ଆଦିବାସୀ ଅଞ୍ଚଳରେ କରୋନା ମାଡ଼ିଲା, ବିପଦରେ ଡଙ୍ଗରିଆ

ବଣ୍ଡାଘାଟିରେ ୧୨ ପଜିଟିଭ୍‌

ସରପଞ୍ଚଙ୍କ ସହ ୧୯ ସଂକ୍ରମିତ, ଚିନ୍ତାରେ ପ୍ରଶାସନ
ଦିନକରେ ଫାକେରୀରୁ ୧୩ ଆକ୍ରାନ୍ତ ଚିହ୍ନଟ
ସ୍ବାବ୍‌ ଟେଷ୍ଟିଂ ପାଇଁ ଆସିଲେନି, ଖାଉନାହାନ୍ତି ମେଡିସିନ୍

ରାୟଗଡ଼ା/କଲ୍ୟାଣସିଂହପୁର : କରୋନା କବଳରୁ ବର୍ତ୍ତି ପାରିନାହାନ୍ତି ବିରଳ ଜନଜାତି ଡଙ୍ଗରିଆ ସଂପ୍ରଦାୟ। ପୂର୍ବ ଘାଟ ପର୍ବତମାଳାର ନିୟମଗିରରେ ବାସ କରୁଥିବା ୪ଟି ଡଙ୍ଗରିଆ ଗାଁକୁ ଇତିମଧ୍ୟରେ କରୋନା ବ୍ୟାପିଛି। ପାର୍ସାଲି ସରପଞ୍ଚଙ୍କ ସମେତ ଫାକେରୀ, ବୁଡୁଣି, ଟେବାପଡ଼ା, ନିର୍ଗୁଣ୍ଡି ଗ୍ରାମର ୧୯ ଡଙ୍ଗରିଆ ଆଜି ସୁଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଡଙ୍ଗରିଆଙ୍କୁ କରୋନା ଛୁଇଁବା ପରେ ସ୍ଥିତି କି ଭଳି ନିୟନ୍ତ୍ରଣ ହେବ, ଚିନ୍ତାରେ ପ୍ରଶାସନ। କଲ୍ୟାଣସିଂହପୁର ବିଡିଓ କାଳୁ ଚରଣ ନାୟକଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗର ଟିମ୍ ଫାକେରୀ ଗାଁରେ ପହଞ୍ଚି ସ୍ବାବ୍‌ ଟେଷ୍ଟିଂ ପାଇଁ ଡଙ୍ଗରିଆଙ୍କୁ ଡାକିଥିଲା। କିନ୍ତୁ ଭୟରେ ଅଧିକାଂଶ ଡଙ୍ଗରିଆ ଟେଷ୍ଟିଂ ପାଇଁ ଆସିନଥିଲେ। ମାତ୍ର ୧୬ ଜଣଙ୍କର ସ୍ବାବ ଟେଷ୍ଟିଂ କରିବାରେ ସ୍ବାସ୍ଥ୍ୟ ବିଭାଗ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

କଲ୍ୟାଣସିଂହପୁର ବ୍ଲକର ୩୬ଟି ଗାଁରେ ୩ ହଜାରରୁ ଉର୍ଦ୍ଧ୍ବ ଡଙ୍ଗରିଆ ବସବାସ କରୁଛନ୍ତି। ଦୈନିକ ବଜାର, ହାଟରେ ଉତ୍ପାଦିତ ଫସଲକୁ ବିକ୍ରି କରି ଡଙ୍ଗରିଆ ଜୀବିକା ନିର୍ବାହ କରୁଛନ୍ତି। କରୋନା ସଂକ୍ରମଣ ବଢ଼ିବା ପରେ ପ୍ରଶାସନ ପକ୍ଷରୁ କଲ୍ୟାଣସିଂହପୁର ବ୍ଲକର ମାଝିଗୁଡ଼ା, କଲ୍ୟାଣସିଂହପୁରକୁ ସାପ୍ତାହିକ ହାଟକୁ ବନ୍ଦ କରି ଦିଆଯାଇଛି। ଫ‌ଳରେ କଲ୍ୟାଣସିଂହପୁର ଦୈନିକ ବଜାରକୁ ଆସି ଡଙ୍ଗରିଆ ଉତ୍ପାଦିତ ଫସଲକୁ ବିକ୍ରି କରି ଘରକୁ ଫେରୁଛନ୍ତି। ଦୈନିକ ବଜାରରେ କିଣାବିକା କରିବା ସମୟରେ ହିଁ ଡଙ୍ଗରିଆ କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରଶାସନ ଅନୁମାନ କରିଛି। ସଚେତନତା ଅଭାବ ସାଙ୍ଗକୁ ଏହି ସଂପ୍ରଦାୟର ଲୋକେ ଗୋଷ୍ଠୀଗତ ଭାବେ ଛୋଟ ଛୋଟ ଘରେ ରହୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ କରୋନାରୁ ଡଙ୍ଗରିଆଙ୍କୁ ରକ୍ଷା କରିବା ପାଇଁ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ।

କରୋନାର ପ୍ରଥମ ଲହରରେ କୌଣସି ଡଙ୍ଗରିଆ ଆକ୍ରାନ୍ତ ହୋଇନଥିଲେ। ଦ୍ବିତୀୟ ଲହରରେ କିନ୍ତୁ ଏବେ ସୁଦ୍ଧା ୧୯ ଡଙ୍ଗରିଆଙ୍କୁ ଛୁଇଁଲାଣି କରୋନା। ଦ୍ବିତୀୟ ଲହରରେ ଫାକେରୀ ଗାଁରୁ ଜଣେ, ବୁଡୁଣିରୁ ଜଣେ, ଟେବାପଡାରୁ ୩ ଏବଂ ନିର୍ଗୁଣ୍ଡି ଗ୍ରାମରୁ ଜଣେ ଡଙ୍ଗରିଆଙ୍କ ସହ ମୋଟ ୬ ଆକ୍ରାନ୍ତ ହେବା ପରେ ଏବେ ବ୍ୟାପିବାରେ ଲାଗିଛି। ପାର୍ସାଲି ସରପଞ୍ଚ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଶାସନ ଆଜି ଫାକେରୀ ଗାଁରେ ପହଞ୍ଚି ଡଙ୍ଗରିଆଙ୍କ ସ୍ବାବ୍‌ ଟେଷ୍ଟିଂ ପାଇଁ ପଦକ୍ଷେପ ନେଇଥିଲେ। ବିଡିଓ କାଳୁ ଚରଣ ନାୟକ, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପରିଚାଳକ ସଞ୍ଜୟ କୁମାର ସ୍ୱାଇଁ, ସ୍ୱାସ୍ଥ୍ୟ କର୍ମୀ ଶ୍ୟାମସୁନ୍ଦର ମାଝୀ, ଆଶା କର୍ମୀ ଘରକୁ ଘର ବୁଲି ଡଙ୍ଗରିଆଙ୍କୁ ସ୍ବାବ ଟେଷ୍ଟିଂ ପାଇଁ ବୁଝାଇଥିଲେ।

ବଣ୍ଡାଘାଟିରେ ୧୨ ପଜିଟିଭ୍‌
ମାଲକାନଗିରି : କରୋନା ମହାମାରୀର ପ୍ରଥମ ଲହର ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିଙ୍କୁ ଛୁଇଁ ପାରିନଥିଲା। କିନ୍ତୁ ଦ୍ବିତୀୟ ଲହରି ମଧ୍ୟଭାଗରେ ବଣ୍ଡାଘାଟିର ମୋଟ ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଓ ମୁଦୁଲିପଡାରେ ୧୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ପ୍ରଶାସନ ପକ୍ଷରୁ ଟେଷ୍ଟିଂ ଜାରି ରହିଥିବା ବେଳେ କରୋନା କଟକଣାକୁ କିନ୍ତୁ ମାନୁନାହାନ୍ତି ବଣ୍ଡା ସଂପ୍ରଦାୟର ଲୋକେ। ଘାଟିର ଲୋକେ ସୀମାନ୍ତରେ ଥିବା ଆନ୍ଧ୍ରପ୍ରଦେଶର ହାଟଗୁଡିକ ଉପରେ ନିର୍ଭର କରୁଥିବାରୁ ଏହା ଆନ୍ଧ୍ର ଷ୍ଟ୍ରେନ୍ ବୋଲି ଅନୁମାନ କରାଯାଉଛି। ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତ ସଦର ମହକୁମାରେ ଏବେ ସ୍ଥିତି ବିଗିଡିବାରେ ଲାଗିଲାଣି।

ସମଗ୍ର ବଣ୍ଡାଘାଟିରେ ଥିବା ୩୨ଟି ଗ୍ରାମରେ ଏଭଳି ଚିତ୍ର। ପଜିଟିଭ୍‌ ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ମୁଦୁଲିପଡା ପଞ୍ଚାୟତର ୮ ଜଣ ଥିବାବେଳେ ଅଣ୍ଡ୍ରାହାଲ ପଞ୍ଚାୟତର ୪ ଜଣ ରହିଛନ୍ତି। ଆନ୍ଧ୍ର ହାଟ ଉପରେ ନିର୍ଭର କରିବା ଏବଂ ବାହାର ରାଜ୍ୟରେ ଦାଦନ ଖଟି ଘରକୁ ଫେରିବା ସଂକ୍ରମଣର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ବଣ୍ଡାଙ୍କୁ ସଚେତନ କରିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି। ସଂକ୍ରମିତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ କଣ୍ଟାକ୍ଟ ଟ୍ରେସିଂ କରି ଟେଷ୍ଟିଂକୁ ବଢାଇ ଦିଆଯାଇଛି। ଡାକ୍ତରି ଟିମ୍‌ ପହଞ୍ଚି ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ସଚେତନତା ସୃଷ୍ଟି କରାଯାଉଛି। ସଂକ୍ରମିତ ୧୨ ଜଣଙ୍କ ଅବସ୍ଥା ଠିକ୍‌ ରହିଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର