ଗଞ୍ଜାମରେ କରୋନାର ତାଣ୍ଡବ: ପୁଣି ୩ ମୃତ, ୨୩୦ ପଜିଟିଭ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ତାଣ୍ଡବ ଲୀଳା ଚଳାଇଛି। ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁହାର ମଧ୍ୟ ଚିନ୍ତାଜନକ ଭାବେ ବଢ଼ିବା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇସାରିଲାଣି। କାରଣ ଦିନକୁ ଦିନ ଜିଲ୍ଲାରେ କରୋନା ସ୍ଥିତି ସୁଧୁରିବା ବଦଳରେ ଉଗ୍ର ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଆଜି ଜିଲ୍ଲାରେ ପୁଣି ଦିନକରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମଧୁମେହରେ ପୀଡ଼ିତ ୫୬ ବର୍ଷୀୟ ଜଣେ ବ୍ୟକ୍ତି, ଜଣେ ୫୦ ବର୍ଷୀୟ ବ୍ୟକ୍ତି ଏବଂ ମଧୁମେହ ଓ ଉଚ୍ଚରକ୍ତଚାପରେ ପୀଡ଼ିତ ଜଣେ ୬୫ ବର୍ଷୀୟ ବୃଦ୍ଧ ଅଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୪୦କୁ ଛୁଇଁଛି। ଏଥିରୁ ୩୯ଜଣ କରୋନାରେ ଏବଂ ଜଣଙ୍କର ଅଣକୋଭିଡ୍‌ ମୃତ୍ୟୁ ଘଟିଛି।

ସେହିପରି ଆଜି ୨୩୦ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଥିବା ସହ ୧୦୬ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୧୮୫ରେ ପହଞ୍ଚିଛି। ଆଜି ସୁଦ୍ଧା ସମୁଦାୟ ୩୮୬୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ବର୍ତ୍ତମାନ ୧୬୩୯ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। କିନ୍ତୁ ଗତ କିଛି ଦିନ ହେଲା ସଂକ୍ରମଣ ଓ ମୃତ୍ୟୁହାର ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି। ମେ’ ୨ତାରିଖ ଠାରୁ ଜୁନ୍‌ ୩୦ ସୁଦ୍ଧା ୨ ମାସରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟ ମଧ୍ୟରେ ‌‌୧୩୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ହେଲେ ଚଳିତମାସ ୧ ତାରିଖରୁ ଆଜି ସୁଦ୍ଧା ଅର୍ଥାତ୍ ୧୨ଦିନ ଭିତରେ ଜିଲ୍ଲାର ଆଉ ୨୬ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଏହି ସମୟ‌ରେ ଅଧିକ ୨୪୯୪ ଜଣ ସଂକ୍ରମିତ ହୋଇଛନ୍ତି। ଗତ କିଛି ଦିନ ହେଲା ଜିଲ୍ଲାରେ ନୂତନ ପଜିଟିଭ୍‌ଙ୍କ ସଂଖ୍ୟା ୨ଶହ ତଳକୁ ଖସୁନାହିଁ। ରାଜ୍ୟର ୨୧ଟି ଜିଲ୍ଲାରୁ ଆଜି ‌ଦିନକରେ ୫୯୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ଗଞ୍ଜାମରୁ ୨୩୦ଜଣ ଏବଂ ବାକି ୨୦ଟି ଜିଲ୍ଲାରୁ ୩୬୫ ଜଣ ଅଛନ୍ତି।

ଗଞ୍ଜାମରୁ ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ କୋଭିଡ଼୍‌ ଯୋଦ୍ଧା ୬୩ ଜଣ, ରାଜ୍ୟ ବାହାର ଫେରନ୍ତା ୨ ଜଣ ଓ ସ୍ଥାନୀୟ ସଂକ୍ରମିତ ୧୬୫ଜଣ ରହିଛନ୍ତି। ସଂକ୍ରମିତ କୋଭିଡ଼୍‌ ଯୋଦ୍ଧାଙ୍କ ମଧ୍ୟରେ ଆସିକା ଓ ଧରାକୋଟର ୭ଜଣ ଲେଖାଏଁ, ପୋଲସରା ଓ ସୋରଡ଼ାରୁ ୮ଜଣ ଲେଖାଏଁ ରହିଛନ୍ତି। ରାଜ୍ୟ ବାହାର ଫେରନ୍ତା ସଂକ୍ରମିତଙ୍କ ମଧ୍ୟରେ ଛତ୍ରପୁର ଓ ଦିଗପହଣ୍ଡି ଅଞ୍ଚଳର ଜଣେ ଲେଖାଏଁ ରହିଛନ୍ତି।

ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକାର ୩୧ଜଣ, ବ୍ରହ୍ମପୁର ମହାନଗର ନିଗମର ୨୧ଜଣ, ଚିକିଟିର ୧୩ଜଣ, ଖଲ୍ଲିକୋଟର ୧୧ଜଣ, ପୋଲସରାର ୧୦ଜଣ, ବୁଗୁଡ଼ାର ୮ ଜଣ, ଭଞ୍ଜନଗରର ୯ଜଣ, ବେଗୁନିଆପଡ଼ା ଓ ଗଞ୍ଜାମର ୭ଜଣ ଲେଖାଏଁ, ପୁରୁଷୋତ୍ତମପୁର, ଶେରଗଡ଼ ଓ ପାତ୍ରପୁରର ୬ଜଣ ଲେଖାଏଁ, ଦିଗପହଣ୍ଡିର ୪ଜଣ, ଧରାକ‌ୋଟ ଓ ସୋରଡ଼ାର ୩ଜଣ ଲେଖାଏଁ, ବେଲଗୁଣ୍ଠା ଓ କବିସୂର୍ଯ୍ୟନଗରର ୨ଜଣ ଲେଖାଏଁ, ଜଗନ୍ନାଥପ୍ରସାଦ, ରଙ୍ଗେଇଲୁଣ୍ଡା ଓ ସାନଖେମୁଣ୍ଡିରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର