ଗଞ୍ଜାମରେ ପୁଣି କାୟା ବିସ୍ତାର କରୁଛି କରୋନା, ଦ୍ବିତୀୟ ଲହର ନେଲାଣି ୨ ମୁଣ୍ଡ

 ଆଜି ୭୦ ପଜିଟିଭ୍‌ ଚିହ୍ନଟ, ସକ୍ରିୟ ସଂକ୍ରମିତ ସଂଖ୍ୟା ୨୪୫, ୧୫ଦିନରେ ଜିଲ୍ଲାକୁ ଫେରିଲେଣି ୬୦୬୪ ପ୍ରବାସୀ

ବ୍ରହ୍ମପୁର: ଦ୍ବିତୀୟ ଲହର ପରେ ଗଞ୍ଜାମରେ ପୁଣି କାୟା ବିସ୍ତାର କରିଛି କରୋନା। ଗତ ଦୁଇଦିନରେ ୧୫୦ଜଣ ପଜିଟିଭ୍‌ ଚିହ୍ନଟ ହେଲେଣି। ଗତକାଲି ଜିଲ୍ଲାରେ ୮୦ଜଣ ଏବଂ ଆଜି ୭୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲ୍ଲାର ଜଣେ ୭୦ବର୍ଷୀୟ ବୃଦ୍ଧଙ୍କ ଆଜି କରୋନାରେ ମୃତ୍ୟୁ ଘଟିଛି। ଗତ ଏପ୍ରିଲ ୧ତାରିଖ ଠାରୁ ଆଜି ସୁଦ୍ଧା ଜିଲ୍ଲାରେ ୩୪୭ଜଣ ‌କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୨୪ଜଣ ସୁସ୍ଥ ହୋଇଛନ୍ତି।

ଜିଲ୍ଲାରେ ଏବେ ୨୪୫ଜଣ ସକ୍ରୀୟ ସଂକ୍ରମିତ ରହିଛନ୍ତି। ଦ୍ବିତୀୟ ଲହରରେ ୨ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଓ ଦ୍ବିତୀୟ ଲହର ମିଶି ଜିଲ୍ଲାରେ ସମୁଦାୟ କୋଭିଡ଼୍‌ ମୃତ୍ୟୁ ସଂଖ୍ୟା ୨୫୦ରେ ପହଞ୍ଚିଛି। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଗଞ୍ଜାମରେ କରୋନା ସଂକ୍ରମଣ କମ୍‌ ରହିଛି। କିନ୍ତୁ ସଂକ୍ରମଣ ବଢିବ ନାହିଁ ବୋଲି କହିହେବ ନାହିଁ। କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେଉଛି। ଏଥିଲାଗି ଜିଲ୍ଲାବାସୀଙ୍କ ସହଯୋଗ ଆବଶ୍ୟକ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ସ୍ଥାନୀୟ ଟାଉନ୍‌ ହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜିଲ୍ଲାର କୋଭିଡ଼୍‌ ସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଜିଲ୍ଲାକୁ ଗତ ୧୫ଦିନ ମଧ୍ୟରେ ୬୦୬୪ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଫେରିଛନ୍ତି। ଏଥି ମଧ୍ୟରୁ ଜିଲ୍ଲାର ୨୨ଟି ବ୍ଲକର ବିଭିନ୍ନ ଅଞ୍ଚଳକୁ ୫୪୧୪ଜଣ, ୧୭ଟି ଏନ୍‌ଏସିକୁ ୩୧୮ଜଣ ଓ ବ୍ରହ୍ମପୁର ରେଳ ଷ୍ଟେସନରେ ହୋଇଥିବା ସ୍କ୍ରିନିଂର ତଥ୍ୟ ଅନୁଯାୟୀ ୩୩୨ଜଣ ଫେରିଛନ୍ତି। ଆଜି ଠାରୁ ବ୍ରହ୍ମପୁର ରେଳଷ୍ଟେସନରେ ପ୍ରବାସୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି। ୩ଟି କେନ୍ଦ୍ର ଖୋଲାଯାଇ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ନ ନେଇ ବାହାରୁ ରାଜ୍ୟରୁ ଆସୁଥିବା ‌ଲୋକଙ୍କ ପଞ୍ଜୀକରଣ କରାଯାଉଛି। ପଞ୍ଜୀକରଣ ତଥ୍ୟକୁ ସମ୍ପୃକ୍ତ ବ୍ଲକ ଓ ଏନ୍‌ଏସିକୁ ପଠାଯିବ। ସ୍ଥାନୀୟ ବିଡ଼ିଓ ଓ ନିର୍ବାହୀ ଅଧିକାରୀ ଉକ୍ତ ପ୍ରବାସୀମାନେ ଯେଭଳି ୭ଦିନ ଗୃହ ସଙ୍ଗରୋଧରେ ରହିବେ ତାହାକୁ ସୁନିଶ୍ଚିତ କରିବେ।

 

ସମ୍ବନ୍ଧିତ ଖବର