ପୁରୀ: ପୁରୀରେ ଭୟଙ୍କର ହେଉଛି କରୋନା। ରଥଯାତ୍ରା ସମୟ ଓ ପରେ ସୁରକ୍ଷିତ ଥିବା ସେବକ ସମାଜ ହଠାତ୍‌ ଏବେ କ‌ରୋନା କବଳିତ ହୋଇପଡ଼ିଛନ୍ତି। ସେବକଙ୍କ ଘରେ ଘରେ ଏବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୧୫ ଦିନ ଭିତରେ ପ୍ରାୟ ୨ ଶହରୁ ଅଧିକ ସେବକ କରୋନା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏପରିକି ଜଣକ ପରେ ଜଣେ ସେବକଙ୍କ ମୃତ୍ୟୁ ହେଉଛି। ପୁରୀରେ ମୋଟ ମୃତ୍ୟୁରୁ ୫ ଜଣ ସେବକଙ୍କ ମୃତ୍ୟୁ ହୋଇସାରିଛି। କିଛି ସେବକ ଗୁରୁତର ଅସୁସ୍ଥ ମଧ୍ୟ ରହିଛନ୍ତି। ସେବକଙ୍କ ମଧ୍ୟରେ କରୋନା ବ୍ୟାପିବା ଏବେ ଚିନ୍ତାଜନକ ରହିଛି। ଏଭଳି ସଂକ୍ରମଣ ବ୍ୟାପିଲେ ମହାପ୍ରଭୁଙ୍କ ସେବା ପୂଜାରେ ଗୁରୁତର ସଙ୍କଟ ଉପୁଜିବା ଆଶଙ୍କା ରହିଛି ।

Advertisment

ଏହାସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ୫ରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶ‌ାସନ ଏହାକୁ ଗୁରୁତର ଭାବେ ନେଇ ନାହିଁ। ଏପରିକି ଅଫିସ ଛୁଟି କରାଯାଇ ନ ଥିବାବେଳେ ଏହାକୁ ସାନିଟାଇଜ୍‌ କରାଯାଉ ନ ଥିବାରୁ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ସେବକ ଓ ମନ୍ଦିର ପ୍ରଶାସନ କର୍ମଚାରୀଙ୍କ ମଧ୍ୟରେ କରୋନା ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାରୁ ଏହା ସେବା ପୂଜାରେ ବିରାଟ ପ୍ରଭାବ ପକାଇବାକୁ ଯାଉଛି। ଜିଲ୍ଲା ପ୍ରଶାସନ ଏ କ୍ଷେତ୍ରରେ ଅଧିକ ଯତ୍ନଶୀଳ ହେବା‌ ସହିତ ପୁରୀ ପ୍ରବେଶ ଉପରେ କଟକଣା ଲଗାଇବା ସହିତ ମନ୍ଦିରକୁ ମାସକ ପାଇଁ ନ ଖୋଲିବାକୁ ମଧ୍ୟ ଦାବି ‌ହୋଇଛି।

publive-image image source--long island press

ଶ୍ରୀମନ୍ଦିର ପାଳିଆ ସେବକମାନେ କରୋନା ଆକ୍ରାନ୍ତ ହେବା ପରେ ଏବେ ମହାପ୍ରଭୁଙ୍କ ସେବା ପୂଜାରେ ବିଘ୍ନ ହେବାର ଆଶଙ୍କା ଦେଖାଦେଇଛି। ଶ୍ରୀମନ୍ଦିରରେ ଏମିତି କିଛି ଦୈନନ୍ଦିନ ସେବା ଅଛି, ଯାହାର ବିକଳ୍ପ ସେବକ କେହିନାହାନ୍ତି। ଏଭଳି ସ୍ଥିତିରେ ପ୍ରଶାସନ ସେବକମାନଙ୍କୁ ଅଧିକ ସତର୍କ ଦୃଷ୍ଟିରେ ରଖିବାକୁ ଦାବି ହୋଇଛି। ରଥଯାତ୍ରା ପୂର୍ବରୁ ଓ ପ‌ରେ ସେବକ ଓ ଶ୍ରୀମନ୍ଦିର କମର୍ଚାରୀମାନଙ୍କ ତିନି ତିନି ଥର କୋଭିଡ ପରୀକ୍ଷା କରାଯାଇଥିଲା। ହୋମିଓପାଥି ସ୍ବାସ୍ଥ୍ୟ ଶିବିର ବି ହେଉଥିଲା। ତେବେ ଏ ସବୁ ସତର୍କତା ପଦକ୍ଷେପ ବେକାର ଯାଇଛି। ପ୍ରାୟ ୧୦ ହଜାର କରୋନା ପରୀକ୍ଷା କିଟ ମଧ୍ୟ ବେକାର ହୋଇଛି। ସେବକମାନଙ୍କ ସଙ୍ଗରୋଧ ଓ କୋଭିଡ କେନ୍ଦ୍ରପାଇଁ ରକ୍‌ବେ ଓ ଭକ୍ତ ନିବା‌ସରେ ବ୍ୟବସ୍ଥା ହୋଇଥିଲେ ବି ଏଠାରେ ଉପଯୁକ୍ତ ଚିକିତ୍ସା ସୁବିଧାନାହିଁ। ସେହି ଭଳି ଗୃହ ସଂଗରୋଧ ବ୍ୟବସ୍ଥାକୁ ମଧ୍ୟ ତଦାରଖ କରାଯାଉନାହିଁ। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।