ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିରେକ୍ଟୋରେଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି)ର ନିର୍ଦ୍ଦେଶକ ସିବିକେ ମହାନ୍ତି। ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ ଜଣାପଡ଼ିଛି ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକ୍ ବା ଶୀର୍ଷରେ ରହିପାରେ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଗତ ବର୍ଷ ଅପେକ୍ଷା ଅଧିକ ପରିମାଣରେ ଅକ୍ସିଜେନ ମହଜୁଦ ଥିବା କହିଛନ୍ତି ସିବିକେ ମହାନ୍ତି । ଏହାସହ ସେ କହିଛନ୍ତି ଓଡ଼ିଶା ଭାଗ୍ୟବାନ କାରଣ ଉଭୟ ସରକାରୀ ଓ ବେସରକାରୀସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି । ଏଥିସହ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ବେଡ, ଆଇସିୟୁ ମଧ୍ୟ ପର୍ଯ୍ୟାପ୍ତ ଥିବା କୁହାଯାଇଛି । ୭୧ଟି କୋଭିଡ ହସ୍ପିଟାଲ ରାଜ୍ୟରେ ସକ୍ରିୟ ଥିବା ବେଳେ ୩୧ଟି ଚାଲିଛି । ଏଯାବତ୍ ୨୬ ପ୍ରତିଶତ ବେଡ, ୧୪ ଦଶମିକ ୧୮ ପ୍ରତିଶତ ଆଇସିୟୁ, ୧୦ ପ୍ରତିଶତ ଭେଟିଂଲେଟର ବ୍ୟବହୃତ ହୋଇଥିବା ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ।
ଅନ୍ୟପଟେ ଆଜି ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗଛି କରୋନାର ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ୪ ହଜାର ୮୫୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହା ପୂର୍ବବର୍ତ୍ତୀ ୨୪ ଘଂଟାରେ ୪ ହଜାର ୭୬୧ ନୂଆ ମାମଲା ସାମ୍ନାକୁ ଆସିଥିଲା । ଯାହା ଗତ ସେପ୍ଟେମ୍ବରରେ ଦେଖାଦେଇଥିବା କରୋନାର ସର୍ବାଧିକ ସଂକ୍ରମଣକୁ ଟପି ଯାଇଥିଲା ସେହିପରି ଗତ ୨୪ ଘଂଟା ମଧ୍ୟରେ ୧ ହଜାର୭୪୦ ଜଣ କରୋନାରୁ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଫଳରେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୯୨୭ରେ ପହଂଚିଛି । ଆଜିଯାଏଁ ରାଜ୍ୟରେ ୩ ଲକ୍ଷ ୮୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ ହଜାର ୯୫୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ସରକାର କହିଥିଲେ ୭ଟି ଜିଲ୍ଲାରୁ ମୋଟ୍ ୬୩ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Corona-Pick-Will-Be-on-May-1st_Thumbnail.jpg)