ରାଜ୍ୟରେ ଲକ୍ଷେ ଟପିବ କରୋନା ସଂକ୍ରମଣ

ଦିନକରେ ୧୪ ମୃତ, ୩୨୫୨ ଆକ୍ରାନ୍ତ, ସୁସ୍ଥ ହେଲେ ୭୦ ହଜାରରୁ ଅଧିକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ୧ଲକ୍ଷ ଟପିବ। ଗତ କିଛିଦିନ ଧରି ରାଜ୍ୟର ଦ୍ରୁତ ସଂକ୍ରମଣର ଧାରା ବା ଟ୍ରେଣ୍ଡ୍‌କୁ ଲକ୍ଷ୍ୟ କଲେ ଆସନ୍ତାକାଲି ରିପୋର୍ଟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଯିବା ନେଇ ଆଶଙ୍କା କରାଯାଉଛି। ଗତ ମାର୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତଙ୍କୁ ରାଜଧାନୀରେ ଚିହ୍ନଟ କରାଯାଇଥିଲା। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୮ ହଜାର୮୧୩ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୩୨୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସଂଖ୍ୟା ୯୭୯୨୦ରେ ପହଞ୍ଚିଛି। ଦୁଇଦିନ ଧରି ପଜିଟିଭ୍‌ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା କମ୍ ରହିଥିବାରୁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।

ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦ ହଜାର ଛୁଇଁପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଗତକାଲି ସୁଦ୍ଧା ଓଡ଼ିଶାରେ କରୋନା ସୁସ୍ଥ ହାର ଜାତୀୟ ହାରଠାରୁ ମଧ୍ୟ କମ୍ ରହିଥିବା ରେକର୍ଡ କରାଯାଇଛି। ଆଜି ରାଜ୍ୟରେ ସର୍ବାଧିକ ୧୪ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିରେ ବାଲେଶ୍ବର, ଭୁବନେଶ୍ବର, କଟକ, ଜଗତସିଂହପୁର, ମାଲକାନାଗିରିରୁ ୨ଜଣ ଲେଖାଏଁ, ସୁନ୍ଦରଗଡ଼, ପୁରୀ, ଯାଜପୁର ଓ ବରଗଡ଼ରୁ ‌ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୦ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୧୮୫ଜଣ ପ୍ରାଣ ହରାଇଛନ୍ତି। ଏହାବାଦ୍ ଖୋର୍ଧାରେ ୬୧, ସୁନ୍ଦରଗଡ଼ ୩୪, କଟକ ୩୦, ଗଜପତି ୧୮, ସମ୍ବଲପୁର ୧୪, ପୁରୀ ଓ ନୟାଗଡ଼ରୁ ୧୨ଜଣ ଲେଖାଏଁ, ବାଲେଶ୍ବରରେ ୧୧ଜଣ ଏ ପର୍ଯ୍ୟନ୍ତ ପ୍ରାଣ ହରାଇ ସାରିଲେଣି। ରାଜ୍ୟର ୨୭ ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇଛି।

ଲଗାତାର ଦ୍ବିତୀୟ ଦିନ ଲାଗି ଖୋର୍ଧା ଜିଲ୍ଲାରେ ୭ଶହରୁ ଅଧିକ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଗତ ୨୭ତାରିଖରେ ୭୭୫ ଓ ଗତ ୨୪ଘଣ୍ଟାରେ ୭୬୨ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଧା ଜିଲ୍ଲାରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏପରିକି ଗୋଟିଏ ଜିଲ୍ଲାରେ ଦିନକରେ ଯେତିକି ରୋଗୀ ଚିହ୍ନଟହେଉଛନ୍ତି ତା’ଠାରୁ ଅଧିକ ସଂଖ୍ୟକ ରୋଗୀ ଭୁବନେଶ୍ବରରେ ଚିହ୍ନଟ ହେଉଥିବା ନଜରକୁ ଆସିଛି। ଗତ ୧ ସପ୍ତାହ ଧରି ରାଜଧାନୀରେ ପ୍ରତ୍ୟେକ ଦିନ ୩ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଗତ ୨୪ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୮୭ ସଙ୍ଗରୋଧରୁ ଓ ୧୨୬୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧାରେ ୭୬୨ଙ୍କୁ ବାଦ୍ ଦେଲେ ରାୟଗଡ଼ା ୪୫୦, କଟକ ୩୨୩, ଗଞ୍ଜାମ ୧୬୯, ବରଗଡ଼ ୧୪୬, ପୁରୀ ୧୩୫, ମୟୂରଭଞ୍ଜ ୧୨୩, ନୟାଗଡ଼ ୧୨୦, ସୁନ୍ଦରଗଡ଼ ଓ ‌ଢେଙ୍କାନାଳରୁ ୯୪ ଲେଖାଏଁ, ଯାଜପୁର ୮୩, ବାଲେଶ୍ବର ୭୮, କେନ୍ଦ୍ରାପଡ଼ା ୭୭, ଭଦ୍ରକ ୭୬, ବଲାଙ୍ଗୀର ୬୪, ସମ୍ବଲପୁର ୬୩, ଝାରସୁଗୁଡ଼ା ୫୫, କେନ୍ଦୁଝର ୫୦, ନବରଙ୍ଗପୁର ୪୧, ସୋନପୁର ଓ ବୌଦ୍ଧରେ ୩୮ଜଣ ଲେଖାଏଁ, କୋରାପୁଟ ଓ ନୂଆପଡ଼ରୁ ୨୫ ଲେଖାଏଁ, ମାଲକାନଗିରି ୨୧, ଗଜପତି ୨୦, ଅନୁଗୁଳ ୧୧, ଦେବଗଡ଼ ୭ ଓ କଳାହାଣ୍ଡିରୁ ୨ଜଣଙ୍କୁ ଚିହ୍ନଟ କରାଯାଇଛି।

ରାଜ୍ୟର ସର୍ବାଧିକ ସଂକ୍ରମିତ ତାଲିକାରେ ଗଞ୍ଜାମ ପ୍ରଥମ ସ୍ଥାନରେ ରହିଛି। ଏଠାରୁ ୧୭୪୫୬ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୧୫୪୬୨, କଟକ ୭୭୦୯, ରାୟଗଡ଼ା ୪୬୬୫, ସୁନ୍ଦରଗଡ଼ ୪୩୦୯, ଯାଜପୁର ୩୬୫୨, ବାଲେଶ୍ବର ୩୪୫୯, ପୁରୀ ୩୩୩୬, କୋରାପୁଟ ୩୨୩୯, ମୟୂରଭଞ୍ଜ ୩୦୭୮ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୨୫ଟି ଜିଲ୍ଲାରେ ଏବେ ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି।

ରାଜ୍ୟରେ ୭୦ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଆଜି ଆହୁରି ୨୮୮୮ ରୋଗୀ ସୁସ୍ଥ ହେବା ଫଳରେ ସମୁଦାୟ ‌ସୁସ୍ଥ ରୋଗୀଙ୍କ ସଂଖ୍ୟା ୭୦୧୭୪କୁ ବୃଦ୍ଧି ପାଇଛି। ଆଜି ରାୟଗଡ଼ାରେ ସର୍ବାଧିକ ୪୮୭ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୪୧୦, ଗଞ୍ଜାମ ୨୧୭, କଟକ ୧୮୯, ବଲାଙ୍ଗୀର ୧୭୩, କୋରାପୁଟ ୧୫୧, ମୟୂରଭଞ୍ଜ ୧୪୪, ନୟାଗଡ଼ ୧୩୮, ପୁରୀ ୧୩୪, ବାଲେଶ୍ବର ୧୨୩, ସମ୍ବଲପୁର ୧୧୭, ମାଲକାନଗିରି ୮୧, ସୁନ୍ଦରଗଡ଼ ୭୩, ନବରଙ୍ଗପୁର ୫୬, ଝାରସୁଗୁଡ଼ା ୫୫, ଭଦ୍ରକ ୫୨, ବରଗଡ଼ ୫୧, ଜଗତସିଂହପୁର ୩୫, ଢେଙ୍କାନାଳ ୩୪, କଳାହାଣ୍ଡି ୩୩, ଗଜପତି ୩୦, କେନ୍ଦୁଝର ୨୯, କନ୍ଧମାଳ ୨୧, ସୋନପୁର ୧୫, କେନ୍ଦ୍ରାପଡ଼ା ୧୪, ବୌଦ୍ଧ ୧୦, ଅନୁଗୁଳ ଓ ଯାଜପୁରରୁ ୫ଜଣ ଲେଖାଏଁ ଓ ଦେବଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୨୬,୬୮୩ ସକ୍ରିୟ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର