କରୋନା ପାଇଁ ମାସେ ହେଲା ଗଡୁନି ଚକ : ବିକ୍ରି ନ ହୋଇ ଘରେ ପଡି ରହିଛି ମାଟି ପାତ୍ର, ଦୁର୍ଦ୍ଦଶାରେ କନ୍ଧମାଳର ୩ ହଜାର କୁମ୍ଭାକାର ପରିବାର

ଫୁଲବାଣୀ, (ବଟକୃଷ୍ଣ ବିହାରୀ):କରୋନା କଟକଣା ପାଇଁ କାହାର ବେପାର ବନ୍ଦ ତ ଆଉ କାହାର ବେଉଷା ବି ବନ୍ଦ ହୋଇ ଗଲାଣି। ଏଥି ଯୋଗୁଁ ସେମାନଙ୍କ ଚଳିବା ଅବସ୍ଥା ସଂଗୀନ ହେବାକୁ ବସିଲାଣି। କରୋନା ପାଇଁ ମାସେ ହେଲା କୁମ୍ଭାକାରଙ୍କ ଚକ ଗଡୁନି। ଯାହା ବି ମାଟି ପାତ୍ର ତିଆରି ହୋଇଛି ତାହା ବିକ୍ରି ନ ହୋଇ ଘରେ ପଡି ରହିଛି। ଏହାକୁ ନେଇ କନ୍ଧମାଳର ୫ ହଜାର କୁମ୍ଭାକାର ପରିବାର ଦୁର୍ଦ୍ଦଶା ବଢି ଯାଇଛି।

କନ୍ଧମାଳର ଜିଲ୍ଲାରେ ଅଛନ୍ତି ୧୦ରୁ ୧୨ ହଜାର ପରିବାର କୁମ୍ଭାକାର । ସେଥି ମଧ୍ୟରୁ ପାଖାପାଖି ୩ ହଜାର ପରିବାରର କୌଳିକ ବୃତ୍ତି ହେଉଛି ମାଟି ପାତ୍ର ତିଆରି କରିବା। ଜିଲ୍ଲାର ଗଞ୍ଜୁଗୁଡା, କେରେଡି, ଭେଟଖୋଲ, କଟ୍ରିଙ୍ଗିଆ, କେଲାପଡା, ଗେରୁପଡା, କାଦୁପଦର, ଚାହାଳି, ବ୍ରାହ୍ମଣୀଗାଁ, ନୂଆଗାଁ, ମହାସିଂ, ଜାମୁଝର, କାଜୁପଦର, ନୂଆପଡା, ନୂଆପଦର, ଗୋଛାପଡା ଏମିତି ବହୁ ଗାଁ ରହିଛି ଯେଉଁଠି କୁମ୍ଭାକାରମାନେ ବର୍ଷ ତମାମ ବିଭିନ୍ନ ପ୍ରକାର ମାଟି ପାତ୍ର ତିଆରି କରି ଗାଁଗାଁ ଓ ବଜାର ହାଟ ବୁଲି ବିକ୍ରି କରନ୍ତି। ଏଥିରୁ ମିଳୁଥିବା ଲାଭାଂଶରେ ବର୍ଷର ଅଧା ଦିନ ପ୍ରାୟ ପରିବାର ଚଳି ଯାଇଥାଏ। ବିଶେଷତଃ ଅନ୍ୟ ଦିନ ଅପେକ୍ଷା ଖରା ଦିନେ ସୁରେଇର ଚାହିଦା ରହୁଥିବାରୁ ଭଲ ବିକ୍ରିବଟା ହୁଏ। ଆଉ ଭଲ ଦିପଇସା ମଧ୍ୟ ରୋଜଗାର ହୋଇ ଥାଏ। ହେଲେ ଏଥର ସବୁ କିଛି ଓଲଟପାଲଟ କରି ଦେଲା କରୋନା। କୁମ୍ଭାକାରମାନେ ବିଭିନ୍ନ ମାଟି ପାତ୍ର ତିଆରି କରିଛନ୍ତି। ଖରା ଦିନକୁ ଦେଖି ବହୁତ ସୁରେଇ ମଧ୍ୟ ତିଆରି କରିଛନ୍ତି। ଏସବୁ ଶାଳରେ ପୋଡା ଯାଇ ତାପରେ ବିକ୍ରି ହେବା କଥା। ହେଲେ କାରୋନା କଟକଣା ପାଇଁ ଶାଳ ଚାଲିବା ପାଇଁ କୋଇଲା ସହ ଆନୁସଙ୍ଗିକ ଜିନିଷ କିଣା ଯାଇ ପାରୁ ନାହିଁ। ଯାହା ଫଳରେ ତିଆରି ହୋଇଥିବା ମାଟି ପାତ୍ର ଓ ସୁରେଇ ସବୁ ଘରେ ଗଦାଗଦା ହୋଇ ପଡି ରହିଛି।

କରୋନା ପାଇଁ ନାଁ ତିଆରି ହୋଇ ଥିବା ମାଟି ପାତ୍ର ପୋଡା ଯାଇ ପାରୁଛି ନାଁ ବିକ୍ରି ହେବାକୁ ଯାଇ ପାରୁଛି। ବିକ୍ରି ନ ହୋଇ ମାଟି ପାତ୍ର ସବୁ ଘରେ ପଡି ରହୁଥିବା ବେଳେ ମାସେ ହେଲା ଆଉ ଚକ ଗଡୁନି ବୋଲି କହନ୍ତି ଗଞ୍ଜୁଗୁଡ ସ୍କୁଲସାହିର ଦିଲୀବର ରଣା। ସେ ଖରା ଦିନ ପାଇଁ କେବଳ ୧୦୦ରୁ ଉର୍ଦ୍ଧ୍ବ ସୁରେଇ ତିଆରି କରିଛନ୍ତି। ଖରା ଦିନରେ ପାଣି ଥଣ୍ଡା ରହୁଥିବାରୁ ସୁରେଇର ବହୁତ ଚାହିଦା ଥାଏ। ହେଲେ କରେନା କଟକଣା ବଢି ଚାଲିଥିବାରୁ ସୁରେଇ ସବୁ କିଭଳି ବିକ୍ରି କରିବେ ବୋଲି ସେ ଚିନ୍ତାରେ ଥିବା କହିଛନ୍ତି। କେରେଡିର ଡାଙ୍ଗୁ ରଣା ବି ଅନୁରୂପ ଭାବେ ସେହି ସମସ୍ୟା କଥା କହିବା ସହ ଏଥି ନିମନ୍ତେ ସରକାର ସହାୟତା ଦେବାକୁ ଦାବି କରିଛନ୍ତି। କରୋନା କଟକଣା ସମୟରେ ବୃତ୍ତି କିମ୍ବା ବେଉଷା ହରାଇଥିବା ଲୋକଙ୍କୁ ସରକାର ସହାୟତା ଦେଉଛନ୍ତି। ତେଣୁ କୁମ୍ଭାକାର ପରିବାରକୁ ସହାୟତା ଯୋଗାଇ ଦେବାକୁ କାଜୁପଦରର ବିଜୟ ରଣା ଓ ଚାହାଳିର ପ୍ରଶାନ୍ତ ରଣା ଦାବି କରିଛନ୍ତି। କୁମ୍ଭାକାରଙ୍କ ବେଉଷାକୁ କରୋନା ମାଡ ହୋଇଥିବାରୁ ସେମାନଙ୍କ ପରିବାର ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ସେମାନଙ୍କୁ ଅନ୍ୟମାନଙ୍କ ଭଳି କରୋନା ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର