ରାନୀକୁ ଏକୁଟିଆ କରିଦେଲା କରୋନା

ନିଜେ ବଞ୍ଚିଗଲା, ହେଲେ ପୂରା ପରିବାର ଚାଲିଗଲା

ନାଲକୋନଗର: ଜୀବନ କଣ ଜାଣିବା ଆଗରୁ ଆପଣାର ଲୋକମାନେ ଜଣକ ପରେ ଜଣେ ଆରପାରିକୁ ଚାଲିଗଲେ। ଏକୁଟିଆ ହୋଇଯାଇଛି ରାନୀ। ମହାମାରୀ କରୋନା ଆଁରୁ ସିନା ନିଜେ ମୁକୁଳିଗଲା, ହେଲେ ଏହି ୧୪ ମାସର ଶିଶୁକନ୍ୟା ପାଖରୁ କରୋନା ଛଡ଼ାଇ ନେଇଛି ତା ହସଖୁସିର ପରିବାର। ପୂର୍ବରୁ ଜେଜେବାପା ରୋଗରେ ଯାଇଥିଲେ, ଏବେ ବାପା, ମା ଓ ଜେ‌ଜେ ମା’ ଆଗପଛ ହୋଇ କରୋନାରେ ଜୀବନ ହାରିଥିଲା ବେଳେ ଏବେ ରାନୀ ରହୁଛନ୍ତି ମାମୁଙ୍କ ଘରେ।

ହେଲେ ମାମୁ ଘରେ ଅଜା ଓ ଆଈ ବି କରୋନାରେ ଆକ୍ରାନ୍ତ ହୋଇ ଜୀବନ ସହ ଲଢୁଛନ୍ତି।

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କୁକୁଡ଼ାଙ୍ଗର ବସନ୍ତ ଦେହୁରୀ(୪୨) ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ମେ ୨୪ତାରିଖରେ ମଳୟ କରୋନା ସଂକ୍ରମିତ ହୋଇଥିବା ଜାଣିଥିଲେ। ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ଭିତରେ ତାଙ୍କ ପତ୍ନୀ ସୌଦାମିନୀ ଦେହୁରୀ ଓ ୧୪ମାସର ଝିଅ ମିଷ୍ଟି ଦେହୁରୀ ( ରାନୀ)ଙ୍କ ଦେହ ଖରାପ ହୋଇଥିଲା। କୋଭିଡ୍‌ ପରୀକ୍ଷା କରାଇବାରୁ ଉଭୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହି ସମୟରେ ମଳୟଙ୍କ ମା ମାଳତୀ ମଧ୍ୟ କରୋନା କବଳରେ ପଡ଼ିଥିଲେ। ସୌଦାମିନୀ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଓ ଝିଅ ରାନୀ ମାମୁ ଘରେ ରହୁଥିଲେ। ଏପଟେ ମାଳତୀ ବଅଁରପାଳ ଇଏସ୍ଆଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରାନୀ କରୋନା ସଙ୍ଗେ ଲଢେଇ କରି ସୁସ୍ଥ ହୋଇଥିଲା ବେଳେ ଗତ ୭ ତାରିଖ ଦିନ ସୌଦାମିନୀ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ସୌଦାମିନୀଙ୍କ ମୃତ୍ୟୁ ପରେ କରୋନାକୁ ହରାଇବା ପାଇଁ ସ୍ବାମୀ ମଳୟ ଓ ଶାଶୁ ମାଳତୀ ଲଢେଇ ଜାରି ରଖିଥିଲେ। କିନ୍ତୁ ମହାମାରୀ କରୋନା ଆଗରେ ହାର ମାନିଲେ। ବୋହୂ ଯିବାର ମାତ୍ର ୭ ଦିନ ପରେ ଗୋଟିଏ ଦିନରେ ହିଁ ମା ପୁଅଙ୍କ ଜୀବନ ନେଇଥିଲା କରୋନା। ପାଖାପାଖି ବର୍ଷକ ତଳେ ମଳୟଙ୍କ ବାପା କ୍ୟାନ୍ସର ରୋଗର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଥିଲେ। ଏବେ ମଳୟଙ୍କ ପୂରା ପରିବାର ଉଜୁଡ଼ିଯିବା ପରେ ଏକୁଟିଆ ହୋଇଯାଇଛି ୧୪ ମାସର ଝିଅ ରାନୀ। ତାକୁ ଏବେ ମାମୁଘରେ ଅଜା, ଆଈ ଓ ମାଉସୀ ରଖି ପାଳୁଛନ୍ତି। କିନ୍ତୁ ଏଠି ବି କରୋନା ବାଟ ଛାଡିନି। କରୋନା ସଂକ୍ରମିତ ହୋଇ ଆଈ ତାଳଚେର କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅଜା ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ଏବେ ରାନୀର ଦେଖାଶୁଣା କରୁଛନ୍ତି ମାଉସୀ।

ସମ୍ବନ୍ଧିତ ଖବର