କରୋନା ତୃତୀୟ ଲହର ଏବଂ ଶିଶୁ

ବର୍ତ୍ତମାନ ସୁଦ୍ଧା ଆମ ଦେଶରେ କରୋନାର ଦ୍ବିତୀୟ ଲହର ଚାଲିଛି। ପ୍ରତ୍ୟେକ ଦିନ ପ୍ରାୟ ୩୦ରୁ ୪୦ ହଜାର ନୂତନ ରୋଗୀ ଚିହ୍ନଟ ହେଉଛନ୍ତି। ପରିସଂଖ୍ୟାନରୁ ଜଣାଯାଏ ଯେ, କାନପୁର ଆଇଆଇଟି ଏବଂ ହାଇଦ୍ରାବାଦର ବିଶେଷଜ୍ଞଙ୍କ ଅନୁମାନ ଅନୁସାରେ ଚଳିତ ମାସର ଶେଷ ସୁଦ୍ଧା ଆମ ଦେଶରେ ତୃତୀୟ ଲହର ଆରମ୍ଭ ହେବା ସହିତ ଅକ୍ଟୋବର ମାସରେ ଏହା ସର୍ବୋଚ୍ଚ ସ୍ତରକୁ ଛୁଇଁବ। ଏହି ସମୟରେ ପ୍ରତିଦିନ ଏକ ଲକ୍ଷରୁ ଦେଢ଼ ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଯାହା ଦ୍ବିତୀୟ ଲହରର ସର୍ବୋଚ୍ଚ ସ୍ତର ଠାରୁ କମ୍। ଅନ୍ୟ କେତେକ ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ଦ୍ବିତୀୟ ଲହର ଠାରୁ କମ୍ ପ୍ରଭାବଶାଳୀ ରହିବ ଏବଂ ଏହା ନଭେମ୍ବର କିମ୍ବା ଡିସେମ୍ବରରେ ହେବାର ସମ୍ଭାବନା ରହିଛି। ଏଥିରୁ ମନରେ ପ୍ରଶ୍ନ ଆସେ ଯେ ଏହି ଭୂତାଣୁର ବିକଶିତ ରୂପ ପିଲାମାନଙ୍କୁ ପ୍ରଭାବିତ କରୁଥିବା ମହାମାରୀର ତୃତୀୟ ତରଙ୍ଗ ହେବ କି? ଏହାକୁ ନେଇ ବ୍ରହ୍ମପୁର ପ୍ରଫେସର ଡା. ପି. ରବି କୁମାର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି।

କରୋନା ଏବଂ ଶିଶୁ: କରୋନା ପିଲାମାନଙ୍କ କ୍ଷେତ୍ରରେ ସାମାନ୍ୟ ସଂକ୍ରମଣ କରିଥାଏ ଏବଂ ଶତକଡ଼ା ୧ପ୍ରତିଶତ ଶିଶୁ ଏଥିରେ ଗୁରୁତର ହୋଇଥାନ୍ତି। ପ୍ରଥମ ଲହରରେ ଆମେ ସମସ୍ତେ କହିଥିଲୁ ଯେ କୋଭିଡ୍-୧୯ ପିଲାମାନଙ୍କୁ ସଂକ୍ରମିତ କରେ ନାହିଁ। କାରଣ ସେମାନଙ୍କର ଫୁସ୍‌ଫୁସ୍‌ରେ ACE2 ରିସେପ୍ଟର୍‌ କମ୍ ଥାଏ, କିନ୍ତୁ ପିତାମାତା ଜାଣିବା ଜରୁରି ଯେ ଯେ କୌଣସି ବୟସର ବ୍ୟକ୍ତିଙ୍କ ପାଇଁ କୋଭିଡ୍‌ ସଂକ୍ରମଣ ସମ୍ଭବ। ଯେଉଁଥିରେ ପିଲାମାନେ ମଧ୍ୟ ଅନ୍ତର୍ଭୁକ୍ତ। ମହାମାରୀର ଆଚରଣ ଏବଂ ଜୀବାଣୁର ପରିବର୍ତ୍ତନ ମଧ୍ୟ ସମସ୍ତଙ୍କର କଳ୍ପନାର ବାହାରେ। ପିଲ‌ାମାନଙ୍କର ଟିକାକରଣ ଆରମ୍ଭ ହୋଇ ନଥିବାରୁ ଆଶଙ୍କା କରାଯାଉଛି ଯେ, ତୃତୀୟ ଲହର ପିଲାମାନଙ୍କ ଉପରେ ପ୍ରଭାବ ପକାଇପାରେ। ଆଇସିଏମ୍‌ଆର୍‌ ଦ୍ବାରା କରାଯାଇଥିବା ସେରୋ ସର୍ଭେରୁ ଜଣାଯାଏ ଯେ, ଆମ ଦେଶରେ ସେରୋ ପଜିଟିଭ୍ ହାର ବୟସ୍କମାନଙ୍କ ମଧ୍ୟରେ ଶତକଡ଼ା ୬୭.୬ ପ୍ରତିଶତ ଏବଂ ପିଲାମାନଙ୍କ ମଧ୍ୟରେ ଶତକଡ଼ା ୫୭ ପ୍ରତିଶତ(୬-୯ ବର୍ଷ) ଏବଂ ୧୦ରୁ ୧୭ ବର୍ଷ ବୟସ ପିଲାମାନଙ୍କ ମଧ୍ୟରେ ଶତକଡ଼ା ୬୧.୬ ପ୍ରତିଶତ ରହିଛି। ସେରୋ ପଜିଟିଭି ଦ୍ବାରା କରୋନା ସଂକ୍ରମଣରୁ ପ୍ରତିଷେଧକ ଶକ୍ତି ମିଳିଥାଏ। ଏହି ସର୍ଭେରୁ ଜଣାଯାଏ ଯେ, ଶତକଡ଼ା ୪୦ରୁ ୫୦ ପ୍ରତିଶତ ଜନସଂଖ୍ୟା ଏବେ ବି କରୋନାର ତୃତୀୟ ଲହରରେ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ସଂକ୍ରମଣକୁ କିପରି ରୋକା ଯାଇପାରିବ: ପରିବାରର ସମସ୍ତ ବୟସ୍କ ବ୍ୟକ୍ତିମାନଙ୍କର ଟିକାକରଣ କରାଯିବା ସହିତ କୋଭିଡ୍‌ର ଉପଯୁକ୍ତ ଆଚରଣ ପାଳନ ଏବଂ ପିଲାମାନଙ୍କୁ ଏ ଦିଗରେ ସଚେତନ କରାଯିବା ନିତାନ୍ତ ଆବଶ୍ୟକ। ପିତାମାତା ଜାଣିବା ଆବଶ୍ୟକ ଯେ ବୟସ୍କମାନେ ଯେପରି ବ୍ୟବହାର କରନ୍ତି ତାହା ପିଲାମାନେ ଅନୁଶୀଳନ କରନ୍ତି। ଅନ୍ୟ ପିଲାମାନଙ୍କ ସହିତ ମିଳାମିଶା ଅଭାବ ଓ ସ୍କୁଲ ବାତାବରଣରୁ ଦୂରେଇ ରହିବା କାରଣରୁ ପିଲାମାନେ ମାନସିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଏଣୁ ଆମେ ସେମାନଙ୍କ ପାଇଁ ଅଧିକ ଚିନ୍ତା ଏବଂ ଭୟ ସୃଷ୍ଟି ନ କରିବା। ଆମେ ଅଭିଭାବକ ଭାବରେ ସମ୍ବେଦନଶୀଳ ହେବା ଏବଂ ଟିକାକରଣ କରାଇବା। ଏହା ଦ୍ବାରା ବୟସ୍କମାନେ ସୁରକ୍ଷିତ ରହିବେ ଏବଂ ପିଲାମାନେ ରୋଗରେ ଆକ୍ରାନ୍ତ ହେବେ ନାହିଁ। ସର୍ବଦା ଶାରୀରିକ ଦୂରତା ବଜାୟ ରଖନ୍ତୁ ଏବଂ ଯଥାସମ୍ଭବ ଘରେ ରୁହନ୍ତୁ। ବାହାରକୁ ଗଲେ ମାସ୍କ୍‌ ପିନ୍ଧନ୍ତୁ। ଦୁଇ ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ ମଧ୍ୟ ଏକ୍‌ ମାସ୍କ ପିନ୍ଧାଇ ପାରିବେ। ସାବୁନରେ ଲଗାତାର ହାତ ଧୋଇବା ପାଇଁ ପିଲାଙ୍କୁ କୁହନ୍ତୁ। ୭୦ପ୍ରତିଶତ ଆଲକହଲ୍‌ ଯୁକ୍ତ ସାନିଟାଇଜର୍‌ ବ୍ୟବହାର କରନ୍ତୁ। ସେହିପରି ପିଲାମାନଙ୍କ ସହିତ କୋଭିଡ୍‌-୧୯ର ଉପଯୁକ୍ତ ଆଚରଣର ଗୁରୁତ୍ୱ ବିଷୟରେ ଆଲୋଚନା କରି ତାହା ପାଳନ କରିବାକୁ ପରାମର୍ଶ ଦିଅନ୍ତୁ।
ଡାକ୍ତର ପି. ରବି କୁମାର
ଆସୋସିଏଟ୍ ପ୍ରଫେସର, ଅନ୍ତଃସ୍ରାବ ବିଭାଗ
ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ବ୍ରହ୍ମପୁର

ସମ୍ବନ୍ଧିତ ଖବର