ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ଆମ୍ବ ଉତ୍ପାଦନ ହ୍ରାସ ପାଇଥିଲା। ଯାହାକିଛି ଆମ୍ବ ଆସିଥିଲା କରୋନା ଯୋଗୁଁ ବଜାରକୁ ବିକ୍ରି କରିବା ପାଇଁ ଚାଷୀ ଆଣିପାରିନଥିଲେ । ଗତବର୍ଷ ଓରମାସ ପକ୍ଷରୁ ୩୦ ମେଟ୍ରିକ ଟନ କ୍ରୟ କରାଯାଇ ରପ୍ତାନି କରାଯାଇଥିବା ବେଳେ ଚଳିତବର୍ଷ ଗୋଟିଏ ମଧ୍ୟ ଆମ୍ବ କ୍ରୟ କରାଯାଇପାରିନାହିଁ । ଫଳରେ ଚାଷୀଙ୍କ ଆମ୍ବ ଅର୍ଥନୀତି ଭୁଶୁଡି ପଡିବା ଘଟଣା ଚିନ୍ତାର କାରଣ ପାଲଟିଛି ।
/sambad/media/post_attachments/wp-content/uploads/2020/07/amrapali-mango-500x500-300x203.jpg)
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୧୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ପ୍ରାୟ ୧୨ ହଜାର ହେକ୍ଟର ଜମିରେ ୧୦ ହଜାର ରୁ ଉର୍ଦ୍ଧ୍ବ ଚାଷୀ ହାଇବ୍ରିଡ଼ ଆମ୍ବ ଚାଷ କରିଥାନ୍ତି । ଚାଷୀ ମାନଙ୍କ ପକ୍ଷରୁ ସିନ୍ଧୁ, ଚୌସା, ରତ୍ନା, ଲୁଚିକା, କଳାପାହାଡ଼, ଆଲଫାନସୋ, ଲେଙ୍ଗଡ଼ା, କଞ୍ଚାସୁଆଦି, ମଲ୍ଲିକା, ସୁନ୍ଦରୀ, ଜାହାଙ୍ଗି, ଚନ୍ଦ୍ରୀକା, ଦଶରୀ, ବମ୍ବେଗ୍ରିନ, ଅମରାପଲ୍ଲୀ, ବାଇଗଣପଲ୍ଲୀ ସମେତ ପ୍ରାୟ ୨୬ ରୁ ଅଧିକ ହାଇବ୍ରିଡ଼ ଆମ୍ବ ଚାଷ କରାଯାଇଥାଏ । ଏହି ସୁଆଦି ଆମ୍ବ ଗୁଡିକ ରାଜ୍ୟ ବାହାରେ ବହୁ ଚାହିଦା ରହିଛି । ଏହି ଆମ୍ବ ଗୁଡିକ ଛତିଶଗଡ଼, ମହାରାଷ୍ଟ୍ର, ବିହାର ପ୍ରଭୂତି ରାଜ୍ୟକୁ ରପ୍ତାନୀ ହୋଇଥାଏ । ଗତବର୍ଷ କଳାହାଣ୍ଡି ଓରମାସ ପକ୍ଷରୁ ପ୍ରାୟ ୩୦ ମେଟ୍ରିକ ଟନ ଦଶ ପ୍ରଜାତିର ଆମ୍ବ କ୍ରୟ କରି ରାଜ୍ୟ ବାହାରକୁ ରପ୍ତାନୀ କରାଯାଇଥିଲା । ଜିଲ୍ଲାରେ ଚଳିତବର୍ଷ ଆମ୍ବ ଉତ୍ପାଦନ ଅହେତୁକ ଭାବରେ ହ୍ରାସ ପାଇଛି । ଯେତିକି ଆମ୍ବ ଉତ୍ପାଦନ ହୋଇଥିଲା ସେତିକି ଆମ୍ବ ଲକଡାଉନ ଯୋଗୁଁ ଠିକ ସମୟରେ ବଜାରକୁ ଆସିପାରିଲା ନାହିଁ । ଫଳରେ ଚାଷୀମାନେ ଅତି କମ ଦରରେ ଦଲାଲ ମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ।
/sambad/media/post_attachments/wp-content/uploads/2020/07/mango-300x225.jpg)
ଗ୍ରାମାଞ୍ଚଳର ଚାଷୀମାନେ କୋଭିଡ କଟକଣା ଯୋଗୁଁ ବିକ୍ରି କରି ନପାରି କ୍ଷତିଗ୍ରସ୍ତ ହୋଇଛନ୍ତି । ଆମ୍ବ ଉତ୍ପାଦନ କରିଥିବା ଚାଷୀମାନେ ସରକାରଙ୍କ ପକ୍ଷରୁ କ୍ରୟ ପାଇଁ ଆଗୁଆ ଠୋସ ପଦକ୍ଷେପ ନେଇ ନଥିବା ଯୋଗୁଁ ଭାଗ୍ୟକୁ ଆଦରି ପଡି ରହିଥିଲେ । ଲକଡାଉନ ଖୋଲିଲା ବେଳକୁ ବହୁ ଆମ୍ବ ସଢ଼ି ଯାଇଥିବା ଯୋଗୁଁ ବିକ୍ରି ଉପଯୋଗୀ ହୋଇ ପାରିଲା ନାହିଁ । ରାଜ୍ୟ ବାହାରୁ ଆସୁଥିବା ଦଲାଲ ମାନେ ମଧ୍ୟ କଟକଣା ଯୋଗୁଁ ଆମ୍ବ ଚାଷୀଙ୍କ ପାଖରେ ପହଞ୍ଚି ପାରିଲା ନାହିଁ । କାଁ ଭାଁ ସ୍ଥାନୀୟ ବେପାରୀ ଆମ୍ବଚାଷୀଙ୍କ ପାଖରେ ପହଞ୍ଚି ମୁଲଚାଳ କରି ଅତି କମ ଦରରେ କ୍ରୟ କରିଥିଲେ । ଚାଷୀଙ୍କ ପାଇଁ ଜିଲ୍ଲାରେ ଶୀତଳ ଭଣ୍ଡାର ନ ଥିବା ଯୋଗୁଁ ବହୁ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖି ପାରିଲେ ନାହିଁ । କରୋନା ଯୋଗୁଁ ଗ୍ରାହକମାନେ ଆମ୍ବ ବଜାରରୁ ମୁହଁ ଫେରେଇ ନେଇଥିଲେ । କିଛି ଆମ୍ବ ବ୍ୟବସାୟୀ ରାଜ୍ୟ ବାହାରୁ ଆଣି ଆମ୍ବ ବିକ୍ରି କରିଥିଲେ । ରାଜ୍ୟ ସରକାରଙ୍କ ଠୋସ ପଦକ୍ଷେପ ନିଆନଯିବା ଯୋଗୁଁ ଚାଷୀଙ୍କ ଆମ୍ବ ଅର୍ଥନୀତି ଭୁଶୁଡି ପଡିଛି । ବର୍ଷକୁ ଥରେ ଅମଳ ହେଉଥିବା ଆମ୍ବ ବିକ୍ରି ଅଭାବ ଯୋଗୁଁ ବର୍ଷ ସାରା ନିର୍ଭର କରୁଥିବା ଚାଷୀ ମାନେ କିଭଳି ଖର୍ଚ୍ଚ ଅର୍ଥ ଭରଣା କରିବେ ଚିନ୍ତାର କାରଣ ପାଲଟିଛି । ଏ ନେଇ ଓରମାସର ଅତିରିକ୍ତ ନିର୍ଦେଶକ ଜର୍ଜ କେରକେଟାଙ୍କୁ ପଚାରିବାରୁ ଚଳିତବର୍ଷ ଅହେତୁକ ଭାବରେ ଆମ୍ବ ଉତ୍ପାଦନ ହ୍ରାସ ପାଇଥିଲା । ଗତବର୍ଷ ଆମେ ପ୍ରାୟ ୩୦ ମେଟ୍ରିକ ଟନ ଚାଷୀଙ୍କ ଠାରୁ ଆମ୍ବ କ୍ରୟକରି ରାୟପୁର ଟର୍ମିନାଳ ମାର୍କେଟ , ଭୁବନେଶ୍ୱର ଆମ୍ବ ପ୍ରଦର୍ଶନୀ ଓ ଭବାନୀପାଟଣା ଆମ୍ବ ଆଉଟଲେଟ ଜରିଆରେ ବିକ୍ରି କରିଥିଲୁ । ଚଳିତବର୍ଷ ଭବାନୀପାଟଣା ସହରରେ ୬ ଟି ଆଉଟଲେଟ ବୁକିଂ କରି ରଖା ଯାଇଥିଲା । ଗୋଟିଏ ମଧ୍ୟ ଚାଷୀ ଆମ୍ବ ବିକ୍ରି କରିବା ପାଇଁ ଆଣିନଥିଲେ ବୋଲି କହିଥିଲେ ।