ରାଜ୍ୟରେ ଖସୁଛି କରୋନା ସଂକ୍ରମଣ, ପଜିଟିଭ୍‌ ହାର

ଦିନକରେ ୭୭୨୯ପଜିଟିଭ୍, ୩୯ ମୃତ, ଏବେ ସାଧାରଣ ଶଯ୍ୟାର ୬୧% ଖାଲି

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ନିକଟତର ହୋଇଛି। କରୋନାର ଦ୍ବିତୀୟ ଲହରରେ ମେ’ ମାସ ସବୁଠାରୁ ବିପଦପୂର୍ଣ୍ଣ ଥିବା ବେଳେ ଧୀରେ ଧୀ‌ରେ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ବିଶେଷଜ୍ଞଙ୍କ ମତରେ ଲକ୍‌ଡାଉନ୍‌ ହେବାର ୪ସପ୍ତାହ ପରେ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳିଥାଏ। ଏ ଦୃଷ୍ଟିରୁ ରାଜ୍ୟରେ ଲକ୍‌ଡାଉନ୍‌ର ପ୍ରଭାବ ଆରମ୍ଭ ହୋଇଯାଇଥିବା କୁହାଯାଉଛି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ପଜିଟିଭ୍ ହାରରେ ଧୀରେ ଧୀରେ ସୁଧାର ଆସୁଛି। ଜୁନ୍ ଶେଷ ବେଳକୁ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ଆଶା କରାଯାଉଛି। ରାଜ୍ୟରେ ଏବେ ସାଧାରଣ ଶଯ୍ୟାର ୩୯ ପ୍ରତିଶତ ବ୍ୟବହାର ହେଉଛି। ‌ସମୁଦାୟ ଅକ୍ସିଜେନ୍ ଶଯ୍ୟା ଓ ଭେଣ୍ଟିଲେଟର୍‌ର ୬୦ପ୍ରତିଶତରେ ରୋଗୀ ଅଛନ୍ତି। ତଥାପି ନୂଆ ଜାଗାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି। ରାଜ୍ୟରେ ମୃତ୍ୟୁ ସଂଖ୍ୟା କମିବା ପାଇଁ ଆଉ କିଛି ଦିନ ସମୟ ଲାଗିବ। ଏବେ ବି ଅନେକ ଲୋକ ଆଇସିୟୁ ଓ ଭେଣ୍ଟିଲେଟର୍‌ରେ ରହିଛନ୍ତି ବୋଲି ଡା. ମହାପାତ୍ର କହିଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୮,୬୦୪ କୋଭିଡ ନମୁନା ପରୀକ୍ଷା କରାଯାଇଥିବା ବେଳେ ତହିଁରୁ ୭୭୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ହାର ୧୧ପ୍ରତିଶତ ରହିଛି। ଖୋର୍ଧା ଜିଲ୍ଲାରେ ସଂକ୍ରମଣ ଏବେ ବି ହଜା‌ରେ ଉପରେ ରହିଛି। ଜିଲ୍ଲାରୁ ୧୦୬୨ଜଣ ପଜିଟିଭ୍ ବାହାରିଛନ୍ତି। ସେହିପରି କଟକରୁ ୭୨୦, ଅନୁଗୁଳ ୪୪୯, ମୟୂରଭଞ୍ଜ ୪୪୨, ବାଲେଶ୍ବର ୪୨୬, ରାୟଗଡ଼ା ୩୧୦, ସୁନ୍ଦରଗଡ଼ ୨୭୦, ଜଗତସିଂହପୁର ୨୫୫ ଓ ଷ୍ଟେଟ୍‌ ପୁଲରୁ ୧୮୮ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୯୮ହଜାର ୬୯୯ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ୩୯ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୬ଜଣ ମୃତକ ରହିଛନ୍ତି। ଏହାବାଦ୍ ସୁନ୍ଦରଗଡ଼, ରାୟଗଡ଼ା, ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩ଜଣ ଲେଖାଏଁ, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ ଓ ପୁରୀରୁ ୨ଜଣ ଲେଖାଏଁ, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବଲାଙ୍ଗୀର, ଢେଙ୍କାନାଳ ଓ ଜଗତସିଂହପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୨୯୧୨କୁ ବୃଦ୍ଧି ପାଇଛି।

ରାଜ୍ୟରେ ଶୁକ୍ରବାର ୧୧, ୩୪୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୧,୩୩୨କୁ ହ୍ରାସ ପାଇଛି। ଅପରପକ୍ଷେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭ଲକ୍ଷ ୨୪ହଜାର ୪୦୨କୁ ବୃଦ୍ଧି ପାଇଛି। ରାଜ୍ୟର ଦେବଗଡ଼ ଓ ନୂଆପଡ଼ା ଜିଲ୍ଲା ଏବେ ଗ୍ରିନ୍‌ ଜୋନ୍‌ରେ ରହିଛି। ଦୁଇ ଜିଲ୍ଲାରେ ୫ଶହରୁ କମ୍ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ସେହିପରି ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି ଓ ବଲାଙ୍ଗୀର ଜିଲ୍ଲା ୟେଲୋ-ଜୋନ୍‌ରେ ରହିଛି। ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହଜାରେ ତଳକୁ ରହିଛି।

ସମ୍ବନ୍ଧିତ ଖବର