ସଂକ୍ରମଣ ବଢିଲେ କଟକଣା ବଢ଼ାଇବାକୁ ଚିନ୍ତା କରାଯିବ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ତଥ୍ୟକୁ ଆଧାର କରି ପଦକ୍ଷେପ ନେବା ପାଇଁ ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଓଡ଼ିଶାରେ ଆଗୁଆ ସତର୍କତା ନିଆଯାଇଛି । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି | ଏହାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ସର୍ବ ଭାରତୀୟ ସ୍ତରରେ କରୋନା ସଂକ୍ରମଣ ମାମଲା କିଛି ପରିମାଣରେ ବଢୁଛି । ୪ ରୁ ୫ ରାଜ୍ୟରେ ବଢିବାରେ ଲାଗିଛି ।

ମାତ୍ର ଆମ ଓଡିଶାରେ ସ୍ଥିତି ବର୍ତ୍ତମାନ ସୁଦ୍ଧା ସେମିତି ଚିନ୍ତାଜନକ ନୁହେଁ । କିନ୍ତୁ କେବେ ବି ବଢିପାରେ । ତାହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । କ୍ଲଷ୍ଟର ଆଉଟ ବ୍ରେକ ଉପରେ ନଜର ରଖିବା ସହ ଟେଷ୍ଟ ବଢାଇବାକୁ କୁହାଯାଇଛି । ଯଦି ବଢେ, ତା ପୂର୍ବରୁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ମହାମାରୀ ଯାଇନି ରହିଛି, ତେଣୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ତେଣୁ ଲୋକମାନଙ୍କର ସହଯୋଗ ନିହାତି ଆବଶ୍ୟକ । ଯଦି ବଢେ କଟକଣା ବଢାଇବାକୁ ଚିନ୍ତା କରାଯିବ ।

ସମ୍ବନ୍ଧିତ ଖବର