୨୪ ଘଣ୍ଟାରେ ୫୯୦୧ ଆକ୍ରାନ୍ତ ଚିହ୍ନଟ, ୮ ମୃତ୍ୟୁ
ଫେବ୍ରୁଆରି ୨୮ ଯାଏଁ ବଢ଼ିଲା କେନ୍ଦ୍ର ଗାଇଡ୍ଲାଇନ୍ସ
ଭୁବନେଶ୍ୱର : ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିକି ଟିପିଆର୍ ୧୦ତଳକୁ ଖସି ୯.୩୪%ରେ ପହଞ୍ଚିଛି। ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦୁଇ ଦିନରେ ରାଜ୍ୟରେ ୧୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ତୃତୀୟ ଲହର ଆରମ୍ଭରେ କରୋନା ଜନିତ ମୃତ୍ୟୁ କମ୍ ଥିଲା। ଦିନକୁ ଜଣେ ଦୁଇ ଜଣଙ୍କର ମୃତ୍ୟୁ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଥିଲା। ହେଲେ ଗତ ୧୮ତାରିଖରୁ ହଠାତ୍ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେଉଁ ଦିନ ବି ୪ଜଣରୁ କମ୍ ମୃତ୍ୟୁ ଦର୍ଶାଯାଉନି। ଏପରିକି ଜାନୁଆରି ୨୬ରେ ୧୦ଜଣଙ୍କର ମୃତ୍ୟୁ ଦର୍ଶାଯାଇଥିଲା। ଯାହା ତୃତୀୟ ଲହରରେ ସର୍ବାଧିକ କରୋନା ଜନିତ ମୃତ୍ୟୁ। ପୂର୍ବରୁ ଏହି ଲହରରେ ଦୈନିକ ମୃତ୍ୟୁ ସର୍ବାଧିକ ୭ ଦର୍ଶାଯାଇଥିବା ବେଳେ ଗତକାଲି ଏହା ରେକର୍ଡ କରିଛି। ଆଜି ୮ଜଣଙ୍କର ମୃତ୍ୟୁ ଦର୍ଶାଯାଇଥିବା ବେଳେ ମୋଟ୍ ମୃତକଙ୍କ ସଂଖ୍ୟା ୮୫୫୦ରେ ପହଞ୍ଚିଛି। ଅପରପକ୍ଷେ ବହୁ ମୃତକଙ୍କର ଏବେ ଡେଥ୍ ଅଡିଟ୍ ଚାଲିଥିବାରୁ ଆଗାମୀ ଦିନରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଅଛି।
ସେହିପରି ୨୬ତାରିଖରେ ୬୩୨୦୯ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବା ବେଳେ ୫୯୦୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଅଧିକ ଆକ୍ରାନ୍ତ ୧୪୩୦ଜଣ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାର ଟିପିଆର୍ କମି ୨୦.୯%ରେ ପହଞ୍ଚିଛି। ସୁନ୍ଦରଗଡ଼ରେ ଟିପିଆର୍ ୨୭.୪%, ନୂଆପଡ଼ାରେ ୧୭.୪୭%, ନୟାଗଡ଼ରେ ୧୦.୩୧%, କଳହାଣ୍ଡିରେ ୧୧.୯୮%, କଟକରେ ୧୦.୧୭% ରହିଛି।
/sambad/media/post_attachments/wp-content/uploads/2022/01/covid19test.jpg)
ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨ଲକ୍ଷ ୩୧ହଜାର ୧୬୯ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୫୯,୧୭୦ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି, ୧୧ଲକ୍ଷ ୬୩ହଜାର ୩୯୬ଜଣ ସୁସ୍ଥ ହେଲେଣି।
ଇତିମଧ୍ୟରେ କେନ୍ଦ୍ର ସରକାର କୋଭିଡ୍ ଗାଇଡ୍ଲାଇନ୍ସକୁ ଆସନ୍ତା ମାସ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏସଂପର୍କରେ ସୂଚନା ଦେଇ ଦିଲ୍ଳୀରେ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ କହିଛନ୍ତି ଯେ ଏବେ କୋଭିଡ୍ ସଂକ୍ରମଣ କମୁଥିଲେ ମଧ୍ୟ ୩୪ ରାଜ୍ୟର ୪୦୭ ଜିଲ୍ଲାରେ ପରିସ୍ଥିତି ଚିନ୍ତାଜନକ ରହିଛି। ଏହିସବୁ ଜିଲ୍ଲାରେ ପଜିଟିଭ୍ ହାର ୧୦%ରୁ ଉପରେ ରହିଛି। ଏହିସବୁ ଜିଲ୍ଲା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯିବାର ଆବଶ୍ୟକତା ରହିଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ସେ ଜଣାଇଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ।
କୌଣସି ପରିସ୍ଥିତିରେ କୋହଳ ଆଭିମୁଖ୍ୟ ଗ୍ରହଣଯୋଗ୍ୟ ନୁହେଁ। ସେ କହିଛନ୍ତି ଯେ ଦେଶରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୨ ଲକ୍ଷ ଉପରେ ରହିଛି। ଆରୋଗ୍ୟ ସଂଖ୍ୟା ବଢ଼ୁଛି ଏବଂ ହସପିଟାଲରେ ରୋଗୀ ସଂଖ୍ୟା କମୁଛି। କିନ୍ତୁ ପରିସ୍ଥିତିର ମୁକାବିଲା ଲାଗି ଆମକୁ ଅଧିକ ପଦକ୍ଷେପ ନେବାକୁ ପଡ଼ିବ।