୮୦ହଜାର ପାରମ୍ପରିକ କଳାକାରଙ୍କ ପେଟକୁ ନାତ
ଭୁବନେଶ୍ବର : କରୋନା ଆମ ଭଳି କଳାକାରଙ୍କ ପେଟକୁ ନାତ ମାରିଲା। ଜାନୁଆରିରୁ ଜୁନ୍ ମାସ ପର୍ଯ୍ୟନ୍ତ ଯାହା କାମ ମିଳେ ସେଇଥିରେ ବର୍ଷଯାକର ଗୁଜୁରାଣ ମେଣ୍ଟୁଥିଲା ଯେ ସେତକ ବି କରୋନା ଛଡ଼ାଇ ନେଲା। ମାତ୍ର ଯେବେ ସରକାର ଆମ କଥା ବିଚାରକୁ ମଧ୍ୟ ନେଲେ ନାହିଁ, ଦୁଃଖ ଆହୁରି ବଳିଗଲା। ୩୫ ହଜାର କଳାକାରଙ୍କୁ ୪ ମାସର ଆଗୁଆ ଭତ୍ତା ଦେଲେ। ଅଥଚ ଆମ ଭଳି ପାରମ୍ପରିକ କଳାକାରଙ୍କ ପ୍ରତି ଟିକେ ବି ନିଘା କଲେ ନାହିଁ। କେମିତି ସଂସାର ଚାଲିଛି ତାହା ଆମ ଭଳି ଦୟନୀୟ ଜୀବନ ବଞ୍ଚୁଥିବା କଳାକାରମାନେ ହିଁ ଜାଣନ୍ତି ବୋଲି କହିଛନ୍ତି ପିପିଲି ହରିପୁରର ପାଲା ଗାୟକ ନାରାୟଣ ସ୍ବାଇଁ। କେବଳ ସେ ନୁହଁନ୍ତି, ତାଙ୍କ ଭଳି ହଜାର ହଜାର କଳାକାର ଏବେ ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ବର୍ଷବର୍ଷ ଧରି ଲୋକଙ୍କ ମନୋରଂଜନ କରୁଥିବା କଳାକାରମାନେ ଆଜି ଅଦେଖା ଲୁହରେ ଭିଜୁଛନ୍ତି, ହେଲେ ତାଙ୍କୁ ବୋଧ ଦେବାକୁ କେହି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଷୋୟୀଙ୍କ ସୂଚନା ମୁତାବକ, ଏବେ ୪୭୧ ପ୍ରକାର ଲୋକକଳାକୁ ନେଇ ସମଗ୍ର ରାଜ୍ୟରେ ୯ ହଜାର ଲୋକକଳା ଦଳ ରହିଛି। ଏହି ଲୋକକଳା ଦଳ ମଧ୍ୟରେ ୧ଲକ୍ଷ ୧୫ ହଜାର କଳାକାର କାମ କରୁଛନ୍ତି। ଜିଲ୍ଲା କଳା ସଂସ୍କୃତି ସଂଘ, ବ୍ଲକ କଳା ସଂସ୍କୃତି ସଂଘ ଜରିଆରେ ସେମାନେ ସରକାରୀ ସୂତ୍ରରୁ ବିଭିନ୍ନ ସମୟରେ କାମ ପାଆନ୍ତି। ସରକାରଙ୍କ ୧୨ଟି ବିଭାଗର ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଲୋକକଳା ଦଳକୁ ହିଁ ଦିଆଯାଏ। ଏହା ବ୍ୟତୀତ ସରକାରଙ୍କ ମମତା ଯୋଜନାରୁ ନେଇ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଏହି ଲୋକକଳା ଦଳ ସମୂହ ସଚେତନତା ସୃଷ୍ଟି କରନ୍ତି ବୋଲି ଶ୍ରୀ ମାଲବିଷୋୟୀ କହିଛନ୍ତ। ଅର୍ଥାତ ଯଦି ସରକାରୀ ହିସାବକୁ ନେଇ ଆକଳନ କରାଯାଏ ମାତ୍ର ୩୫ ହଜାର କଳାକାର ୪ ମାସର ଆଗୁଆ ଭତ୍ତା ପାଇଛନ୍ତି। ମାତ୍ର ବଳକା ୮୦ ହଜାର ଲୋକକଳା କଳାକାର କେମିତି ଅଛନ୍ତି, ସେ ବିଷୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବାବୁମାନେ ଧ୍ୟାନ ଦେଲେ ନାହିଁ।
ବାସ୍ତବ ସ୍ଥିତି ହେଉଛି, ଜାନୁଆରିରୁ ଜୁନ୍ ମାସ ମଧ୍ୟରେ ଏହି କଳାକାରମାନେ କେବଳ ସରକାରୀ ସୂତ୍ରରୁ ନୁହେଁ ବରଂ ଘରୋଇ ସୂତ୍ରରୁ ମଧ୍ୟ କିଛି କାମ ପାଆନ୍ତି। ଏହା ବ୍ୟତୀତ ଅନ୍ୟ କ୍ଷେତ୍ରରେ ଛୋଟମୋଟ କାମ କରି ପରିବାର ଚଳାନ୍ତି। ଏହା ହିଁ ସେମାନଙ୍କର ବର୍ଷଯାକର ଗୁଜୁରାଣ ମେଣ୍ଟାଇବାରେ ପ୍ରମୁଖ ସମ୍ବଳ ପାଲଟିଥାଏ। ମାତ୍ର ଏବେ ଦାନା ପାଣି ଯୋଗାଡ଼ୁଥିବା ସବୁ ବାଟ ବନ୍ଦ। ଅଧିକାଂଶଙ୍କର ଜମିବାଡ଼ି ବି ନାହିଁ। ଯେଉଁମାନେ କିଛି କିଛି ଜମି ରଖିଛନ୍ତି, ଏବେ ଉତ୍ପାଦିତ ପନିପରିବାର ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ପାଲା ଗାୟକ ନାରାୟଣ ସ୍ବାଇଁ କହିଛନ୍ତି, ମୁଁ ଲଙ୍କା ଚାଷ କରିଥିଲି। ଲଙ୍କା ୧ କେଜି ତୋଳିବାକୁ ତୋଳାଳି ୭ଟଙ୍କା ନେଇଯାଉଥିବା ବେଳେ ଯେଉଁ କାଁ ଭାଁ ବେପାରୀ କିଣିବାକୁ ଆସୁଛନ୍ତି ସେମାନେ କହୁଛନ୍ତି ଆମକୁ ୫ଟଙ୍କାରେ ଦବ ଯଦି ଦିଅ ନହେଲେ ରଖ। ଏଭଳି ସ୍ଥିତିରେ କ୍ଷୁଦ୍ର ଚାଷୀକୁ ଶକ୍ତ ଧକ୍କା ଲାଗିଛି। ନା କଳାରୁ ଆୟ ହୋଇପାରିଲା, ନା ଚାଷ ଜମିରୁ। ଅନେକ କଳାକାର ଏଭଳି ଦୁର୍ଦିନକୁ ସାମ୍ନା କରୁଛନ୍ତି ବୋଲି ସେ କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ସରକାରୀ ସୂତ୍ରରୁ ଗୋଟେ ଗୋଟେ କଳାକାର ଦଳକୁ ମାସକୁ ୩ରୁ ୫ଟି କାମ ମିଳେ। ଫଳରେ ଜଣେ କଳାକାର ଏହା ଜରିଆରେ ୩ରୁ ୪ ହଜାର ଟଙ୍କା ମାସକୁ ଆୟ କରିପାରେ। ଏହା ବ୍ୟତୀତ ଏକୋଇଶିଆ, ବ୍ରତଘର, ବାହାଘର, ଶୁଦ୍ଧଘର ସମେତ ବିଭିନ୍ନ ପର୍ବ ପର୍ବାଣିରେ ଘରୋଇ ସ୍ତରରେ କାମ ପାଉଥିବାରୁ ଘର ଚଳାଇବା କଷ୍ଟ ହୁଏ ନାହିଁ। ନିକଟରେ ‘ପିଠା’ କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରେ ୨ଲକ୍ଷ କାର୍ଯ୍ୟକ୍ରମ ହୋଇଥିବା ବେଳେ କଳାକାର ଦଳକୁ ଭଲ କାମ ମିଳିଥିଲା। ମାତ୍ର ଏହା ପରେ ଯେମିତି ନଜର ଲାଗିଗଲା। ଆଗକୁ ରଜ ଓ ରଥଯାତ୍ରାରେ କାମ ମିଳିଥାଆନ୍ତା ଯେ ତାହା ମଧ୍ୟ ବନ୍ଦ। କେବେ ପୁଣି କଳାକାରଙ୍କୁ କାମ ମିଳିବ ତାହା ବି କହି ହେଉନାହିଁ। ଅନ୍ତତଃ ଏହିଭଳି ଦିନହୀନ ଜୀବନ ବଞ୍ଚୁଥିବା ୮୦ ହଜାର ପାରମ୍ପରିକ କଳାକାରଙ୍କ ପେଟର ଭୋକ ପ୍ରତି ମଧ୍ୟ ସଂସ୍କୃତି ବିଭାଗ ନଜର ଦେଉ ବୋଲି କଳାକାରମାନେ ଅନୁରୋଧ କରିଛନ୍ତି।