ବଲାଙ୍ଗୀରରେ କରୋନା: ଘଣ୍ଟାଘଣ୍ଟା ପଡ଼ି ରହୁଛି ଶବ, କାନ୍ଦବୋବାଳିରେ ଫାଟି ପଡୁଛି ଡାକ୍ତରଖାନା

ବଲାଙ୍ଗୀର : ଧୀରେ ଧୀରେ କରୋନାର କରାଳ ରୂପକୁ ସମସ୍ତେ ଦେଖୁଛନ୍ତି। ଜଣେ ପରେ ଜଣେ ଆକ୍ରାନ୍ତ ହୋଇ ଗୁରୁତର ହେଉଛନ୍ତି। ପ୍ରତ୍ୟହ ଶହ ଶହ ସଂଖ୍ୟାରେ ନୂଆ ସଂକ୍ରିୟ ଆକ୍ରାନ୍ତ। ପ୍ରଶାସନ ସୂଚନା ଦେଲେ ନୂଆ ନୂଆ ଗାଁଗୁଡ଼ିକର ନାଁ ଆସିବାରେ ଲାଗିଛି। ଆଉ ସହରଗୁଡ଼ିକରେ ବି ପଜିଟିଭ୍‌ ସଂଖ୍ୟା ହୁହୁ ହୋଇ ବଢୁଛି। ଡାକ୍ତରଖାନାରେ କରୋନା ପରୀକ୍ଷା କରାଇବାକୁ ଭିଡ଼। ପଜିଟିଭ୍‌ କରୋନା ରୋଗୀଙ୍କ ଭିଡ଼ ବି କିଛି କମ ନାହିଁ। ଏଭଳି ସ୍ଥିତିରେ ଏବେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ରୋଗୀ ଦହଗଞ୍ଜ ହେଉଛନ୍ତି। କିଏ ଶଯ୍ୟା ପାଇଁ ହଇରାଣ ହରକତ ତ ଆଉ କିଏ ବିଳମ୍ବରେ ଚିକିତ୍ସା ପାଉଛନ୍ତି। ଏପଟେ ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ହେଲେ ଡାକ୍ତରଖାନା ଭିତରେ ଓ ବାହାରେ ଘଣ୍ଟାଘଣ୍ଟା ଧରି ଶବ ପଡ଼ି ରହୁଛି। ଆଉ ରୋଗୀ ସଂପର୍କୀୟଙ୍କ କାନ୍ଦବୋବାଳିରେ ଡାକ୍ତରଖାନା ପରିସର ଫାଟି ପଡୁଛି।

ବଲାଙ୍ଗୀର ଜିଲ୍ଲାରେ ଏପ୍ରିଲ ମାସରୁ କରୋନା ଡରାଇବା ଆରମ୍ଭ କରିଥିଲା। ଦେଖୁଦେଖୁ ନୂଆ ପଜିଟିଭ୍‌ଙ୍କ ସଂଖ୍ୟା ପ୍ରତ୍ୟହ ଦୁଇଶହ ଉପରକୁ ଡିଆଁ ମାରିଥିଲା। ଦିନେ ଦୁଇଦିନ କମିଥିଲା। ଆଉ ଗତ ଏକ ସପ୍ତାହ ହେଲାଣି କେଉଁଦିନ ଚାରିଶହ ତ ଆଉ କେଉଁଦିନ ତିନିଶହରୁ ଉପରେ ସଂଖ୍ୟା। ପଜିଟିଭ୍‌ ସକ୍ରିୟ ରୋଗୀ ସଂଖ୍ୟା ଜିଲ୍ଲାରେ ଏବେ ପ୍ରାୟ ଅଢ଼େଇ ହଜାର। ଗୁରୁତର ରୋଗୀଙ୍କ ପାଇଁ କେବଳ ବଲାଙ୍ଗୀର ସଦର ମହକୁମାର ଡାକ୍ତରଖାନା। ଏଠାରେ ରୋଗୀଙ୍କ ସଂଖ୍ୟା ଯେତିକି ବଢୁଛି ମୃତ୍ୟୁ ବି ସେତିକି ବଢ଼ିଚାଲିଛି। ଡାକ୍ତରଖାନାରେ କର୍ମଚାରୀ ଅଭାବରୁ ଚାରିଆଡ଼େ ଘଣ୍ଟା ଘଣ୍ଟା ଧରି କୋଭିଡ ରୋଗୀଙ୍କ ଶବ ବି ପଡ଼ି ରହିଥିବା ଦେଖିବାକୁ ମିଳିଲାଣି।

ଗୁରୁବାର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାର ପ୍ରସୂତି ଓ ସ୍ତ୍ରୀ ରୋଗ ଏବଂ ଶିଶୁ ରୋଗ ବିଭାଗ ସାମ୍ନାରେ କଳା ପଲିଥିନରେ ଗୁଡ଼ାହୋଇ ଦୁଇଜଣ କୋଭିଡ ରୋଗୀଙ୍କ ଶବ ପଡି ରହିଥିଲା। ଠିକ୍‌ ସେମିତି କୋଭିଡ ଆଇସୋଲେସନ ୧ନଂ ୟୁନିଟରେ ଆଉ ଦୁଇଟି ଶବ ପଡ଼ିରହିଥିଲା। ଡାକ୍ତରଖାନାର ଏକ ମହାପ୍ରୟାଣ ଗାଡ଼ି ଭିତରେ ବି ଗୋଟିଏ ଶବ ଲଦା ହୋଇଥିଲା। ଶବଗୁଡ଼ିକ ଟିଟିଲାଗଡ଼, ପୁଇଁତଲା ବ୍ଲକ୍‌ ଅଂଚଳରୁ ଆସିଥିବା ରୋଗୀମାନଙ୍କର ବୋଲି ବୁଝାବୁଝିରୁ ଜଣାପଡ଼ିଲା। କାନ୍ଦବୋବାଳିରେ ଡାକ୍ତରଖାନା ପରିସର ଫାଟି ପଡୁଥିଲା। କର୍ମଚାରୀ ଓ ଗାଡ଼ି ଅଭାବରୁ ଶବଗୁଡ଼ିକ ଯାଇପାରୁ ନଥିବା ବେଳେ ଏଭଳି ଘଣ୍ଟାଘଣ୍ଟା ଧରି ପଡ଼ି ରହିଥିବା ଜଣାପଡ଼ିଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଶବ ସତ୍କାର ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଆନୁଷଙ୍ଗିକ ସୁବିଧା ସୁଯୋଗର ଅଭାବ ଯୋଗୁଁ ଅଧିକାରୀ କିଛି କରିପାରୁ ନାହାନ୍ତି। ଡାକ୍ତରଖାନା କର୍ତ୍ତୃପକ୍ଷ କର୍ମଚାରୀ ଓ ଗାଡ଼ି ଅଭାବ କଥାକୁ ସ୍ୱୀକାର କରିଥିଲେ ବି ୱାର୍ଡ ବାହାରେ ବହୁ ସମୟ ଶବ ପଡ଼ିରହିବା କାରଣରୁ ଅନ୍ୟ ଗୁରୁତର ରୋଗୀଙ୍କ ମନରେ ଏହାର ପ୍ରଭାବ ପଡୁଥିବା ରୋଗୀ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ଏନେଇ ହସପିଟାଲ ଅଧୀକ୍ଷକ ଡା. ମହେନ୍ଦ୍ର ନାୟକଙ୍କ କହିବା ହେଲା, ଶବସତ୍କାର ପାଇଁ ଗାଡ଼ି ମହଜୁଦ ରହୁଛି। ଘଣ୍ଟା ଘଣ୍ଟା ଧରି ଶବ ପଡ଼ି ରହିବା ମୋ ନଜରରେ ନାହିଁ। କେଉଁଠିକୁ ଯଦି ଗାଡ଼ି ଯାଇ କାମରେ ଥିବ ତାହେଲେ ବିଳମ୍ବ ହୋଇଥାଇପାରେ ବୋଲି ସେ କହିଛନ୍ତି।

ଅକ୍ସିଜେନ ଥାଇ ରୋଗୀ ଛଟପଟ
ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଅକ୍ସିଜେନର ଅଭାବ ରହୁନି। ହେଲେ ନିୟମିତ ସମୟ ବ୍ୟବଧାନରେ ଅକ୍ସିଜେନ ସିଲିଣ୍ଡର ବଦଳାଇବା କିଂବା ରୋଗୀମାନଙ୍କୁ ନଜରରେ ସବୁବେଳେ ରଖିବାକୁ ଉପଯୁକ୍ତ କର୍ମଚାରୀଙ୍କ ଅଭାବ ରହୁଛି। ଏଣୁ ଗୁରୁତର ରୋଗୀ ଅକ୍ସିଜେନ ଥାଇ ବି ଛଟପଟ ହେଉଥିବା ଘଟଣା ନଜରକୁ ଆସିବାରେ ଲାଗିଛି। ଏକ ଭାଇରାଲ ଭିଡିଓରେ ଗୁରୁତର ରୋଗୀଙ୍କ ଅକ୍ସିଜେନ ସରିଯାଇଛି। ଛଟପଟ ହେଉଛି ରୋଗୀ। କିନ୍ତୁ କାହାରି ଅନୁମାନ ନାହିଁ। ହଠାତ୍‌ ରୋଗୀ ସଂପର୍କୀୟ ଜାଣି ପାଟି କରିବା ପରେ ତୁରନ୍ତ ଅକ୍ସିଜେନ ସିଲିଣ୍ଡର ଲଗାଯାଉଛି। ଅଭିଜ୍ଞ କର୍ମଚାରୀଙ୍କ ଅଭାବରୁ ଏଭଳି ଅଭିଯୋଗ ବାରବାର ଆସୁଛି। କର୍ମଚାରୀ ଅଭାବକୁ ଦୂର କରିବାକୁ ଉଦ୍ୟମ ଚାଲିଥିବା କହିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ।

ସମ୍ବନ୍ଧିତ ଖବର