ଓଡ଼ିଶାରେ ପ୍ଲାଟୋ ଷ୍ଟେଜରେ ଅଛି କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୫ ଦିନ ହେବ ସଂକ୍ରମଣ ସଂଖ୍ୟା ପାଖାପାଖି ସମାନ ରହୁଛି । ତେଣୁ ଏବେ ସଂକ୍ରମଣ ପ୍ଲାଟୋ ଷ୍ଟେଜକୁ ଆସିଲାଣି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଯାହା ରାଜ୍ୟବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି କରିପାରେ । ପ୍ଲାଟୋ ଷ୍ଟେଜକୁ ଆସିବା ପରେ ସଂକ୍ରମଣ ପରିସଂଖ୍ୟାନ କମିପାରେ । କିନ୍ତୁ ଆଗକୁ କଣ ହେବ ତାହା ଏବେଠୁ ନିର୍ଦ୍ଦିଷ୍ଟ ଭାବେ କହିହେବନି । କିନ୍ତୁ ପଜିଟିଭ ସଂଖ୍ୟା ସ୍ଥିର କିମ୍ବା କମିପାରେ ବୋଲି ଆଶା କରାଯାଉଛି ।

ତେବେ କରୋନା ସଂକ୍ରମଣ ଭିତରେ ଲୋକଙ୍କ ଭିତରେ ସନ୍ଦେହ ହେଉଛି ଯେ ରାଜ୍ୟରେ ଆଇସିୟୁ ବେଡ କମିଯାଉଛି । ଏପରିକି ଲକ୍ଷଣବିହୀନ ଲୋକ ହସ୍ପିଟାଲରେ ଆଡମିଟ ହୋଇ ବେଡ ମାଡି ବସୁଛନ୍ତି । ଯାହାଦ୍ୱାରା ଜଣେ ଗୁରୁତର ରୋଗୀ ଆସିଲେ ମଧ୍ୟ ତାକୁ ବେଡ ମିଳିବାରେ ଅସୁବିଧା ଦେଖାଦେଇପାରେ । ଏହାସତ୍ତେ୍ୱ ମଧ୍ୟ ରାଜ୍ୟରେ ଯଥେଷ୍ଟ ସଂଖ୍ୟାରେ ବେଡ ରହିଛି ଓ ଆଗକୁ ଯଦି ସଂକ୍ରମଣ ବଢେ ତେବେ ସେହି ଅନୁପାତରେ ଭେଣ୍ଟିଲେଟର ମଧ୍ୟ ବଢାଯିବ ବୋଲି କହିଛନ୍ତି ସିବିକେ ମହାନ୍ତି ।

ଅନ୍ୟପଟେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଯେଉଁ ହସ୍ପିଟାଲରେ ବେଡ଼ ଫିଲପ ହେଇ ଯାଉଛି ଅନ୍ୟ ଜିଲ୍ଲାକୁ ରୋଗୀମାନଙ୍କୁ ପଠା ଯାଉଛି । ରାଜ୍ୟରେ ଏବେ ବି ପ୍ରାୟ ୭୦ ପ୍ରତିଶତ ବେଡ଼ ଖାଲି ରହିଛି । ଆମେ ଅକ୍ସିଜେନ ବଳକା ରାଜ୍ୟ । ରାଜ୍ୟରେ ଅକ୍ସିଜେନ ଅଭାବ ନ ହେବ ସେଥିପାଇଁ ସବୁ ସିଲିଣ୍ଡର ଗୁଡିକୁ ଭରି ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର