ଭୁବନେଶ୍ବର : ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମଣ କମି ଚାଲିଛି। ଗତ ୧୭ ତାରିଖରୁ କମିବା ଧାରା ଜାରି ରହିଛି। ହେଲେ ରାଜ୍ୟର ୩ଟି ଜିଲ୍ଲା ଏବେ ବି କରୋନାର ତୃତୀୟ ଲହରର ହଟ୍ସ୍ପଟ୍ ପାଲଟିଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦୫୭ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଧା, କଟକ ଓ ସୁନ୍ଦରଗଡ଼ରୁ ୪୦ ପ୍ରତିଶତ ଆକ୍ରାନ୍ତ ବାହାରିଛନ୍ତି। ଯଦିଓ ରାଜ୍ୟରେ ସଂକ୍ରମଣ କମୁଛି, ତଥାପି ବିପଦ ଟଳିନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ କୋଭିଡ୍ ତଳମୁହାଁ ରହିଛି। ଗ୍ରାଫ୍ ତଳକୁ ପହଞ୍ଚିବା ଯାଏ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ। ସଂକ୍ରମଣ ଏବେ ବି ତଳକୁ ଆସିନାହିଁ। ଯେହେତୁ ଓମିକ୍ରନ୍ର ସଂକ୍ରମଣ ହାର ବହୁତ ଅଧିକ, ଆକ୍ରାନ୍ତଙ୍କ ସଂଖ୍ୟା କେବେ ବି ବଢ଼ିପାରେ। ତେଣୁ ସଂକ୍ରମଣ ଗ୍ରାଫ୍ ତଳକୁ ନ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ହେବ ବୋଲି ଡାକ୍ତର ମିଶ୍ର କହିଛନ୍ତି।
ଓମିକ୍ରନ ଜନିତ ତୃତୀୟ ଲହରରେ ଗୁରୁତର ରୋଗୀଙ୍କ ସଂଖ୍ୟା ପୂର୍ବ ଦୁଇ ଲହର ତୁଳନାରେ କମ୍ ରହିଛି। ହେଲେ କିଛି ଦିନ ହେବ, ହସ୍ପିଟାଲରେ ଗୁରୁତର ରୋଗୀଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇଛି। ଗତ ୨୫ତାରିଖ ସୁଦ୍ଧା ରାଜ୍ୟରେ ୫୯୪ଜଣ ଆକ୍ରାନ୍ତ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି, ଯାହାକି ରାଜ୍ୟରେ କୋଭିଡ୍ ଚିକିତ୍ସା ପାଇଁ ଥିବା ଆଇସିୟୁ ଶଯ୍ୟାର ପ୍ରାୟ ୨୦ ପ୍ରତିଶତ। ସେହିପରି ୯୩ ଜଣ ଅତି ଗୁରୁତର ଭାବେ ଭେଣ୍ଟିଲେଟର୍ରେ ଭର୍ତ୍ତି ହୋଇଛନ୍ତି। ଭେଣ୍ଟିଲେଟର୍ରେ ଚିକିତ୍ସା ହେଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା ଅଧିକା ରହିଥିବା କାରଣରୁ ରାଜ୍ୟରେ ଆଗକୁ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।
କରୋନାର ତୃତୀୟ ଲହର ଆରମ୍ଭ ହେବାର ୪ ସପ୍ତାହ ପରେ ଏବେ ମୃତକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଉ ୧୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା ହୋଇଛି। ତୃତୀୟ ଲହରର ଏହା ଦ୍ବିତୀୟ ସର୍ବାଧିକ କରୋନା ମୃତ୍ୟୁ। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି ପାଇଛି।
ରାଜ୍ୟରେ ଦୈନିକ ନମୁନା ପରୀକ୍ଷାରେ ଅସ୍ଥିରତା ପୂର୍ବଭଳି ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧,୬୩୫ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ୮.୨ ପ୍ରତିଶତ ରହିଛି। ଖୋର୍ଧା, କଟକ, ନୟାଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଖୋର୍ଧାରୁ ସର୍ବାଧିକ ୧୧୧୧ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ସୁନ୍ଦରଗଡ଼ ୪୨୯, କଟକ ୪୯୫, ନୟାଗଡ଼ ୨୧୭, ବାଲେଶ୍ବର ୨୦୨, ସମ୍ବଲପୁର ୧୭୯, କଳାହାଣ୍ଡି ୧୪୦, ଜଗତ୍ସିଂହପୁର ୧୨୫, ଅନୁଗୁଳ ୧୧୦, ମୟୂରଭଞ୍ଜ ୧୩୫ ଓ ଷ୍ଟେଟ୍ପୁଲ୍ରୁ ୨୨୫ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୩୬ ହଜାର ୨୨୬ରେ ପହଞ୍ଚିଛି। ଆଜି ରାଜ୍ୟରେ ୧୦,୫୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୩, ୭୦୬କୁ ଖସି ଆସିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧ଲକ୍ଷ ୭୩ ହଜାର ୯୦୭ଜଣ ରୋଗୀ ସୁସ୍ଥ ହୋଇସାରିଲେଣି।