ସ୍ୱାଇନ୍‌ ଫ୍ଲୁ ଆଉ ସାର୍ସ-୧ ତୁଳନାରେ କରୋନା ସେତେଟା ଘାତକ ନୁହେଁ; ତେଣୁ କରୋନାକୁ ନେଇ ଭୟଭୀତ ହେବାର କାରଣ ନାହିଁ: ଡାକ୍ତର ଅଶୋକ ମହାପାତ୍ର

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଏବେ ବିଶ୍ୱ ମହାମାରୀର ରୂପ ନେଇ ସମଗ୍ର ବିଶ୍ୱରେ ୩ ଲକ୍ଷରୁ ଅଧିକ ଜୀବନ ନେଇସାରିଲାଣି। ତେବେ, ଏହାକୁ ନେଇ ସାଧାରଣ ଜନତା ବିଶେଷ କରି ଓଡ଼ିଶାବାସୀ ଏତେଟା ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଦେଶର ଅନ୍ୟତମ ଖ୍ୟାତନାମା ସ୍ନାୟୁଶୈଲ୍ୟ ବିଶେଷଜ୍ଞ, ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ବର୍ତ୍ତମାନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଶୋଆ)ର କୁଳପତି ଥିବା ଡାକ୍ତର ଅଶୋକ ମହାପାତ୍ର।

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଶୋଆ କୁଳପତି ଡାକ୍ତର ମହାପାତ୍ର କହିଛନ୍ତି ଯେ ହଁ ଏକଥା ଅବଶ୍ୟ ସତ ଯେ ବିଶ୍ୱମାରୀ କରୋନା ଆମର ଆର୍ଥିକ ଓ ସାମାଜିକ ବ୍ୟବସ୍ଥାକୁ ଦୁର୍ବଳ କରିଛି। ଆମ ଦୈନନ୍ଦିନ ଜୀବନ ସହ ପାରିବାରିକ ଜୀବନକୁ ପ୍ରଭାବିତ କରିଛି; କିନ୍ତୁ ଆମକୁ ହରାଇବାରେ ସମର୍ଥ ହୋଇନାହିଁ। ଇତିହାସ ବି ଏହାର ସାକ୍ଷୀ ଅଛି। ଗଲା ଶହେବର୍ଷ ଭିତରେ ଏସିଆନ୍‌ ଫ୍ଲୁ, ସ୍ପାନିସ୍‌ ଫ୍ଲୁ, ମିଡିଲଇଷ୍ଟ ଫ୍ଲୁ, ସ୍ୱାଇନ୍‌ ଫ୍ଲୁ ଆଉ ସାର୍ସ-୧ ଭୂତାଣୁ ମଧ୍ୟ ବିଶ୍ୱ ମହାମାରୀର ରୂପ ଧାରଣ କରିଥିଲା। ସ୍ୱାଇନ୍‌ ଫ୍ଲୁ ଓ ସାର୍ସ-୧ ଭାଇରସ୍‌ ମଧ୍ୟ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିବା ସହ ୩ ଲକ୍ଷରୁ ଅଧିକ ଜୀବନ ନେଇଥିଲା। ଆଉ ଏହି ସବୁ ଫ୍ଲୁ ବା ଭାଇରସ୍‌ ବର୍ଷେ ବା ଦୁଇବର୍ଷ ରହିବା ପରେ ଚାଲି ଯାଇଥାନ୍ତି।

ସେହିପରି ଏବେ ଆସିଛି କରୋନା। ତେବେ, ସମସ୍ତେ ଜାଣି ରଖିବା ଉଚିତ୍‌ ଯେ ସ୍ୱାଇନ୍‌ ଫ୍ଲୁ ଓ ସାର୍ସ-୧ ପରି କରୋନା ଏତେଟା ମାରାତ୍ମକ କିମ୍ବା ଘାତକ ନୁହେଁ। କରୋନା ହେଉଛି ମଧ୍ୟ ଏକ ଫ୍ଲୁ ଯେଉଁଥିରେ ବ୍ୟକ୍ତି ଆକ୍ରାନ୍ତ ହେଲେ ତା ନିକଟରେ ସାଧାରଣ ଶ୍ୱାସ ଜନିତ କିଛିଟା ଅସୁବିଧା ସୃଷ୍ଟି ହୋଇଥାଏ। ଏବଂ ପ୍ରାୟ ୯୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଚିକିତ୍ସା ପରେ ଏହି ରୋଗରୁ ଆରେଗ୍ୟ ଲାଭ କରିବାରେ ସମର୍ଥ ହୋଇଥାନ୍ତି। ପୁଣି ସବୁଠାରୁ ଗୁରୁତ୍ୱକଥା ହେଲା ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିବାରେ ଭାରତୀୟ ଓ ବିଶେଷ କରି ଓଡ଼ିଶାର ଡାକ୍ତରମାନେ ସିଦ୍ଧହସ୍ତ ହୋଇଥିବା ବେଳେ ଓ ଦେଶରେ ଏବଂ ରାଜ୍ୟରେ କରୋନା ଚିକିତ୍ସା ପାଇଁ ସମସ୍ତ ଆବଶ୍ୟକୀୟ ଔଷଧ ପ୍ରଚୁର ମାତ୍ରାରେ ମହଜୁଦ୍‌ ରହିଥିବାରୁ କେହି କରୋନାକୁ ନେଇ ଆତଙ୍କିତ କିମ୍ବା ବିବ୍ରତ ହେବାର କୌଣସି କାରଣ ନାହିଁ। କେବଳ ସତର୍କ ଓ ସାବଧାନ ରହିଲେ ହିଁ ଆମେ ଆମ ବାଟରେ ରହିବା ଓ କରୋନା ତା’ ବାଟରେ ଚାଲିଯିବ ବୋଲି ରାଜ୍ୟବାସୀଙ୍କୁ କହିଛନ୍ତି ଡାକ୍ତର ମହାପାତ୍ର।

ସମ୍ବନ୍ଧିତ ଖବର