ଓଡ଼ିଶାରେ କରୋନାକୁ ବର୍ଷେ

ତଥାପି ଲଢ଼େଇ ସରିନି; ଭୟ ଯାଇନି, ଆତଙ୍କ ପୁଣି ଫେରୁଛି

ମୁକାବିଲାରେ ଓଡ଼ିଶା ଆଗୁଆ ଥିଲା
ପାଠପଢ଼ା, ଅର୍ଥନୀତି, ଜୀବନଜୀବିକା ବରବାଦ

ଭୁବନେଶ୍ବର : ମାର୍ଚ୍ଚ ୧୫, ୨୦୨୦। ଅର୍ଥାତ୍‌ ଆଜକୁ ଠିକ୍ ବର୍ଷକ ତଳେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ କ୍ୟାପିଟାଲ ହସ୍ପିଟାଲରୁ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ଜଣକ ଇଟାଲି ଫେରନ୍ତା ଥିଲେ।

ଏହା ମଧ୍ୟରେ ବର୍ଷେ ବିତିଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଯାଇ ୩,୩୮,୧୯୨ରେ ପହଞ୍ଚିଲାଣି। ଏଥି‌ରୁ ୩,୩୫,୫୬୯ଜଣ ସୁସ୍ଥ ହୋଇଛନ୍ତି। ୬୫୨ଜଣ ଏବେବି ଆକ୍ରାନ୍ତ ଅଛନ୍ତି। ୧୯୧୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ହେଲେ ରାଜ୍ୟବାସୀଙ୍କ ମନରୁ କରୋନା ଭୟ ଯାଇନି। ଲୋକ ଏବେବି ଏହା ନାଁ ଶୁଣିଲେ ଡରୁଛନ୍ତି।

ରାଜ୍ୟବାସୀ ତାଙ୍କ ଜୀବଦଶାରେ ଏମିତି ଏକ ବର୍ଷକୁ ଦେଖିବେ ବୋଲି କେବେ ସ୍ବପ୍ନରେ ଭାବିନଥିଲେ। ଜୀବନକୁ ବର୍ଷତମାମ୍ କ୍ଷତାକ୍ତ କରିଦେଲା କୋଭିଡ୍‌। ଆର୍ଥିକ ସ୍ଥିତିରୁ ଆରମ୍ଭ କରି ଜୀବନଶୈଳୀ ପର୍ଯ୍ୟନ୍ତ ସବୁ ପ୍ରଭାବିତ ହେଲା। ଲୋକ ରୋଜଗାର ହରାଇଲେ, ସହର ଛାଡ଼ି ଗାଁକୁ ଫେରିଲେ। ପିଲା ସ୍କୁଲ ମାଟି ମାଡ଼ିପାରିଲେନି। ରାଜ୍ୟ ଅର୍ଥନୀତି ଭୁଶୁଡ଼ି ପଡ଼ିଲା। ବାହାର ଦେଶ ଓ ରାଜ୍ୟରୁ ଓଡ଼ିଆ ଫେରିଲେ। ଏଠାରୁ ଅଣଓଡ଼ିଆ ବି ନିଜ ଦେଶ ଓ ରାଜ୍ୟକୁ ପଳାଇଲେ। ସେହିଭଳି ଜୀବନ ଜୀବିକା‌ ଏମିତି ପରିସ୍ଥିତି ସୃଷ୍ଟି କଲା ଯେ ଲୋକ ଅନ୍ୟ ଜଣଙ୍କୁ ଛୁଇଁବାକୁ ଡରିଲେ। ବଞ୍ଚିବା ପାଇଁ ଲଢେଇ ଆରମ୍ଭ ହୋଇଯାଇଥିଲା। ସେପଟେ କରୋନା ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଥିଲା। ହସ୍ପିଟାଲରେ ପହଞ୍ଚିଲା ବେଳକୁ ଲୋକଙ୍କ ପ୍ରାଣବାୟୁ ଉଡ଼ିଯାଉଥିଲା। ଗୋଟିଏ ଗୋଟିଏ ପରିବାରରୁ ଦୁଇ ତିନିଜଣଙ୍କ ଜୀବନ ଚାଲିଗଲା। ବାପ, ପୁଅଙ୍କ ଜୁଇ ଏକାଠି ଜଳିଲା। ଶ୍ମଶାନ ଏହାର ମୂକ ସାକ୍ଷୀ ପାଲଟିଲା। ଜୁଇ ଉପରେ ୪ରୁ ୫ ଶବ ଲଦି ପୋଡ଼ାଗଲା। କରୋନାର ଭୟାବହତା ସତ୍ୟନଗର ଭଳି ରାଜ୍ୟର ସବୁ ଶ୍ମଶାନ ବୟାନ କଲା।

କରୋନା ଯେତେ ଭୟଙ୍କର ହେଉଥିଲା ରାଜ୍ୟ ସରକାରଙ୍କ ମୁକାବିଲା ବି ସେତେ ଶାଣିତ ହୋଇଥିଲା। ଗାଁ ସ୍ତରରୁ ଏହାର ମୁକାବିଲା କରାଯାଉଥିଲା। ସରପଞ୍ଚଙ୍କୁ ଜିଲ୍ଲାପାଳର କ୍ଷମତା ଦେଇ ରାଜ୍ୟ ସରକାର ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ। ଯାହା ହିଁ ପ୍ରକୃତରେ ଓଡ଼ିଶାର ଲଢ଼େଇ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଦେଇଥିଲା। ଓଡ଼ିଶାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଥିଲା।

ମାର୍ଚ୍ଚ ୫ରୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ରାଜ୍ୟ ସରକାର ସବୁଠୁ ଆଗୁଆ ମାର୍ଚ୍ଚ ୧୪ରେ କୋଭିଡ୍‌-୧୯କୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ। କୋଭିଡ୍‌-୧୯ ଓଡ଼ିଶା ରେଗୁଲେସନ୍, ୨୦୨୦ ଆଣି ଏଥିରେ କ୍ୟାବିନେଟ୍ ମୋହର ମାରିଥିଲେ। ଏହିଠାରୁ ହିଁ କରୋନା ସହ ମୁହାଁମୁହିଁ ଲଢେଇ ଆରମ୍ଭ ହୋଇଥିଲା। ରାଜ୍ୟରେ ମାତ୍ର ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାର୍ଚ୍ଚ ୨୧ରୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆରମ୍ଭ କରିଥିଲା ସଟ୍‌ଡାଉନ୍। ଏହାପରେ କେନ୍ଦ୍ର ସରକାର ମାର୍ଚ୍ଚ ୨୨ରୁ ସଟ୍‌ଡାଉନ୍ ଘୋଷଣା କରିଥିଲେ। ଲକ୍‌ଡାଉନ୍ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା।

ବର୍ଷକ ମଧ୍ୟରେ ରାଜ୍ୟ ସରକାରଙ୍କ ସମ୍ମୁଖରେ ବହୁ ଚାଲେଞ୍ଜ ସୃଷ୍ଟି ହୋଇଛି। ସେପ୍ଟେମ୍ବର ୨୫ରେ ରାଜ୍ୟରେ ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୫୬ ଛୁଇଁଥିବା ବେଳେ ଏବେ ଏହା ଦୁଇ ଅଙ୍କ ମଧ୍ୟରେ (୧୪ ତାରିଖ ରିପୋର୍ଟରେ ୭୧ଆକ୍ରାନ୍ତ) ରହୁଛି। ସେପଟେ ଜାନୁଆରି ୧୬ରୁ ସାରା ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଯାଇଛି। ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି, ଆଗ ଧାଡ଼ିର ଯୋଦ୍ଧା, ବରିଷ୍ଠ ନାଗରିକ, ବହୁରୋଗରେ ଆକ୍ରାନ୍ତ ଲୋକଙ୍କୁ ଟିକା ଦିଆଚାଲିଛି। ମେ’ ୧୫ ତାରିଖ ସୁଦ୍ଧା ସମସ୍ତ ବୟସ୍କଙ୍କୁ ଟିକା ଦେବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।

ଦେଶର ବିଭିନ୍ନ ରାଜ୍ୟରେ କରୋନାର ଦ୍ବିତୀୟ ଲହରୀ ଫେରୁଥିବା ବେଳେ ଓଡ଼ିଶା ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତ ଅଛି। ଆଜି ମୁଖ୍ୟମନ୍ତ୍ରୀ ପୁଣି ଥରେ ସତର୍କ କରାଇଛନ୍ତି। ପ୍ରଶାସନକୁ କଟକଣା ଯାଞ୍ଚ ଲାଗି ସଜାଗ ହେବାକୁ ନିର୍ଦେଶ ଦିଆଯାଇଛି।

ଗୋଟିଏ ଧାଡିରେ କହିଲେ, କରୋନାକୁ ନେଇ ଲଢେଇ ବର୍ଷେ ପରେ ବି ଶେଷ ହୋଇନି।

ଉଲ୍ଲେଖଥାଉକି, କୋଭିଡ୍ ସାମଗ୍ରୀ କିଣା ଘଟଣାରେ କେଳେଙ୍କାରୀ ବି ଚର୍ଚ୍ଚାରେ ଥିଲା। ଲୋକାୟୁକ୍ତ ଏହାର ତଦନ୍ତ କରୁଛନ୍ତି। ସେପଟେ ସରକାର ସ୍ବାସ୍ଥ୍ୟ ସଚିବଙ୍କୁ ବଦଲାଇଥିଲେ।

ସମ୍ବନ୍ଧିତ ଖବର