ରାଜ୍ୟର ୯ ଜିଲ୍ଲାରେ କରୋନା : ଭୁବନେଶ୍ବର‌ର ରହିଛନ୍ତି ସର୍ବାଧିକ ଆକ୍ରାନ୍ତ

୮ ଦିନରେ ସୁସ୍ଥ ହେଲେ କଳାହାଣ୍ଡି ଆକ୍ରାନ୍ତ, ୫ ଜିଲ୍ଲାରୁ ସୁସ୍ଥ ହେଲେଣି ୧୩ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟର ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୫୪ ଜଣ ଆକ୍ରାନ୍ତ ୯ଟି ଜିଲ୍ଲା‌ରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ଭୁବନେଶ୍ବର‌ର ରହିଛନ୍ତି। ଅନ୍ୟ ୮ଟି ଜିଲ୍ଲାରେ ଜଣେ କିମ୍ବା ଦୁଇ ଜଣ ଚିହ୍ନଟ ହୋଇଛନ୍ତି। ତେବେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ସୁସ୍ଥ ହୋଇଥିବା ବେଳେ ଏଥିରେ ୫ଟି ଜିଲ୍ଲାର ସଂକ୍ରମିତ ରହିଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କରୋନା ଆକ୍ରାନ୍ତ ହୋଇଥିବା କଳାହାଣ୍ଡି ଜିଲ୍ଲାର ଜଣେ ଆକ୍ରାନ୍ତ ଯୁବକ ଆଜି ସୁସ୍ଥ ହୋଇ ଯାଇଛନ୍ତି। ସେ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କ ନମୁନା ନେଗେଟିଭ୍ ଆସିଛି। ବାହାରିନ୍‌ରୁ ଆସିବା ପରେ ଗତ ଏପ୍ରିଲ ୪ ତାରିଖରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ‌ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଜଣେ ଯୁବକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଏବେ ରାଜ୍ୟରେ ଚିହ୍ନଟ ହୋଇଥିବା ୫୪ କରୋନା ସଂକ୍ରମିତଙ୍କ ମଧ୍ୟରେ ଏବେ ୪୦ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଯାହାକି ସମୁଦାୟ ସଂଖ୍ୟାର ୭୬ ପ୍ରତିଶତ। ଖୋର୍ଧା ଜିଲ୍ଲା ଭୁବନେଶ୍ବରରେ ଚିହ୍ନଟ ୪୧ ଜଣଙ୍କ ମଧ୍ୟରୁ ୩୪ଜଣ ସକ୍ରିୟ ଥିବା ବେଳେ ୭ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀ, ଯାଜପୁର, କଟକ ଜିଲ୍ଲାରୁ ଜଣେ ଲେଖାଏ ଓ ଭଦ୍ରକର ୩ଜଣ ମଧ୍ୟରୁ ୨ଜଣ ସୁସ୍ଥ ହୋଇସାରିଲେଣି। ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ହେଉଛି ୨୨ ପ୍ରତିଶତ। ତେବେ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ କଳହାଣ୍ଡିରେ ୨ଜଣ ଲେଖାଏ ଓ ଢେଙ୍କାନାଳ ଜିଲ୍ଲାରେ ଜଣେ ଏବେ ଚିକିତ୍ସିତ ହେଉଛନ୍ତି। ରାଜ୍ୟର ଏକମାତ୍ର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ରାଜଧାନୀରେ ହୋଇଛି। ସେହିପରି ରାଜ୍ୟରେ ୧୫ବର୍ଷରୁ ୪୦ବର୍ଷ ଭିତରେ ସର୍ବାଧିକ ୨୮ଜଣ ଚିହ୍ନଟ ହୋଇଛନ୍ତି। ଯାହାର ହାର ରହିଛି ୫୨ ପ୍ରତିଶତ। ୪୧ରୁ ୬୦ବର୍ଷ ମଧ୍ୟରେ ୨୪ ପ୍ରତିଶତ ହାରରେ ୧୩ଜଣ, ୧୪ବର୍ଷ ଭିତରେ ୧୫ ପ୍ରତିଶତ ହାରରେ ୮ଜଣ ଓ ୯ ପ୍ରତିଶତ ହାରରେ ୫ଜଣ ୬୦ବର୍ଷରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ୬୫ ପ୍ରତିଶତ ହାରରେ ୩୫ଜଣ ପୁରୁଷ କ‌ରୋନା ସଂକ୍ରମିତ ହୋଇଥିବା ବେଳେ ୩୫ ପ୍ରତିଶତ ହାରରେ ୧୯ଜଣ ମହିଳା ଏଥିରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।

ଅପରପକ୍ଷରେ ରାଜଧାନୀରେ ଚିହ୍ନଟ ହୋଇଥିବା ୪୧ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ସହିଦନଗର ୧, ସତ୍ୟନଗର ୪, ବମିଖାଲ ୧୪, ଝାରପଡ଼ା ୫, ବିଜେବି ନଗର ୧, ବଡ଼ଗଡ଼ ଗାଁ ୧, ୟୁନିଟ-୪ରେ ୩, ୟୁନିଟ୍‌-୫ରେ ୨, ସୂର୍ଯ୍ୟନଗର ୮, କପିଳ ପ୍ରସାଦ ୧, ଜିମ୍‌ଖାନା ପାମ୍‌ ହାଇଟସ୍‌ରେ ଜଣେ ରହିଛନ୍ତି। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୫ଜଣ ସର୍ବାଧିକ ସୂର୍ଯ୍ୟନଗର ରହିଥିବା ବେଳେ ବଡ଼ଗଡ଼ ଗାଁ ଓ ଜିମଖାନା ପାମ ହାଇଟ୍‌ସରେ ଜଣେ ଲେଖାଏକୁ ମିଶାଇ ସମୁଦାୟ ୭ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର