୨୫ଦିନ ପରେ ଖୋର୍ଧାରେ ସଂକ୍ରମଣ ହଜାର ତଳକୁ ଖସିଲା
ଡେଲ୍‌ଟା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ୁଛି-ଜନସ୍ବାସ୍ଥ୍ୟ ନିର୍ଦେଶକ
ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ଟପିଲା

Advertisment

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଗତିରେ ଖସୁଛି କରୋନା। ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହଜାର ଟପୁଥିଲା, ସେସବୁ ଜିଲ୍ଲାରେ ମଧ୍ୟ ସଂକ୍ରମଣ ନିମ୍ନଗାମୀ ରହିଛି। ୨୩ ଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାରକୁ ଖସି ଆସିଛି। ଚଳିତ ମାସ ୭ ତାରିଖରେ ରାଜ୍ୟରେ ଶେଷଥର ଲାଗି ସଂକ୍ରମିତଙ୍କ ସଂଖ୍ୟା ୩୬୭୯ ରହିଥିଲା। ଯଦିଓ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମୁଛି, ମାତ୍ର ମୃତ୍ୟୁହାର ବୃଦ୍ଧି ପାଇଛି। ରାଜ୍ୟରେ ଓମିକ୍ରନ୍‌ ପ୍ରତିଶତ ବଢ଼ିଥିଲେ ହେଁ ଏହା ଶତପ୍ରତିଶତ ଅପସାରଣ କରିବାରେ ସଫଳ ହୋଇନାହିଁ। ଏବେ ବି ଘାତକ ଡେଲ୍‌ଟା ପ୍ରଜାତି ରାଜ୍ୟରେ ନିଜର ପ୍ରଭାବ ବିସ୍ତାର କରିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ ସଂକ୍ରମଣ ଶୀର୍ଷକୁ ଛୁଇଁବାର ମ‌ାସେ ପରେ ମୃତ୍ୟୁ ସଂଖ୍ୟା ବଢ଼ିଥାଏ। ଜାନୁଆରି ମାସରେ ୨ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାହା ତୁଳନାରେ ଆମର ମୃତ୍ୟୁ ସଂଖ୍ୟା ବହୁତ କମ୍ ରହିଛି। ରାଜ୍ୟରେ ଡେଲ୍‌ଟା ଏବେ ବି ରହିଛି। ତେଣୁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବି କମୁଛି। ମାତ୍ର ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଓମିକ୍ରନ୍‌ର ସଂକ୍ରମଣ କ୍ଷମତା ବହୁତ ଅଧିକ। ତେଣୁ କେତେବେଳେ ବି ଏହା ପୁଣି ଫେରିପାରେ। ବର୍ତ୍ତମାନ ଯାହା କଟକଣା ରହିଛି, ତାହା ଲୋକଙ୍କ ଜୀବନଜୀବିକା ଉପରେ ସାମାନ୍ୟତମ ପ୍ରଭାବ ପକାଉନି। ସଂକ୍ରମଣ ଗ୍ରାଫ୍‌ ସଂପୂର୍ଣ୍ଣ ତଳେ ନ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି।

ଅପରପକ୍ଷେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତୃତୀୟ ଲହରର ହଟସ୍ପଟ୍‌ ପାଲଟିଥିବା ଖୋର୍ଧା ଜିଲ୍ଲାରେ ୨୫ ଦିନର ବ୍ୟବଧାନ ପରେ ଦୈନିକ ସଂକ୍ରମଣ ୧ହଜାର ତଳେ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ୬୪୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଚଳିତ ମାସ ୧୮ ତାରିଖରେ ଜିଲ୍ଲାରେ ସର୍ବାଧିକ ୪୩୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଖୋର୍ଧାକୁ ବାଦ୍ ଦେଲେ କଟକ ୨୯୩, ସୁନ୍ଦରଗଡ଼, ୨୩୭, ବାଲେଶ୍ବର ୧୪୧, ମୟୂରଭଞ୍ଜ ୧୪୫, ସମ୍ବଲପୁର ୧୧୫, ନୂଆପଡ଼ା ୧୨୯, ନୟାଗଡ଼ ୧୨୦, କଳାହାଣ୍ଡି ୧୦୭ ଓ ଷ୍ଟେଟ୍‌ପୁଲରୁ ୧୩୬ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୪୯ହଜାର ୨୪୦କୁ ବୃଦ୍ଧି ପାଇଛି।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଜାରି ରହିଛି। ଆଉ ୧୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୪, ଯାଜପୁର, ଗଞ୍ଜାମ ୩ ଲେଖାଏ, ଜଗତସିଂହପୁର ୨, ଭଦ୍ରକ, କଟକ, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼ ଓ ପୁରୀରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୮୬୧୨ରେ ପହଞ୍ଚିଛି। ରାଜ୍ୟରେ ଆଜି ୮୧୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୧ହଜାର ୫୪୬କୁ ବୃଦ୍ଧି ପାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୯ହଜାରକୁ ଖସି ଆସିଛି।