ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କେମିତି ମାଡିଲା କରୋନା, ଗଞ୍ଜାମ କ୍ୟାନସର ପୀଡ଼ିତ ପାଲଟିଲେ ସୁପର ସ୍ପ୍ରେଡର

ହସ୍ପିଟାଲରୁ ଚିହ୍ନଟ ହେଲେଣି ୭୦ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଚାର୍ଯ୍ୟ ହରିହର ହସ୍ପିଟାଲରୁ ଏକାଥରକେ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି । ଏତେ ସଂଖ୍ୟାରେ ଲୋକ କେମିତି ଆକ୍ରାନ୍ତ ହେଲେ ତାକୁ ନେଇ ଚାଲିଛି କଟ୍ରାକ୍ଟ ଟ୍ରେସିଂ । ଏହାରି ଭିତରେ ଆସିଛି ସାଂଘାତିକ ତଥ୍ୟ । ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସି ଏତେ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ସ୍ୱତନ୍ତ୍ର ବ୍ୟବସ୍ଥା ଭିତରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ କୋଭିଡ ହସ୍ପିଟାଲକୁ କରୋନା ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଏହି କ୍ୟାନସର ହସ୍ପିଟାଲରେ କରୋନା, ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଗୁରୁବାର ରାତିରେ ଏହି ହସ୍ପିଟାଲରୁ ୫୫ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ରେ ପହଂଚିଛି । ଗୋଟିଏ ପଟେ କ୍ୟାନସର ଭଳି ଏକ ମାରାତ୍ମକ ରୋଗ ସହ ଲଢେଇ ଚାଲିଥିବା ବେଳେ ଏପଟେ କରୋନା ଆହୁରି ଚିନ୍ତା ବଢାଇ ଦେଇଛି । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୧୮ଜଣ କ୍ୟାନସର ରୋଗୀ, ଜଣେ ନର୍ସ ଏବଂ ୩୬ଜଣ ରୋଗୀଙ୍କ ସହାୟକ ବା ଆଟେନଡାଂଟ । ଏହି ଘଟଣା ପରେ ଶୁକ୍ରବାର ଦିନକ ପାଇଁ ହସ୍ପିଟାଲର ଆଉଟଡୋରକୁ ବନ୍ଦ କରି ଦିଆଯାଇଛି ।

ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କର ଦୁଇଟା ଯାକ ଚିକିତ୍ସା ଚାଲିବ ବୋଲି କହିଛନ୍ତି ଡାକ୍ତର । ଏବଂ ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଗୁରୁତର ଅବସ୍ଥାରେ ନାହାନ୍ତି ବୋଲି ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ।

ଏବେ ଆସନ୍ତୁ ଜାଣିବା କେମିତି କ୍ୟାନସର ହସ୍ପିଟାଲକୁ ଆସିଲା କରୋନା । ଗତ ଜୁନ୍ ୧୯ତାରିଖରେ ଗଂଜାମର ଜଣେ କ୍ୟାନସର ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏହାର ୬ଦିନ ପରେ ୨୪ତାରିଖରେ ତାଙ୍କ ଦେହରେ ପଜିଟିଭ ଚିହ୍ନଟ ହେଲା । ସେତେବେଳକୁ ଏହି ରୋଗୀ ଜଣକ ୪୨ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ଏମାନଙ୍କର ସ୍ୱାବ ନମୂନା ପରୀକ୍ଷା ପାଇଁ ପଠାହେଲା । ଏହାର ୬ଦିନ ପରେ ୨ଜଣ ନର୍ସଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେଲା । ଆଉ ୩ଦିନ ପରେ ଜଣେ ଆହାର କେନ୍ଦ୍ର କର୍ମଚାରୀ ଓ ଜଣେ ଇଲେକ୍ଟ୍ରିସିଆନ, ଦୁଇ ଜଣ ଆଟେନଡେଂଟ, ଜଣେ ସମାଜ କର୍ମୀ ପଜିଟିଭ ଚିହ୍ନଟ ହେଲେ । ଏହାପରେ ଗୁରୁବାର ରାତିରେ ୫୫ଜଣଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହେଲା । ଏବେ ଯାଏଁ ହସ୍ପିଟାଲରୁ ୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର