ନୂଆପଡ଼ାରେ କରୋନା ସଂକ୍ରମଣ ସ୍ଥିତି ଅସମ୍ଭାଳ, ଦିନକରେ ୪୩୨ ଚିହ୍ନଟ

ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲା ଓକିଲ ସଂଘ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଗତ କିଛିଦିନ ହେଲା କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି। ଗତ ଗୋଟିଏ ବର୍ଷ ଭିତରେ କେବେବି ଜିଲ୍ଲା କରୋନା ସଂକ୍ରମଣ ଶୂନ୍ୟ ହୋଇ ନାହିଁ। ପ୍ରତି ଦିନ କିଛିନା କିଛି କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ହେଲେ ଗତ ସପ୍ତାହେ ଭିତରେ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ରବିବାର ୨୨୧ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସୋମବାର ଦିନକରେ ୪୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ଦେଖି ସୋମବାର ନୂଆପଡ଼ା ଓକିଲ ସଂଘ ସଭାପତି ପ୍ରସନ୍ନ ପାଢ଼ୀଙ୍କ ନେତୃତ୍ବରେ ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ ଲକ୍‌ଡାଉନ୍‌ କିଂବା ସଟ୍‌ଡାଉନ୍ କରିବାକୁ ସଂଘ ଜିଲ୍ଲାପାଳଙ୍କୁ ଅନୁ‌ରୋଧ କରିଛି। ଏହା ଉପରେ ଜିଲ୍ଲାପାଳ ସ୍ବଧାଦେବ ସିଂହ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଓକିଲ ସଂଘକୁ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା ଜିଲ୍ଲା ସବୁଜ ଜୋନ୍‌ରେ ରହିଥିଲା। ଏବେ ଏହା ରେଡ଼ଜୋନ୍‌ ହେଲାଣି। ଜିଲ୍ଲାର ସହରାଞ୍ଚଳରେ ଗତବର୍ଷ କରୋନାଜନିତ ମୃତ୍ୟୁ ହାର ବଢ଼ିଥିଲା। ନଭେମ୍ବର ଓ ଡିସେମ୍ବର ବେଳକୁ ସ୍ଥିତିରେ କିଛିଟା ସୁଧାର ଆସିଥିଲା। ଏବେ ଦ୍ବିତୀୟ ଲହରରେ ପରିସ୍ଥିତି ଅସମ୍ଭାଳ ହେଲାଣି। ସତର୍କତା ଅବଲମ୍ବନ ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି। ହେଲେ ନୂଆପଡ଼ା ସହରରେ ଲୋକେ ଆଦୌ ସତର୍କ ହେଉ ନଥିବା ଲକ୍ଷ୍ୟ କରାଯାଉଛି। ସବୁକିଛି ସ୍ବାଭାବିକ ଢଙ୍ଗରେ ଚାଲିଛି। ରାସ୍ତାଘାଟ ସବୁବେଳେ ଟ୍ରାଫିକ ଜାମ୍‌ ରହୁଛି। ଦୋକାନ ବଜାର ତଥା ସର୍ବସାଧାରଣ ସ୍ଥାନରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଅଧିକାଂଶ ଲୋକ ମାସ୍କ ବ୍ୟବହାର କରୁ ନାହନ୍ତି କିଂବା ସାମାଜିକ ଦୂରତା ପାଳନ କରୁ ନାହାନ୍ତି। ଗତ ବର୍ଷ ଛତିଶଗଡ଼ରେ କରୋନା ପ୍ରଭାବ ସେତେଟା ନଥିଲା। ମାତ୍ର ଏବେ ଛତିଶଗଡ଼ରେ ଅଧିକ ସଂକ୍ରମଣ ଦେଖାଗଲାଣି। ନୂଆପଡ଼ା ସହିତ ଛତିଶଗଡ଼ର ସିଧାସଳଖ ସଂପର୍କ ଥିବାରୁ ପ୍ରତିଦିନ ଶହ ଶହ ଲୋକଙ୍କ ଯାତାୟାତା ହେଉଛି। ନୂଆପଡ଼ା ଜିଲ୍ଲାର ରୋଗୀ ପ୍ରାୟ ଛତିଶଗଡ଼ ଉପରେ ନିର୍ଭର କରୁଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବା ଜରୁରି ହୋଇପଡ଼ିଲାଣି।

ନୂଆପଡ଼ା ଜିଲ୍ଲାରେ ଏବେ କରୋନା ରୋଗୀ ଯେଉଁ ମାତ୍ରାରେ ବଢ଼ୁଛନ୍ତି ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ନମିଳିଲେ ଆଗାମୀ ଦିନରେ ପରିସ୍ଥିତ ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଶଙ୍କା ରହିଛି। ଗତବର୍ଷ ବେସରକାରୀ ସ୍ତରରେ କୋଭିଡ୍ ଚିକିତ୍ସା କରାଯାଉଥିଲା। ହେଲେ ଚଳିତ ବର୍ଷ ସରକାର ନିଜେ ସେ ଦାୟିତ୍ବ ନେଇଛନ୍ତି। ମାତ୍ର ଯେତିକି ଚିକିତ୍ସା ସୁବିଧା ମିଳିବା କଥା‌ ସେତିକି ସମ୍ଭବ ହୋଇ ନାହିଁ। କେବଳ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଅତ୍ୟାଧୁନିକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ମାତ୍ର ଅଧିକ ସଂଖ୍ୟକ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ କିଛି ବ୍ୟବସ୍ଥା ନାହିଁ। ଛତିଶଗଡ଼ରେ ପରିସ୍ଥିତି ଅସମ୍ଭାଳ ହୋଇଥିବାରୁ ନୂଆପଡ଼ା ଜିଲ୍ଲା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହି ପରିପେକ୍ଷୀରେ ନୂଆପଡ଼ା ଜିଲ୍ଲାକୁ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ସଟ୍‌ଡାଉନ୍‌ କରିବାକୁ ଦାବି ହେଉଛି। ଜିଲ୍ଲାପାଳଙ୍କୁ ଭେଟିଥିବା ଟିମ୍‌ରେ ସଭାପତି ଶ୍ରୀ ପାଢ଼ୀଙ୍କ ସହ ଉପସଭାପତି ପପୁ ସ୍ବାଇଁ, ସମ୍ପାଦକ ଅଶ୍ବିନୀ ବାଗ, ଆଇନଜୀବୀ ସିତୁ ବୋଧଙ୍କର ପ୍ରମୁଖ ସାମିଲଥିଲେ।

୧୨୫ ଜଣ ସୁସ୍ଥ ହେଲେ
ନୂଆପଡ଼ା ଜିଲ୍ଲାରେ ଗୋଟିଏ ପଟେ କରୋନା ସଂକ୍ରମଣ ଅତି ଭୟଙ୍କର ସ୍ଥିତିକୁ ଗଲାଣି। ଅନ୍ୟପଟେ ସୋମବାର ଆଶ୍ବସ୍ତି କଲା ଭଳି ଏକ ଖବର ମିଳିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂଆପଡ଼ା ଜିଲ୍ଲାର ୧୨୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଟୁଇଟ କରି ସୂଚନା ଦିଆଯାଇଛି। ହେଲେ ଜିଲ୍ଲାରେ ଯେପରି ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ଜିଲ୍ଲା ‌କୋଭିଡ୍ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଶଯ୍ୟା ଅଭାବ ଦେଖା ଦେଲାଣି।

ସମ୍ବନ୍ଧିତ ଖବର