ରାୟଗଡ଼ା : ଲାଇଟ୍, ସାଉଣ୍ଡ, ଆକ୍ସନ୍ ଓ ମ୍ୟୁଜିକରେ ଫାଟି ପଡ଼ୁଥିବା ପ୍ରେକ୍ଷାଳୟ ଏବେ ଖାଁ ଖାଁ। ନା ରିଲିଜ୍ ହେଉଛି ସିନେମା, ନା ଅଛି ଦର୍ଶକଙ୍କ ଭିଡ଼। କରୋନା ପ୍ରଭାବରେ ୩ ମାସ ହେଲା ପ୍ରେକ୍ଷାଳୟରେ ଝୁଲୁଛି ତାଲା। ଫଳରେ ମାସିକ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି ମାଲିକ। କର୍ମଚାରୀଙ୍କ ଦରମା ସମେତ ବିଦ୍ୟୁତ୍ ବିଲ୍ ଦେୟ ଠିକ୍ ସମୟରେ ପୈଠ କରିବାରେ ମାଲିକ ସକ୍ଷମ ହୋଇପାରୁନଥିବାରୁ ଯେକୌଣସି ସମୟରେ ପ୍ରେକ୍ଷାଳୟ ବନ୍ଦ ହୋଇଯିବା ପରିସ୍ଥିତି ସୃଷ୍ଟି ହେଲାଣି।

Advertisment

publive-image The Financial Express

ମନୋରଞ୍ଜନର ପ୍ରମୁଖ ମାଧ୍ୟମ ସିନେମା। ପୂଜା ଛୁଟିକୁ ଛାଡ଼ିଲେ ଗ୍ରୀଷ୍ମ ଅବକାଶ ବର୍ଷ ତମାମର ଆଦାୟ ଦେଇଥାଏ ମାଲିକଙ୍କୁ। ଦିନକୁ ୪ଟି ସୋ’ ସହ ଦର୍ଶକଙ୍କ ଡିମାଣ୍ଡକୁ ଦେଖି ଲେଟ୍ ନାଇଟ୍ ସୋ’ ମଧ୍ୟ ଚାଲେ ଖରା ଦିନରେ। ହେଲେ ଚଳିତ ବର୍ଷ ଖରା ଛୁଟିରେ ପ୍ରେକ୍ଷାଳୟ ମାଲିକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ମହାମାରୀ କରୋନା। କରୋନା ମୁକାବିଲା ପାଇଁ ମାର୍ଚ୍ଚ ୧୪ ତାରିଖରୁ ପ୍ରେକ୍ଷାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ପ୍ରେକ୍ଷାଳୟ ବନ୍ଦକୁ ଇତି ମଧ୍ୟରେ ସାଢ଼େ ୩ ମାସ ବିତିଲାଣି। କିନ୍ତୁ ଖୋଲିବା ନେଇ ସବୁଜ ସଂକେତ ଦେଉ ନାହାନ୍ତି ସରକାର। ଜୁଲାଇ ୩୧ ପର୍ଯ୍ୟନ୍ତ ପୁଣି ବନ୍ଦ ରଖିବା ନେଇ ସରକାର ଘୋଷଣା କରିବା ପରେ ଚିନ୍ତାରେ ପଡ଼ିଛନ୍ତି ମାଲିକ୍। ବର୍ତ୍ତମାନ ସାଟେଲାଇଟ୍ କନେକସନ ଦ୍ବାରା ସିନେମା ପ୍ରଦର୍ଶିତ ହେଉଥିବାରୁ ପ୍ରେକ୍ଷାଳୟ ବନ୍ଦ ଥିବା ସତ୍ତ୍ବେ ପ୍ରତିଦିନ ୧୫ରୁ ୨୦ ମିନିଟ୍ ସ୍କ୍ରିନ୍ ଚଲାଇବାକୁ ପଡ଼ୁଛି। ସାଟେଲାଇଟ୍ ସହ ଯୋଗାଯୋଗ ଠିକ୍ ରହିବା ସହ ୟୁପିଏସ୍ ଚାର୍ଜ ଏବଂ ଅନ୍ୟ ଯାନ୍ତ୍ରିକ କାରଣ ପାଇଁ ବିନା ଦର୍ଶକରେ କିଛି ସମୟ ପାଇଁ ପ୍ରେକ୍ଷାଳୟ ଚଲାଇବାକୁ ପଡ଼ୁଛି ମାଲିକଙ୍କୁ। ପ୍ରେକ୍ଷାଳୟ ବନ୍ଦ ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବା ୨ ଶହରୁ ଉର୍ଧ୍ବ ପରିବାର ଏବେ ବେରୋଜଗାର ହୋଇ ପଡ଼ିଛନ୍ତି। ଗତ ୩ ମାସ ମଧ୍ୟରୁ କିଛି ହଲ୍ ମାଲିକ କର୍ମଚାରୀଙ୍କୁ କେବଳ ମାସକର ଦରମା ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି। ଆଉ କିଛି ମାଲିକ କର୍ମଚାରୀଙ୍କୁ ଦରମା ପ୍ରଦାନ ତ ଦୂରର କଥା ବିଦ୍ୟୁତ୍ ବିଲ୍ ପୈଠ କରିବାରେ ବିଫଳ କାରଣରୁ ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରି ଦେଇଛି।

publive-image New Indian Express

ରାୟଗଡ଼ା ସହରରେ ରହିଛି ୪ଟି ପ୍ରେକ୍ଷାଳୟ। ବର୍ଷ ତମାମ ଏହି ପ୍ରେକ୍ଷାଳୟରେ ଓଡ଼ିଆ, ହିନ୍ଦୀ, ତେଲୁଗୁ ଇଣ୍ଡଷ୍ଟ୍ରିରୁ ରିଲିଜ୍ ହେଉଥିବା ନୂଆ ସିନେମା ଚାଲିଥାଏ। ରାୟଗଡ଼ାରେ ଆନ୍ଧ୍ର ଭାଷାଭାଷୀ ଲୋକ ଅଧିକ ରହୁଥିବାରୁ ତେଲୁଗୁ ଇଣ୍ଡଷ୍ଟ୍ରି ସିନେମା ଅଧିକ ଚାଲିଥାଏ। ଦର୍ଶକଙ୍କ କ୍ରେଜକୁ ଆଖି ଆଗରେ ରଖି ରାୟଗଡ଼ାର ସର୍ବ ପୁରାତନ ପ୍ରେକ୍ଷାଳୟ ଶ୍ରୀ ରାମ, ପିଏସଆର୍ (ପୂର୍ବରୁ ଉମା ଶଙ୍କର), ଉଦୟ ପ୍ଲାଜା, ଅଶୋକ ଟକିଜ୍ ଖରା ଦିନ ପୂର୍ବରୁ ନୂତନ ଭାବେ ପ୍ରେକ୍ଷାଳୟକୁ ସଜ୍ଜାଇଥିଲେ। ହେଲେ ସାଥ୍ ଦେଲାନି ଭାଗ୍ୟ। ଲକ୍ଷାଧିକ ଟଙ୍କା ବ୍ୟୟରେ ମାଲିକମାନେ ପ୍ରେକ୍ଷାଳୟ କାମ କରିଥିବା ବେଳେ ଖରା ଛୁଟିରେ ଦି ପଇସା ଲାଭ ପାଇଁ ଆଶା ରଖିଥିଲେ। ଓଡ଼ିଆ, ହିନ୍ଦୀ, ତେଲୁଗୁ ୩ ପ୍ରମୁଖ ଇଣ୍ଡଷ୍ଟ୍ରିର ୪ଟି ଲେଖାଁଏ ଭଲ ସିନେମା ରିଲିଜ୍ ଅପେକ୍ଷାରେ ଥିଲେ ମଧ୍ୟ ସରକାର ଅନୁମତି ଦେଉନଥିବାରୁ ମାଲିକ ଦେବାଳିଆ ସ୍ଥିତିକୁ ଚାଲି ଆସିଲେଣି। ମାସିକ ବ୍ୟାଙ୍କ ଋଣ, କର୍ମଚାରୀ ଦରମା, ବିଦ୍ୟୁତ୍ ବିଲ୍, ରକ୍ଷଣାବେକ୍ଷଣ କିଛି ହୋଇପାରୁନି। ବିଦ୍ୟୁତ୍ ବିଲ୍ ବକେୟା ଯୋଗୁ ସହରର ୪ଟି ହଲରୁ ୩ଟିର ବିଦ୍ୟୁତ୍ ସଂଯୋଗ କାଟି ଦେଇଛି ବିଭାଗ। ଅଶୋକ ଟକିଜର ବିଦ୍ୟୁତ୍ ବିଲ୍ ବକେୟା ୯୧ ହଜାର ୬୩୬, ପିଏସଆରର ୨ ଲକ୍ଷ ୨୧ ହଜାର ୭୩୦, ଉଦୟ ପ୍ଲାଜାର ୧ ଲକ୍ଷ ୨୧ ହଜାର ୯୭୪ ଟଙ୍କା ରହିଛି। ଲକଡାଉନରେ ମନୋରଞ୍ଜନର ମାଧ୍ୟମ ଲାଗି କିଛି ଉପାୟ ନଥିବାରୁ ଘରେ ବସି ରହି ଦର୍ଶକ ମଧ୍ୟ ବୋର୍ ହୋଇ ଗଲେଣି। ପ୍ରେକ୍ଷାଳୟ ସହ କର୍ମଚାରୀଙ୍କ ପରିବାରକୁ ବଞ୍ଚାଇବା ପାଇଁ ୫୦ ପ୍ରତିଶତ ସିଟିଂରେ ପ୍ରେକ୍ଷାଳୟ ଚଲାଇବାକୁ ଅନୁମତି ଦେବାକୁ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛି।