ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ କରୋନା ସଂଖ୍ୟା ହ୍ରାସ ପାଇବାର ନାଁ ନେଉନି। ଗତ କିଛି ଦିନ ହେଲା ଏହି ସଂଖ୍ୟା ସୀମା ଟପିଛି। ଏହି ସଂଖ୍ୟା ଗତକାଲି ୧୪୭ ରହିଥିଲା। ଆଜି ମଧ୍ୟ ଦୈନିକ ଆକ୍ରାନ୍ତ ସଂଖ୍ୟା ଶହେ ପାର୍ ହୋଇଛି। ଆଜି ଜିଲ୍ଲାରୁ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ୨୬ ଜଣ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାର ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୬,୮୩୭ରେ ପହଞ୍ଚିଛି।
ଅପରପକ୍ଷରେ କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ବ୍ୟାପକ ହେବାରେ ଲାଗିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚ ଓ ଜରିମାନା ଆଦାୟ ପ୍ରକ୍ରିୟା ଆଜି ମଧ୍ୟ ଦେଖିବାକୁ ମିଳିଥିଲା। ଆଜି ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ଓ ପୁଲିସ ପ୍ରଶାସନକୁ ନେଇ ଗଠିତ ସ୍ବତନ୍ତ୍ର ସ୍ବାଡ୍ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ। ଏତଦ୍ବ୍ୟତୀତ ସହରର ବିଭିନ୍ନ ଛକରେ ଯାଞ୍ଚ କରାଯାଇଥିଲା। ମାସ୍କ ବ୍ୟବହାର କରୁନଥିବା କିମ୍ବା ସାମାଜିକ ଦୂରତା ବଜାୟ ରଖୁନଥିବା ନିୟମ ଖିଲାପକାରୀଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଥିଲା। ଏହାବାଦ୍, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲି ଏସ୍. ନରୱଣେଙ୍କ ନେତୃତ୍ବରେ ଏକ ଦଳ ବିଭିନ୍ନ ଅଞ୍ଚଳ ବୁଲି ସଚେତନ କରିଥିଲେ। ଏମିତିକି ବ୍ୟାଙ୍କ୍କୁ ଯାଇ ନିୟମର କଡ଼ା ପାଳନ କରିବାକୁ ପରାମର୍ଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/corona-ddd.jpg)