କରୋନା କବଳରେ କଅଁଳ କଢି !ବଢୁଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ଗତକାଲି ଝାରସୁଗୁଡ଼ା ଜିଲ୍ଲାରେ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ ହୋଇଥିବା ଖବର ହସ୍ତଗତ ହୋଇଛି। ଜଣଙ୍କର ବୟସ ମାତ୍ର ୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୫ ବର୍ଷ। ରାଜ୍ୟରେ କ୍ରମଶଃ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ୱେବସାଇଟରେ ଥିବା ତଥ୍ୟ ଅନୁସାରେ ଏ ଯାବତ୍ ୦ରୁ ୧୪ ବର୍ଷ ବୟସ୍କ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬। ତେବେ ଝାରସୁଗୁଡ଼ା ଜିଲ୍ଲାର ୨ଶିଶୁ ଏହି ପରିସଂଖ୍ୟନରେ ଅନ୍ତର୍ଭୁକ୍ତ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଗତମାସ ୩୦ ତାରିଖରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଯାଜପୁର ଜିଲ୍ଲରୁ ଏକାବେଳକେ ୩ ଶିଶୁ ସଂକ୍ରମିତ ହେବା ଖବର ଆସିଥିଲା। ଏହି ତିନି ଶିଶୁଙ୍କ ମଧ୍ୟରେ ଜଣେ ୩ ବର୍ଷର ବାଳିକା ଥିବା ବେଳେ ଅନ୍ୟ ଦୁଇ ଜଣ ଯଥାକ୍ରମେ ୩ ବର୍ଷ ଓ ୧୨ ବର୍ଷ ବୟସର ବାଳକ ଥିଲେ । ଏହି ୩ ଶିଶୁ କୋଲକାତା ଫେରନ୍ତା ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଆକଳନ କରାଯାଇଥିଲା। ଉତ୍ସାହର ବିଷୟ ହେଲା, ରାଜ୍ୟର ଶିଶୁ ଆକ୍ରାନ୍ତମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ଏଯାବତ୍ ରାଜ୍ୟରେ  ଚିହ୍ନଟ ୧୧୮୯ କରୋନା ପଜିଟିଭଙ୍କ ମଧ୍ୟରୁ ୧୫ରୁ ୪୦ ବର୍ଷର ୭୭୦ ଜଣ ଥିବାବେଳେ ୪୧ରୁ ୬୦ ବର୍ଷର ୩୨୬ ଜଣ ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ୫୭ ଜଣ ଚିହ୍ନଟ ହୋଇଛନ୍ତି |  ସେହିପରି ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫୧ ଜଣ ପୁରୁଷ ଥିବାବେଳେ ୧୩୮ ଜଣ ମହିଳା ରହିଛନ୍ତି | ତେବେ ଶିଶୁମାନେ କରୋନା ଭାଇରସକୁ ଭଲ ମୁକାବିଲା କରିପାରୁଛନ୍ତି । ଓଡ଼ିଶାରେ ଏହା ପ୍ରମାଣିତ ହୋଇଛି । ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହି କଥା କହିଥିଲେ |

ସମ୍ବନ୍ଧିତ ଖବର