ବଣ୍ଡାଘାଟିରେ କୋରନାର ସ୍ଥିତି; ମୋଟ ୩୪ ସଂକ୍ରମିତଙ୍କ ମଧ୍ୟରୁ ୩ ସକ୍ରିୟ

ମାଲକାନଗିରି: ଦୁର୍ଗମ ତଥା ଅପହଞ୍ଚ ଅଂଚଳରେ ବାସ କରୁଥିବା ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କୁ କରୋନା ଛୁଇଁବା ପରେ ଏବେ ସ୍ଥିତି କଣ ରହିଛି ଆମେ ତାହା ପରଖିଥିଲୁ। ପ୍ରଥମ ଲହରିରେ ପାହାଡିଆ ଆଦିମ ଜନଜାତି ବଣ୍ଡାଙ୍କୁ କରୋନା ଛୁଇଁ ପାରିନଥିବା ବେଳେ ଦ୍ବିତୀୟ ଲହରିରେ କିନ୍ତୁ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ବଣ୍ଡାଘାଟିରେ ସକ୍ରିୟ ରହିଛି କରୋନା। ମୋଟ ୩୪ଟି ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ଏବେ ବି ତିନୋଟି ସକ୍ରିୟ କେଶ ରହିଛି ଘାଟିରେ।

ପ୍ରଶାସନ ପକ୍ଷରୁ ସଚେତନତା ସହ ଟେଷ୍ଟିଂ ଓ ଟିକାକରଣ ଜାରି ରହିଥିବା ବେଳେ ୪୫ ବର୍ଷରୁ ଉର୍ଦ୍ଧ୍ବ ରହିଥିବା ଲୋକଙ୍କୁ ୯୦ ପ୍ରତିଶତ ଟିକାକରଣ କରାଯାଇଥିବା ବେଳେ ୧୮ରୁ ୪୫ର ଲୋକଙ୍କୁ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ ବୋଲି କୁହାଯାଇଛି। କରୋନା ସଂପର୍କରେ ଅଜଣା ଥିବା ବଣ୍ଡା ସଂପ୍ରଦାୟର ଲୋକେ ସଚେତନତା ପରେ ଅନେକ ଲୋକ କଟକଣା ମାନୁଥିବା ବେଳେ ଏବେ ବି ଅମାନିଆ ରହିଛନ୍ତି ଘାଟିରେ।

ମାଲକାନଗିରି ଜିଲ୍ଲାର ପାହାଡ ଉପରେ ବସବାସ କରୁଥିବା ଆଦିମ ଜନଜାତି ବଣ୍ଡାଙ୍କୁ ପ୍ରଥମ ଲହର ଛୁଇଁ ପାରିନଥିବା ବେଳେ ଏବେ ଦ୍ବିତୀୟ ଲହର କିନ୍ତୁ ବଣ୍ଡାଙ୍କ ପିଛା ଛାଡୁନି। ମେ ମାସ ୧୫ ତାରିଖ ଦିନ ବଣ୍ଡାଘାଟିରେ ପ୍ରଥମେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୩୪କୁ ପହଞ୍ଚିଛି।୩୧ ଜଣ ସୁସ୍ଥ ହୋଇଥିବା ବେଳେ ୩ ଆକ୍ରାନ୍ତ ହୋଇ ହୋମ ଆସୋଲେସନରେ ରହିଛନ୍ତି। ମେ ମାସ ୧୫ରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପରତା ଦେଖାଇଥିଲା ପ୍ରଶାସନ।

ଆନ୍ଧ୍ର ସୀମାକୁ ସିଲ କରିବା ସହ ଲୋକଙ୍କୁ ସଚେତନ  କରାଇବା ସହ,ଟେଷ୍ଟିଂ ଓ ଚିକିତ୍ସା ଯୋଗାଇ ଆସୁଛି।ଇତିମଧ୍ୟରେ ୮ ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ କରୋନା ଟେଷ୍ଟିଂ କରାଯାଇଥିବା ବେଳେ ୪୫ ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ୨ ହଜାର ଲୋକଙ୍କୁ ଟିକାକରଣ କରାଯିବାକୁ ଥିବା ବେଳେ ଏବେ ସୁଦ୍ଧା ୯୦ ପ୍ରତିଶତ ଟିକାକରଣ କରାଯାଇଛି।ସେହିପରି ୧୮ରୁ ୪୫ ବର୍ଷ ବୟସ୍କ ୪ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକାକରଣ କରାଯିବାକୁ ଥିବା ବେଳେ ଆଜି ଠାରୁ ଟିକାକରଣ ଆରମ୍ଭ ହୋଇଛି।ଆଜି ପ୍ରାୟ ୨୦୦ ଜଣଙ୍କୁ ଟିକାକରଣ କରାଯାଇଥିବା ଡାକ୍ତର ଦେବବ୍ରତ ବାରିକ ପ୍ରକାଶ କରିଛନ୍ତି।

ସ୍ବେଚ୍ଛାସେବୀ,ପ୍ରଶାସନ ପରି ଅନେକ ଟିମ ପକ୍ଷରୁ କରୋନା କଟକଣାକୁ ନେଇ ସଚେତନତା ମାସ୍କ ବଣ୍ଟନ ପରି କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ବଣ୍ଡାମାନଙ୍କୁ ସଂପୂର୍ଣ୍ଣ ସଚେତନତା କରାଯାଇପାରି ନାହିଁ।ଅନେକ ଲୋକ ମାସ୍କ ପିନ୍ଧିବା ସାମାଜିକ ଦୂରତା ବଜାୟ ରଖିବା ନିୟମକୁ ପାଳନ କରିଆସୁଥିବା ବେଳେ ଏବେ ବି କିଛି ବଣ୍ଡା ସଂପ୍ରଦାୟର ଲୋକେ ମାନୁ ନଥିବାର ଦେଖିବାକୁ ମିଳିଛି।ଦ୍ବିତୀୟ ଲହରରେ ଘାଟିରେ କରୋନା ଛୁଇଁବା ପରେ ପ୍ରଥମେ ଭୟଭିତ ହୋଇପଡିଥିଲେ ବଣ୍ଡା ସଂପ୍ରଦାୟର ଲୋକେ।ପରେ ଖଇରପୁଟର ଡାକ୍ତର ଦେବବ୍ରତ ବାରିଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ ଚିକିତ୍ସା ପାଇଁ ସେଠାରେ ପହଞ୍ଚିବା ଏବଂ ସଚେତନତା ପରେ ବଣ୍ଡାଙ୍କ ମନରୁ ଦୁର ହୋଇଥିଲା କରୋନା ଭୟ।ଏହାପରେ ବଣ୍ଡା ସଂପ୍ରଦାର ଲୋକେ ସହଯୋଗ କରିଥିଲେ ପ୍ରଶାସନିକ ଅଧିକାରୀଙ୍କୁ।ଆଗାମୀ ଦିନରେ ମଧ୍ୟ ପ୍ରଶାସନ ଲୋକଙ୍କୁ ସଚେତନତା ଜାରି ରଖିବା ସହ ଉତ୍ତମ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ରହିଛି।ନଚେତ ଏହା ଆଗକୁ ମାରାତ୍ମକ ରୂପ ନେଇପାରେ।

 

ସମ୍ବନ୍ଧିତ ଖବର