ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରୁ ୩୦ କିମ୍ବା ୩୦ରୁ ୩୦୦କୁ ଯିବା କାହା ହାତରେ ଅଛି ? ରାଜ୍ୟବାସୀଙ୍କ ହାତରେ ଅଛି ବୋଲି କହିଲେ ବାଗଚୀ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ମହାମାରୀର ରୂପ ଧାରଣ କରିଥିବା ନୋଭେଲ୍ କରୋନା ବା କୋଭିଡ୍‌-୧୯ ଏବେ ବି ରାଜ୍ୟରେ ନିୟନ୍ତ୍ରଣାଧୀନ ଅବସ୍ଥାରେ ରହିଛି। ରାଜ୍ୟରେ ଏଯାବତ୍‌ ୪୭୩ଟି କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଥିବା ବେଳେ ଏଥି ମଧ୍ୟରୁ ମାତ୍ର ୩ଟି ରିପୋର୍ଟ ପଜିଟିଭ୍‌ ଆସିଛି। ପଜିଟିଭ୍‌ ରିପୋର୍ଟ ଆସିଥିବା ୩ ଜଣ କରୋନା ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିିର ରହିଛି। ଏହାଛଡ଼ା ରାଜ୍ୟରେ ୫୭ ଜଣ କରୋନା ସନ୍ଦିଗ୍ଧ ଅଛନ୍ତି। ଆଉ ଏମାନେ ସମସ୍ତେ ଏବେ କ୍ୱାରେଣ୍ଟିନ୍‌ ବା ସଙ୍ଗରୋଧରେ ରହିଛନ୍ତି ବୋଲି ଆଜି ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିି ରାଜ୍ୟ ସରକାରଙ୍କର କୋଭିଡ୍‌-୧୯ ପାଇଁ ନିଯୁକ୍ତ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।

ଏଥିସହ ରାଜ୍ୟ ବାହାରୁ ୧୧,୫୭୫ ଜଣ ପ୍ରବାସୀ ରାଜ୍ୟ ମଧ୍ୟକୁ ଆସିଛନ୍ତି ଏମାନଙ୍କ ମଧ୍ୟରେ ୪,୩୦୪ ଜଣ ଅଛନ୍ତି ବିଦେଶ ଫେରନ୍ତା। ଏମାନେ ରାଜ୍ୟବାସୀ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏମାନଙ୍କ ଉପରେ ବିଶେଷ ଦୃଷ୍ଟି ରଖିବାର ଆବଶ୍ୟକତା ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମାତ୍ର ୩ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ଏବେ ବି ସ୍ଥିତି ଆମ ନିୟନ୍ତ୍ରଣରେ ଅଛି। ଆଉ ଏହାକୁ ନିୟନ୍ତ୍ରଣରେ ରଖିବାର ଚାବାକାଠି ରାଜ୍ୟବାସୀଙ୍କ ହାତରେ ରହିଛି। ଖାସ୍‌ ରାଜ୍ୟବାସୀଙ୍କ ପାଇଁ ଏହି ସଂଖ୍ୟ ୩ରେ ହିଁ ସ୍ଥିର ରହିଛି। ଆମମାନଙ୍କରର ସାମାନ୍ୟରୁ ସାମାନ୍ୟତମ ଅସାବଧାନତା ଏହି ସଂଖ୍ୟାକୁ ୩ରୁ ୩୦/ ୩୦ରୁ ୩୦୦/ ପୁଣି ୩୦୦ରୁ ୩୦୦୦ରେ ନେଇ ପହଞ୍ଚାଇବାକୁ ଅଧିକ ସମୟ ନେବ ନାହିଁ। ଏହାକୁ ସମସ୍ତେ ଧ୍ୟାନରେ ରଖି ସମସ୍ତ ପ୍ରକାରର କରୋନା ସତର୍କତା ପକ୍ଷକ୍ଷେପକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ରାଜ୍ୟବାସୀଙ୍କୁ ଆଉଥରେ ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ।

ଦେଶ ଓ ବିଶ୍ୱ ସଂପର୍କରେ ସୂଚନା ଦେବାକୁ ଯାଇ ଶ୍ରୀ ବାଗଚୀ କହିଛନ୍ତି ଯେ ଭାରତରେ ବର୍ତ୍ତମାନ ସୁଦ୍ଧା ୧୨୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗତକାଲି ସୁଦ୍ଧା ବିଶ୍ୱର ୧୯୯ ରାଷ୍ଟ୍ର କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି। ସେହିପରି ୨ଟି ଯାତ୍ରୀବାହୀ ଜାହାଜ ମଧ୍ୟ ସଂପୂର୍ଣ୍ଣ ରୂପେ କରୋନା କବଳିତ ହୋଇଛି। ଗତକାଲି ସୁଦ୍ଧା ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୨୪,୭୫୯ ଥିବା ବେଳେ ଆଜି ଏହା ୭,୮୯,୯୩୬କୁ ବୃଦ୍ଧି ପାଇଛି। ସେହିପରି ଗତକାଲି ସୁଦ୍ଧା ମୃତକଙ୍କ ସଂଖ୍ୟା ୩୪,୦୦୦ ରହିଥିବା ବେଳେ ଆଜି ଏହା ୩୮,୧୦୩କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧିତ ଖବର