ଦ୍ରୁତ ଗତିରେ ଖସୁଛି ସଂକ୍ରମଣ; ଶୀର୍ଷ ସଂକ୍ରମଣ ପାଇଁ ୩୫ ଦିନ, ଖସିବାକୁ ୨୦ ଦିନ

ଏପ୍ରିଲ ୧୮ ତାରିଖରେ ରାଜ୍ୟରେ ପ୍ରଥମ ଥର ଲାଗି ୪ ହଜାର ସଂଖ୍ୟା ପାର କଲା ସଂକ୍ରମଣ।
୨୨ ମେ’ରେ ସଂକ୍ରମଣ ଶୀର୍ଷ ଛୁଇଁଲା। ଜୁନ୍‌ ୧୧ରେ ୪୮୫୨କୁ ଖସିଲା।

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଆଶାଜନକ ଭାବେ କମିବାରେ ଲାଗିଛି। ଦ୍ବିତୀୟ ଲହରରେ ସଂକ୍ରମଣ ଶୀର୍ଷକୁ ଛୁଇଁବାକୁ ୩୫ ଦିନ ସମୟ ନେଇଥିବା ବେଳେ ସେହି ସ୍ଥାନକୁ ଫେରିବା ଲାଗି ୨୦ଦିନ ସମୟ ନେଇଛି। ଶୀର୍ଷକୁ ଛୁଇଁବା ପ୍ରକ୍ରିୟା ଅପେକ୍ଷା ହ୍ରାସ ପାଇଁ ୧୫ଦିନ କମ୍ ସମୟ ଲାଗିଛି। କ୍ରମାଗତ ଦୁଇ ଦିନ ଧରି ସଂକ୍ରମଣ ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୬୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ପ୍ରଥମ ଲହରରେ ସେପ୍ଟେମ୍ବର ୨୫ରେ ୪୩୫୬ ପଜିଟିଭ୍ ସହ ସଂକ୍ରମଣ ଶୀର୍ଷ ଛୁଇଁଥିଲା। ତେଣୁ ଦ୍ବିତୀୟ ଲହରରେ ୪ ହଜାରକୁ ବେସ୍ ଲାଇନ୍‌ ବା ମାପଦଣ୍ଡ ଭାବେ ଧରାଯାଇପାରେ। ସେ ଦୃଷ୍ଟିରୁ ଦେଖିଲେ ଗତ ଏପ୍ରିଲ ୧୮ତାରିଖରେ ରାଜ୍ୟରେ ପ୍ରଥମଥର ଲାଗି ୪୪୪୫ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ରାଜ୍ୟରେ ଦ୍ରୁତ ଗତିରେ ସଂକ୍ରମଣ ବଢ଼ିଥିଲା। ମେ’ ୨୨ ତାରିଖରେ ରାଜ୍ୟରେ ୧୨,୮୫୨ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ଦ୍ବିତୀୟ ଲହରର ଶୀର୍ଷ ସଂକ୍ରମଣ ଥିଲା। ଏଥିପାଇଁ ସମୁଦାୟ ୩୫ଦିନ ସମୟ ଲାଗିଥିଲା। ଏହା ପରଠାରୁ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବାକୁ ଆରମ୍ଭ କରିବା ସହ ଚଳିତ ମାସ ୧୧ ତାରିଖରେ ୪୮୫୨କୁ ଖସି ଆସିଥିଲା। ଅର୍ଥାତ ଶୀର୍ଷ ସଂକ୍ରମଣଠାରୁ ୪ହଜାର ସ୍ତରକୁ ଖସିବା ଲାଗି ୨୦ଦିନ ସମୟ ଲାଗିଥିଲା।

ଉଲ୍ଲେଖନୀୟ ବିଷୟ ହେଉଛି ଯେ ରାଜ୍ୟରେ ସଂକ୍ରମଣ ବୃଦ୍ଧି କିମ୍ବା ହ୍ରାସ ସମୟରେ କୋଭିଡ୍‌ ନମୁନା ପରୀକ୍ଷା ସଂଖ୍ୟା କମି ନାହିଁ। କେବଳ ବାତ୍ୟା ସମୟର କିଛି ଦିନକୁ ବାଦ୍ ଦେଲେ ଏହା ଦୈନିକ ୬୭ରୁ ୭୦ହଜାର ଭିତରେ ରହିଛି। ତେଣୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଅପେକ୍ଷା ଦ୍ରୁତ ବେଗରେ ହ୍ରାସ ପାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ରାଜ୍ୟ ସରକାର ‌ଏବେ ଯେତିକି ସଂଖ୍ୟକ ନମୁନା ପରୀକ୍ଷା ହେଉଛି, ଏହି ସଂଖ୍ୟାକୁ ଆଗକୁ ମଧ୍ୟ ଜାରି ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେଣୁ ଚଳିତ ମାସ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ ଆଶାନ‌ୁରୂପ ଭାବେ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।

ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ର କହିଛନ୍ତି, ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଗୋଷ୍ଠୀ ସଂକ୍ରମଣ ଅଧିକ ହୋଇଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ସଂକ୍ରମଣ ହୋଇଥିବା ନଜରକୁ ଆସିଛି। ଅନେକ ଲକ୍ଷଣବିହୀନ କିମ୍ବା ସ୍ପଳ୍ପଲକ୍ଷଣ ଥିବା ବ୍ୟକ୍ତି ପରୀକ୍ଷା ମଧ୍ୟ କରାଇନାହାନ୍ତି। ଜାଣତରେ ହେଉ ବା ଅଜାଣତରେ, ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିଛନ୍ତି। ଫଳରେ ଲୋକମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବା ସହିତ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଆସିଛି। ଏହା ସହ ରାଜ୍ୟରେ ସମାନ୍ତରାଳ ଭାବେ ଟିକାକରଣ ମଧ୍ୟ ଚାଲିଛି। ତେଣୁ ଏଥିରେ ମଧ୍ୟ ଅନେକ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ରାଜ୍ୟରେ ସଂକ୍ରମଣ ହ୍ରାସ ପଛରେ ଏହା ପ୍ରମୁଖ କାରଣ କୁହାଯାଇପାରେ ବୋଲି ଡା. ମହାପାତ୍ର କହିଛନ୍ତି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୬୨,୦୩୪ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୪୪୬୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ବା ଟିପିଆର୍ ୭.୨୦ପ୍ରତିଶତ ରହିଛି। ରାଜ୍ୟରେ ୧୩ଟି ଜିଲ୍ଲାରେ ରାଜ୍ୟ ଅପେକ୍ଷା ଅଧିକ ସଂକ୍ରମଣ ହାର ରହିଛି। ଯାଜପୁରରେ ସର୍ବାଧିକ ଟିପିଆର୍ ୨୦.୮ପ୍ରତିଶତ ଥିବା ବେଳେ ପୁରୀରେ ୧୪.୨ପ୍ରତିଶତ, ବୌଦ୍ଧରେ ୧୧.୬ ପ୍ରତିଶତ, କେନ୍ଦୁଝର ଓ ଢେଙ୍କାନାଳରେ ୧୧.୫ ପ୍ରତିଶତ ଲେଖାଏଁ, ଖୋର୍ଧାରେ ୧୧.୪ ପ୍ରତିଶତ, କଟକରେ ୧୦.୭ ଓ ନୟାଗଡ଼ରେ ୧୦.୧ ପ୍ରତିଶତ ଟିପି୍ଆର୍ ରେକର୍ଡ କରାଯାଇଛି। ରାଜ୍ୟ ସରକାର ଆସନ୍ତା ୧୭ ତାରିଖ ପରେ ଅନଲକ୍ ଆଡ଼କୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏସବୁ ଜିଲ୍ଲା ଏଥିରେ ବାଧକ ସାଜିପାରେ ବୋଲି ଆଶଙ୍କା କରାଯାଉଛି।

ରବିବାର ଦିନ ମଧ୍ୟ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୬୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୪୧୩, ଯାଜପୁର ୩୭୦, ବାଲେଶ୍ବର ୩୧୮, ଢେଙ୍କାନାଳ ୨୫୨, ଅନୁଗୁଳ ୨୨୬, ମୟୂରଭଞ୍ଜ ୨୧୬, ଭଦ୍ରକ ୧୬୫, ରାୟଗଡ଼ା ୧୩୭, ଜଗତସିଂହପୁର ୧୪୦, ନୟାଗଡ଼ ୧୨୮, ନବରଙ୍ଗପୁର ୧୧୮ ଓ ଷ୍ଟେଟ୍‌ ପୁଲରୁ ୧୦୬ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୫୧ହଜାର ୭୮୨କୁ ବୃଦ୍ଧି ପାଇଛି।

ରାଜ୍ୟରେ ରବିବାର ୪୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରେ ସର୍ବାଧିକ ୬, କଟକ ୪, ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ପୁରୀ, ସୁନ୍ଦରଗଡ଼ରେ ୩ ଲେଖାଏଁ, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର, ବରଗଡ଼, ବାଲେଶ୍ବରରେ ୨ ଲେଖାଏଁ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, ନୟାଗଡ଼, ନୂଆପଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୩୩୦୨କୁ ବୃଦ୍ଧି ପାଇଛି।

ରାଜ୍ୟରେ ରବିବାର ୭୭୩୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୧,୬୨୮କୁ ଖସି ଆସିଛି। ଅପରପକ୍ଷରେ ସମୁଦାୟ ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ୭ଲକ୍ଷ ୯୬ହଜାର ୭୯୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୬ଟି ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି।

ସମ୍ବନ୍ଧିତ ଖବର