ରାଜ୍ୟର ସବୁ ଜିଲ୍ଲାକୁ ବ୍ୟାପିଲାଣି କରୋନା ସଂକ୍ରମଣ

ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ସର୍ବାଧିକ, ଦୈନିକ ଆକ୍ରାନ୍ତ ୫ହଜାର ମୁହାଁ

ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ଆକ୍ରାନ୍ତ ଛାଇଗଲେଣି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଦୈନିକ ସଂକ୍ରମଣ ୫ହଜାର ମୁହାଁ ହେଲାଣି। ପ୍ରତିଦିନ ସବୁ ଜିଲ୍ଲାରୁ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ଥିତି ସାଂଘାତିକ ହେଲାଣି। ସବୁ ଜିଲ୍ଲାରେ ହଠାତ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଗଲାଣି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରବିବାର ଦିନ ୪୭୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୪୧୬ଜଣ ୧୮ବର୍ଷରୁ କମ୍‌ ବୟସର ଅଛନ୍ତି। ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୭ରେ ପହଞ୍ଚିଛି। ରେଡ୍‌ ଜୋନ୍‌ରେ ଥିବା ଖୋର୍ଦ୍ଧାରେ ୧୬୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୬୩ରେ ପହଞ୍ଚିଛି। ୟେଲୋ ଜୋନ୍‌ରେ ଥିବା ସୁନ୍ଦରଗଡ଼ରେ ୬୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯୧, ସମ୍ବଲପୁରରେ ରବିବାର ୪୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୯, କଟକରେ ୩୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୯ରେ ପହଞ୍ଚିଛି।

True Nation

କେବଳ ଏହି ୪ଟି ଜିଲ୍ଲା ନୁହେଁ। ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ସବୁଠୁ ଆକ୍ରାନ୍ତ ଛାଇଗଲେଣି। କିନ୍ତୁ ଉଦ୍‌ବେଗଜନକ ସ୍ଥିତିରେ ଉପକୂଳ ଓ ପଶ୍ଚିମ ଓଡ଼ିଶା ଅଛି। ପୁରୀରେ ଆଜି ୧୧୯ଜଣ, ଯାଜପୁରରୁ ୮୩, ଜଗତସିଂହପୁରରୁ ୬୩, ବାଲେଶ୍ବରରୁ ୧୨୩, ମୟୂରଭଞ୍ଜରୁ ୧୧୩,ଗଞ୍ଜାମରୁ ୭୦, ଝାରସୁଗୁଡ଼ାରୁ ୧୫୪, ବଲାଙ୍ଗୀରରୁ ୯୯, ବରଗଡ଼ରୁ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସବୁ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୩୯୨, ୩୪୭, ୧୪୨, ୩୯୨, ୩୩୪, ୨୦୧, ୫୨୬, ୨୩୨, ୨୫୪ରେ ପହଞ୍ଚିଛି।

ସବୁଠୁ ଆଶ୍ବସ୍ତିର ବିଷୟ ଯେ ଏବେ ବି ମାଲକାନଗିରିରେ ୧୦, ବୌଦ୍ଧରେ ୨୧, କନ୍ଧମାଳରେ ୨୩, ଢେଙ୍କାନାଳରେ ୨୯, ଗଜପତିରେ ୬୦, କଳାହାଣ୍ଡିରେ ୬୮, ନୟାଗଡ଼ରେ ୭୮, ନୂଆପଡ଼ାରେ ୮୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏହି ସବୁ ଜିଲ୍ଲାରେ ଏବେ ସୁଦ୍ଧା ବହୁତ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିନି। ହେଲେ ଏହି ସବୁ ଜିଲ୍ଲାରେ ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ବି ଯେପରି ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇବାରେ କିଛି ସମସ୍ୟା ହେବନି ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭୦ହଜାର ୮୬୯ରେ ପହଞ୍ଚିଥିବାବେଳେ ଏହା ଦେଶର ମୋଟ୍ ଆକ୍ରାନ୍ତଙ୍କର ୩.୦୧%। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୩୧ରେ ପହଞ୍ଚିଥିବାବେଳେ ଏହା ଦେଶର ସକ୍ରିୟ ଆକ୍ରାନ୍ତଙ୍କର ୨.୬୬%।

ସମ୍ବନ୍ଧିତ ଖବର