। ଚଳିତ ବର୍ଷ ଅଧିକାଂଶ ବାହାଘର ସ୍ଥଗିତ ହୋଇଯାଇଛି କିମ୍ବା ଅତି ନିରାଡ଼ମ୍ବର ଭାବରେ ହୋଇଛି। ଏଥିଯୋଗୁଁ ସମ୍ବଲପୁରୀ ଶାଢି କିମ୍ବା ଡ୍ରେସ ସେହିଭଳି ବିକ୍ରି ହୋଇ ପାରି ନାହିଁ। ସମ୍ବଲପୁରର କମଲିବଜାର ସାପ୍ତାହିକୀ ବଜାର, ବରଗଡ଼ର ବାଲିଜୋରି ବଜାରରେ ବୁଣାକାରମାନେ ଯେଉଁଭଳି ବିକ୍ରି କରନ୍ତି ତାହା ଚଳିତ ବର୍ଷ ଠପ୍‌ ହୋଇ ପଡ଼ିଛି। ସ୍ଥିତି ଏଭଳି ହୋଇଛି ଯେ ଯେଉଁ ବୁଣାକାରମାନେ ପୂର୍ବରୁ ମାସକୁ ୧୫ରୁ ୧୬ ହଜାର ଆୟ କରୁଥିଲେ। ଚଳିତବର୍ଷ ସେମାନେ ୬ରୁ୭ ହଜାର ଆୟ କରିବା କଷ୍ଟକର ହୋଇପଡ଼ୁଛି। ଅନ୍ୟ ଛୋଟ ବୁଣାକାରଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡ଼ିଛି। ବିମୁଦ୍ରାୟନ ଏବଂ ଜିଏସଟି ପୂର୍ବରୁ ବୁଣାକାରଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଥିଲା। ବର୍ତ୍ତମାନ ଏହି ମହାମାରୀ ସମୟରେ ସ୍ଥିତି ଗୁରୁତର ହୋଇ ପଡ଼ିଛି।

କିଛିଦିନ ପୂର୍ବରୁ ଅଭିନେତ୍ରୀ ବିଦ୍ୟା ବାଲନ୍‌ ଶକୁନ୍ତଳା ଚଳଚିତ୍ରର ପ୍ରମୋସନ ଇଭେଣ୍ଟ୍‌ରେ ସମ୍ବଲପୁରୀ ଶାଢି ପିନ୍ଧି ଥିବା ଭାଇରାଲ ହୋଇଥିଲା। ସେ ଏହି ଶାଢ଼ିର ବହୁତ ପ୍ରଶଂସା ମଧ୍ୟ କରିଥିଲେ। ଉଭୟ ଜାତୀୟ, ଅନ୍ତର୍ଜାତୀୟ ବଜାରରେ ସମ୍ବଲପୁରୀ ପୋଷାକର ବେଶ ଚାହିଦା ରହିଛି। ମାତ୍ର ବର୍ତ୍ତମାନ ସମ୍ବଲପୁରୀ ହସ୍ତତନ୍ତ ଯେଉଁଭଳି ସ୍ଥିତି ଦେଇ ଗତି କରୁଛି ଆଗକୁ ମଧ୍ୟ ଏଭଳି ଅବସ୍ଥା ଜାରି ରହିଲେ ସ୍ଥିତି ସଙ୍ଗୀନ ହେବ। ହଜାର-ହଜାର ବୁଣାକାରଙ୍କ ଜୀବିକା ପ୍ରଭାବିତ ହେବ। ବର୍ତ୍ତମାନଠାରୁ ହିଁ ସରକାର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର