୨୬ ଜିଲ୍ଲାରେ କରୋନା: ୧୩ ଜିଲ୍ଲାରୁ ୮୦ ଚିହ୍ନଟ, ୬୨ ସୁସ୍ଥ

ସୁସ୍ଥଙ୍କ ସଂଖ୍ୟା ୫୦୦ ନିକଟତର

ଭୁବନେଶ୍ବର: ରାଜ୍ୟର ୨୬ଟି ଜିଲ୍ଲାକୁ ମାଡ଼ି ଗଲାଣି କରୋନା। ଆଜି ନୂତନ ଜିଲ୍ଲା ଭାବେ ଗଜପତି ଓ ନବରଙ୍ଗପୁର ଏଥିରେ ସାମିଲ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୩ଟି ଜିଲ୍ଲାରୁ ୮୦ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ୬ଟି ଜିଲ୍ଲାରୁ ୬୨ଜଣ ସୁସ୍ଥ ହେବା ପରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୫୦୦ ନିକଟତର ହୋଇଛି।

ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ୧୯ଜଣଙ୍କ ମଧ୍ୟରୁ ୧୬ଜଣ ସୁରତ, ଜଣେ ମହାରାଷ୍ଟ୍ର ଓ ୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଯାଜପୁର ଜିଲ୍ଲାର ୧୪ଜଣଙ୍କ ମଧ୍ୟରୁ ୮ଜଣ ପଶ୍ଚିମବଙ୍ଗ, ୫ ଆନ୍ଧ୍ର ଓ ଜଣେ ଗୁଜରାଟ ଫେରନ୍ତା ଥିବା ବେଳେ ସୁନ୍ଦରଗଡ଼ରେ ୫ଜଣ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି। ସେହିପରି ପୁରୀର ୧୭ଜଣଙ୍କ ମଧ୍ୟରୁ ୧୧ଜଣ ଗୁଜୁରାଟ, ୪ ପଶ୍ଚିମବଙ୍ଗ ଓ ଜଣେ ଲେଖାଏଁ ଆନ୍ଧ୍ର ଓ ତାମିଲନାଡ଼ୁର ରହିଛନ୍ତି। ନୟାଗଡ଼ର ୫ଜଣଙ୍କ ମଧ୍ୟରୁ ୨ ଜଣ ସୁରତ, ୨ଜଣ ତେଲେଙ୍ଗାନା ଓ ଜଣେ ପଶ୍ଚିମବଙ୍ଗର ରହିଥିବା ବେଳେ ବାଲେଶ୍ବରର ୩ଜଣ ସୁରତ ଫେରନ୍ତା ଓ କଟକର ଜଣେ ଗୁଜରାଟ ଫେରନ୍ତା ଅଛନ୍ତି। କନ୍ଧମାଳର ୨ ସଂକ୍ରମିତ ତେଲେଙ୍ଗାନା, ଝାରସୁଗୁଡ଼ାର ୩ଜଣଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶ, ଜଣେ ମହାରାଷ୍ଟ୍ରରୁ ଥିବା ବେଳେ ଜଣେ ସ୍ଥାନୀୟ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ବଲାଙ୍ଗୀରର ଜଣେ ପଜିଟିଭ୍ ତେଲେଙ୍ଗାନା ଫେରନ୍ତା ଥିବା ବେଳେ ମାଲକାନାଗିରିର ୫ଜଣଙ୍କ ମଧ୍ୟରୁ ୩ ତାମିଲନାଡ଼ୁ, ଜଣେ ତେଲେଙ୍ଗାନା ଓ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି। କରୋନା ତାଲିକାରେ ନୂତନ ଭାବେ ଚିହ୍ନଟ ହୋଇଥିବା ନବରଙ୍ଗପୁରର ଜଣେ ଆନ୍ଧ୍ରରୁ ଫେରିଥିବା ବେଳେ ଗଜପତିର ୪ଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର ଓ ୩ ସ୍ଥାନୀୟ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତିର ୩ଟି ଗାଁ ମାନ୍ତିଗୁଡ଼ା, ତାତିପତି ଓ ଜଗନ୍ନାଥପୁରକୁ ଅବରୋଧ ଅଞ୍ଚଳ ଘୋଷଣା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗାଁଗୁଡ଼ିକରେ ତଦାରଖ ଜାରି ରହିଥିବା କୁହାଯାଇଛି।

ଆଜି ୬୨ଜଣ ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୪୧ଜଣ ରହିଥିବା ବେଳେ ୧୫ଜଣ ବା‌ଲେଶ୍ବର, ୨ଜଣ ରାଉରକେଲା, ଜଣେ ଲେଖାଏଁ ଭଦ୍ରକ, ମୟୂରଭଞ୍ଜ, ଯାଜପୁରର ଅଛନ୍ତି। ତେବେ ରାଜଧାନୀରେ କିଛି ଦିନ ପୂର୍ବରୁ ଚିହ୍ନଟ ହୋଇଥିବା ମହାରାଷ୍ଟ୍ରର ଜଣେ ଡ୍ରାଇଭର୍‌ ମଧ୍ୟ ଆଜି ସୁସ୍ଥ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ମାତ୍ର ରାଜ୍ୟର ସୁସ୍ଥ ତାଲିକାରେ ତାଙ୍କୁ ସ୍ଥାନ ଦିଆଯାଇନାହିଁ। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୪୯୭ରେ ପହଞ୍ଚିଛି। ରାଜ୍ୟରେ ଏବେ ୭୬୫ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୦୦୫ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ପୃଥକବାସରେ ଅଛନ୍ତି। ଏହାସହ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୧୮ହଜାର ୪୪୬ଟି କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର