ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ଅନେକ ଜିଲ୍ଲା ଏବେ ବି ସମ୍ବେଦନଶୀଳ

ରାଜଧାନୀରେ ୭ ଚିହ୍ନଟ, ମୟୂରଭଞ୍ଜ‌ରେ ୬ ଛାତ୍ର ପଜିଟିଭ୍

ଭୁବନେଶ୍ବର : ରାଜଧାନୀରେ ହଠାତ୍ କରୋନା ସଂକ୍ରମଣ ବଢ଼ିଯାଇଛି। ଗୋଟିଏ ଦିନରେ ୬ ଜଣ ଚିହ୍ନଟ ହୋଇଛନ୍ତି। ଗତ ୪ ଦିନ ଭିତରେ ଏହି ସଂଖ୍ୟା ହେଉଛି ସର୍ବାଧିକ। ଗତ ୨୦ ତାରିଖରେ ଭୁବନେଶ୍ବରରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କେବଳ ଭୁବନେଶ୍ବର ନୁହେଁ, ନବରଙ୍ଗପୁର, ଅନୁଗୁଳ ଜିଲ୍ଲାରେ ‌ଜଣେ ହେଲେ ବି ଚିକିତ୍ସାଧୀନ ରୋଗୀ ନ ଥିବା ବେଳେ ପୁଣିଥରେ ଏସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସତର୍କ ନ ହେଲେ ପୁଣିଥରେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି।

ଦେଶର ଏକାଧିକ ରାଜ୍ୟରେ କରୋନାର ଦ୍ବିତୀୟ ଲହରି ଆଶଙ୍କା କରାଯାଉଛି। ଏପରିକି କରୋନାର ଏକାଧିକ ନୂତନ ଷ୍ଟ୍ରେନ୍‌ ଚିହ୍ନଟ ହୋଇସାରିଲେଣି। ଏପରିକି ମହାରାଷ୍ଟ୍ରର କିଛି ସ୍ଥାନରେ ପୁଣିଥରେ ଲକ୍‌ଡାଉନ୍ ଆରମ୍ଭ ହୋଇଯାଇଛି। ଏବେ ଅନଲକ୍ ଚାଲିଥିବା ବେଳେ ଅନ୍ୟ ରାଜ୍ୟରୁ ଲୋକମାନେ ଓଡ଼ିଶା ଆସୁଛନ୍ତି। ତେଣୁ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି। ସୁନ୍ଦରଗଡ଼, ସମ୍ବଲପୁର, ଖୋର୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଛି। ତେଣୁ କୌଣସି ସମୟରେ ଏସବୁ ଜିଲ୍ଲାରେ ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯାଇପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ‌େରାକିବା ନିମନ୍ତେ ସରକାର କରୋନା ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ନିର୍ଦେଶ ଦେଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧ଟି ଜିଲ୍ଲାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୮୩୫କୁ ବୃଦ୍ଧି ପାଇଛି। ହେଲେ ‌ଗତ ୧୮ତାରିଖଠାରୁ ରାଜ୍ୟରେ ଜଣେ ହେଲେ ସଂକ୍ରମିତ ପ୍ରାଣ ହରାଇ ନାହାନ୍ତି।

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍‌ ଅଧୀନ ଦେଓପଟା ଆବାସିକ ବିଦ୍ୟାଳୟର ୬ ଜଣ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଖବର ମିଳିଛି। ବିଶୋଇ ସରକାରୀ ଏସ୍ଏସ୍‌ଡି ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରାବାସ ରହିଛି। ଏଠାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ଦେଓପଟା ସେବାଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରହନ୍ତି। ଆଜି ସେବାଶ୍ରମରେ ରହୁଥିବା ୫୨ ଜଣ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା(ଆଣ୍ଟିଜେନ୍‌) ହୋଇଥିଲା। ପରୀକ୍ଷା ବେଳେ ୬ ଜଣ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସମସ୍ତ ସଂକ୍ରମିତ ଛାତ୍ରଙ୍କୁ ସେବାଶ୍ରମର ଛାତ୍ରାବାସରେ ସଂଗରୋଧ ନିୟମ ଅନୁଯାୟୀ ରଖାଯାଇଛି। ସଂକ୍ରମିତ ଛାତ୍ରମାନଙ୍କ ଠାରେ ସଂକ୍ରମଣ ଜନିତ କୌଣସି ଲକ୍ଷଣ ଦେଖାଯାଉ ନଥିବା ଚିକତ୍ସା କରୁଥିବା ଡାକ୍ତରୀ ଟିମ୍‌ କହିଛି।

ସମ୍ବନ୍ଧିତ ଖବର