ଗ୍ରାମାଞ୍ଚଳରେ ବ୍ୟାପୁଛି କରୋନା, ୩/୪ଦିନରେ ଶୀର୍ଷକୁ ଛୁଇଁବ ସଂକ୍ରମଣ: ‘ସୂତ୍ର’

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ଟପିଲା
ଦିନକରେ ୧୧,୮୦୫ ପଜିଟିଭ୍, ୨୧ ମୃତ
୧୦,୭୮୧ ରୋଗୀ ସୁସ୍ଥ ହେବାରେ ରେକର୍ଡ

ଭୁବନେଶ୍ବର : ସହର ସ୍ଥିତି ସଂଗିନ ଥିବାବେଳେ ଏବେ ଗ୍ରାମାଞ୍ଚଳରେ ବି ଉଦ୍‌ବେଗଜନକ ଭାବେ ବଢ଼ୁଛି କରୋନା ସଂକ୍ରମଣ। ଗତ ୧୩ତାରିଖରେ ଖୋର୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ୨୨୦୧ ରହିଥିଲା। ମହାରାଷ୍ଟ୍ରର ମୁମ୍ବାଇ ସହରକୁ ବି ସଂକ୍ରମଣରେ ଜିଲ୍ଲା ଟପି ଯାଇଥିଲା। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୪ ପ୍ରତିଶତ ହାରରେ ୯୮୮ଜଣ ଆକ୍ରାନ୍ତ ଭୁବନେଶ୍ବରରୁ ଚିହ୍ନଟ ହୋଇଥିଲେ। ଅବଶିଷ୍ଟ ୧୨୧୩ ଆକ୍ରାନ୍ତ ଖୋର୍ଧା ଜିଲ୍ଲାର ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଥିଲେ। ପୂର୍ବରୁ ଲଗାତାର ଭାବେ ଖୋର୍ଧା ଜିଲ୍ଲାର ୭୦/୮୦ ପ୍ରତିଶତ ଦୈନିକ ଆକ୍ରାନ୍ତ କେବଳ ଭୁବନେଶ୍ବରରୁ ହିଁ ଚିହ୍ନଟ ହେଉଥିବା ବେଳେ ହଠାତ୍ ଗ୍ରାମାଞ୍ଚଳରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କୁ ବିସ୍ମିତ କରିଛି। ଗ୍ରାମାଞ୍ଚଳରେ ମଧ୍ୟ କରୋନା ସଂକ୍ରମଣ କ୍ରମଶଃ ବେକାବୁ ହେଉଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଯାହାକି ବେଶ୍ ଚିନ୍ତାଜନକ ବୋଲି ବିଚାର କରାଯାଉଛି।

ଦେଶବ୍ୟାପୀ କରୋନା ସଂକ୍ରମଣ ମଡେଲ ପ୍ରସ୍ତୁତ କରୁଥିବା ଆଇଆଇଟି କାନପୁରର ‘ସୂତ୍ର’ ମଡେଲ ମଧ୍ୟ ଓଡ଼ିଶାରେ ସମାନ ଆକଳନ କରିଛି। ମଡେଲର ଆକଳନ ଅନୁସାରେ ରାଜ୍ୟରେ ଏବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଥିବା ଲକ୍ଷ୍ୟ କରାଗଲାଣି।

ଅପରପକ୍ଷରେ ‘ସୂତ୍ର’ ମଡେଲ ପୂର୍ବରୁ ଓଡ଼ିଶାରେ ମେ’ ପ୍ରଥମ ସପ୍ତାହରେ ସଂକ୍ରମଣ ଶୀର୍ଷକୁ ଛୁଇଁବା ନେଇ ଯେଉଁ ଆକଳନ କରିଥିବା ସେଥିରେ ସଂଶୋଧନ କରିଛି। ଗାଣିତିକ ମଡେଲ ଓ ପ୍ରକୃତ ସଂକ୍ରମଣ ମଧ୍ୟରେ ସବୁବେଳେ ଠିକ୍ ଆକଳନ କରିବା ଏକପ୍ରକାର ସମ୍ଭବ ହୋଇ ନ ଥାଏ ବୋଲି କହିଛନ୍ତି ‘ସୂତ୍ର’ ମଡେଲର ସହ ପ୍ରତିଷ୍ଠାତା ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ। ପ୍ରଫେସର ଅଗ୍ରୱାଲଙ୍କ ମତରେ, ସଂଶୋଧିତ ମଡେଲର ଆକଳନ ଅନୁସାରେ ଆସନ୍ତା ୩/୪ ଦିନ ଭିତ‌ରେ ଓଡ଼ିଶାରେ ସଂକ୍ରମଣ ଶୀର୍ଷକୁ ଛୁଇଁବ। ପୂର୍ବ ଆକଳନରେ ତ୍ରୁଟି ରହିବା ପଛରେ ମୁଖ୍ୟତଃ ୨ଟି କାରଣ ରହିଥିଲା। ଗତମାସ ୨୮ତାରିଖ ପରେ ଓଡ଼ିଶାରେ ସଂକ୍ରମଣର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଏହା ପରଠାରୁ ରାଜ୍ୟରେ ଦ୍ରୁତ ସଂକ୍ରମଣ ଆରମ୍ଭ ହୋଇଛି। ମାର୍ଚ ୧୫ରୁ ଏପ୍ରିଲ ୨୨ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ‘ଆର୍‌’ ଭ୍ୟାଲୁ ୬ ରହିଥିଲା। ସ୍ଥାନୀୟ ସରକାର ପରବର୍ତୀ ସମୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ଓ ଲକ୍‌ଡାଉନ୍ ନିଷ୍ପତ୍ତି ନେବା ପରେ ‘ଆର୍‌’ ଭ୍ୟାଲୁ ଏବେ ୩କୁ ଖସି ଆସିଛି।

ଓଡ଼ିଶାରୁ ପ୍ରତ୍ୟେକ ଦିନ ଯେଉଁ ତଥ୍ୟ ଆସୁଛି ଏଥିରେ ଗ୍ରାମାଞ୍ଚଳରେ ସହରାଞ୍ଚଳରେ ଅଧିକ ସଂକ୍ରମଣ ହେଉଥିବା ନଜରକୁ ଆସିଛି। ‘ସୂତ୍ର’ ମଡେଲ ମୁଖ୍ୟତଃ ୩ଟି ମାପଦଣ୍ଡକୁ ନେଇ ପ୍ରସ୍ତୁତ ହେଉଥିବା ବେଳେ ଏଥିରେ ଗୋଟିଏ ମାପଦଣ୍ଡ ରହିଛି ‘ରିଚ୍’। ‘ଆର୍‌’ ଭ୍ୟାଲୁ ରାଜ୍ୟରେ କମିଯିବା ସହିତ ‘ରିଚ୍’ ବା ଅଧିକ ଲୋକଙ୍କ ନିକଟରେ ସଂକ୍ରମଣ ପହଞ୍ଚି ଯାଇଥିଲା। ବିଶେଷକରି ଏପ୍ରିଲ ଶେଷ ଆଡ଼କୁ ‘ରିଚ୍‌’ ୫୦ ପ୍ରତିଶତରେ ପହଞ୍ଚି ଯାଇଥିଲା। ଫଳ‌ରେ ଦୈନିକ ସଂକ୍ରମଣ ବଢ଼ିବା ସହିତ ଗ୍ରାମାଞ୍ଚଳରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଖୋର୍ଧା ଜିଲ୍ଲା ମଧ୍ୟ ଶୀର୍ଷ ସଂକ୍ରମଣର ନିକଟରେ ରହିଛି। ଏହି ସମୟରେ ଦୈନିକ ସଂକ୍ରମଣ ୨ହଜାର କିମ୍ବା ୨ହଜାରର ସାମାନ୍ୟ ଉପରେ ରହିପାରେ ବୋଲି ପ୍ରଫେସର ଅଗ୍ରୱାଲ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧,୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ପୂର୍ବଦିନ ତୁଳନାରେ ୫ ପ୍ରତିଶତ କମ୍। ଏହି ସମୟରେ ରାଜ୍ୟରେ ୫୭,୦୦୨ କୋଭିଡ ନମୁନା ପରୀକ୍ଷା କରାଯାଇଛି। ଏଥିରେ ୩୨ ପ୍ରତିଶତ ଆରଟି-ପିସିଆର ନମୁନା ଥିବା ବେଳେ ୬୮ ପ୍ରତିଶତ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରାଯାଇଛି। ଏହା ସତ୍ତ୍ବେ ରାଜ୍ୟର ଟେଷ୍ଟ ପଜିଟିଭ୍ ‌ରେଟ୍ ବା ଟିପିଆର୍‌ ୨୦.୭ ପ୍ରତିଶତ। ରାଜ୍ୟର ୨୮ଟି ଜିଲ୍ଲାରେ ଟିପିଆର୍‌ ୧୦ ପ୍ରତିଶତରୁ ଅଧିକ ରହିଥିବା ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଧା ଜିଲ୍ଲାରୁ ୧୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ସପ୍ତାହ ଧରି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହାବାଦ୍ ସୁନ୍ଦରଗଡ଼ ୧୨୦୯, କଟକ ୧୧୯୭, ଅନୁଗୁଳ ୬୬୮, ସମ୍ବଲପୁର ୫୫୩, ବରଗଡ଼ ୪୨୧, ଯାଜପୁର ୩୯୨, ପୁରୀ ୩୮୮, କଳାହାଣ୍ଡି ୩୭୭, ମୟୂରଭଞ୍ଜ ୩୭୪, ବଲାଙ୍ଗୀରର ୩୫୮ ଓ ଷ୍ଟେଟ୍‌ ପୁଲରୁ ୨୮୪ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୪୯୨କୁ ବୃଦ୍ଧି ପାଇଛି। ରାଜ୍ୟର ୨୬ଟି ଜିଲ୍ଲା ଏବେ ରେଡ୍ ଜୋନ୍‌ରେ ରହିଛି।

କରୋନାରେ ରାଜ୍ୟର ୨୧ଜଣ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା ହୋଇଛି। ଖୋର୍ଧା ୪, ଅନୁଗୁଳ ୩, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ପୁରୀ, ରାୟଗଡ଼ାରୁ ୨ ଲେଖାଏ, ନୂଆପଡ଼ା, କୋରାପୁଟ, ଗଜପତି ଓ ବୌଦ୍ଧରୁ ଜଣେ ଲେଖାଏ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି।

ଅପରପକ୍ଷରେ ରାଜ୍ୟରେ ଆଜି ସର୍ବାଧିକ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି। ଚଳିତମାସରେ ଦ୍ବିତୀୟଥର ଲାଗି ସମାନ ସଂଖ୍ୟକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଗୋଟିଏ ଦିନରେ ରାଜ୍ୟରେ ୧୦,୭୮୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାକି ଚଳିତବର୍ଷର ରେକର୍ଡ। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୨ହଜାର ୪୫୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୯୫,୬୯୦ଜଣ ଚିକିତ୍ସାଧୀନ ରୋଗୀ ରହିଥିବା ବେଳେ ସୁସ୍ଥ ହାର ୮୩ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର