ଝାରସୁଗୁଡ଼ାରେ କରୋନା ମୁକାବିଲା କେମିତି ଚାଲିଛି

ଝାରସୁଗୁଡ଼ା : ଗତ ଏକ ମାସ ଧରି ସାରା ରାଜ୍ୟରେ ଚାଲିଛି କରୋନା ମୁକାବିଲା ପାଇଁ ପ୍ରକ୍ରିୟା ସେହି ଅନୁଯାୟୀ ଝାରସୁଗୁଡ଼ା ପ୍ରଶାସନ ମଧ୍ୟ ଏହି ମୁକାବିଲା କାର୍ଯ୍ୟରେ ନିଜକୁ ସାମିଲ କରିଛି। ଜିଲ୍ଲାପାଳ ସରୋଜ ସାମଲ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଉପଜିଲ୍ଲାପାଳ ଶିବ ଟପ୍ପୋଙ୍କ ସମେତ ଏସ୍ପି ଅଶ୍ବିନୀ ମହାନ୍ତି ସରକାରଙ୍କ ନିୟମ ପାଳନ କରୁଛନ୍ତି। ତେବେ କେମିତି ଚାଲିଛି ଏହି ମୁକାବିଲା କାମ…..

ସ୍ବାବ୍ ପରୀକ୍ଷା ରିପୋର୍ଟ ଆସିବାରେ ବିଳମ୍ବ
ଝାରସୁଗୁଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଦେଶରୁ ଆସିଥିବା ଲୋକ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିବା ସହିତ ଆବଶ୍ୟକ ସ୍ଥଳେ ସେମାନଙ୍କ ସ୍ବାବ୍ ସଂଗ୍ରହ କରି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରକୁ ପଠାଯାଉଛି। ତେବେ ରିପୋର୍ଟ ଆସିବାରେ ଅହେତୁକ ବିଳମ୍ବ କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କ ଥମୁନଥିବା ଦେଖା ଯାଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଗତ ମାର୍ଚ୍ଚ ୨୭ ତାରିଖ ଠାରୁ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବା ଆରମ୍ଭ ହେଲାଣି। ଆଜି ପର୍ଯ୍ୟନ୍ତ ୧୭୫ ଜଣଙ୍କ ସ୍ବାବ୍ ପରୀକ୍ଷା ପାଇଁ ଯାଇଥିବା ବେଳେ ରିପୋର୍ଟ ଆସିଛି ମାତ୍ର ୫୦ ଜଣଙ୍କ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଅସ୍ଥାୟୀ ସ୍ଥାନରେ ଏହି ସ୍ବାବ୍ ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରଶିକ୍ଷିତ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଏକ ପରିବହନ ସଂସ୍ଥା ସନ୍ଦିଗ୍ଧ ରୋଗୀଙ୍କୁ ଗାଡ଼ିରେ ଆଣି ତାଙ୍କ ସ୍ବାବ୍ ସଂଗ୍ରହ କରି ପୁଣି ତାଙ୍କୁ ନେଇ ଛାଡ଼ିଥାନ୍ତି। ସେହି ଅନୁଯାୟୀ ଗତ ମାର୍ଚ୍ଚ ୨୭ରେ ୫ ଜଣ, ୨୮ରେ ୬, ୩୧ରେ ୧୦, ୨ରେ ୧୧, ୩ ରେ ୧୨, ୪ରେ ୧୧, ୫ରେ ୧୨, ୬ରେ ୧୬, ୭ରେ ୧୬, ୮ରେ ୧୭, ୯ରେ ୧୫, ୧୨ରେ ୫, ୧୩ରେ ୧୨, ୧୪ରେ ୧୩ ଓ ୧୫ ତାରିଖରେ ୧୪ ଜଣଙ୍କ ସ୍ବାବ୍ ସଂଗ୍ରହ କରାଯାଇ ପଠାଯାଇ ସାରିଛି। ଏଠାରେ ବିମାନ ବନ୍ଦର, ବେଦାନ୍ତ କାରଖାନା, ଟିଆରଏଲ କ୍ରୋସାକି ଓ ରେଳ ଜଙ୍କସନ୍ ଥିବାରୁ ଝାରସୁଗୁଡ଼ା ଜିଲ୍ଲାକୁ ପୂର୍ବରୁ ଏକ ସମ୍ବେଦନଶୀଳ ଅଞ୍ଚଳ ଭାବରେ ଗଣାଯାଇଥିଲା।

ଏବେବି ଏକାନ୍ତବାସରେ ୧୭୪ ଜଣ
ସରକାରୀ ହିସାବରେ ଝାରସୁଗୁଡ଼ା ଜିଲ୍ଲାର ଏକାନ୍ତବାସରେ ଏବେ ଅଛନ୍ତି ୧୭୪ ଜଣ ବ୍ୟକ୍ତି। ଜିଲ୍ଲାକୁ ବିଦେଶରୁ ଆସିଥିବା ମୋଟ ୬୪ ଜଣ ବ୍ୟକ୍ତି ପଞ୍ଜିକରଣ କରିଥିବା ବେଳେ ଇତିମଧ୍ୟରେ ସମସ୍ତଙ୍କ ଏକାନ୍ତବାସର ସମୟ ସୀମା ସରିଯାଇଛି। ରାଜ୍ୟ ଭିତରୁ ଆସିଥିବା ଲୋକଙ୍କ ସଂଖ୍ୟାର କୌଣସି ନିଦ୍ଦିଁଷ୍ଟ ହିସାବ ସ୍ବାସ୍ଥ୍ୟ ବିଭାଗ ପାଖରେ ରହୁନଥିବା ବେଳେ ଏଭଳି ଲୋକଙ୍କ ମଧ୍ୟରୁ ଏବେ ୧୭୪ ଜଣ ଏକାନ୍ତବାସରେ ଥିବା ଜଣାଯାଇଛି। ରାଜ୍ୟ ବାହାରୁ ପୂର୍ବରୁ ୨୫/୨୬ ଶହ ଲୋକ ଆସିଥିବା ପଞ୍ଜିକରଣ ହୋଇଥିବା ବେଳେ ଏବେ ତାହା ୨୭୦୩ କୁ ବୃଦ୍ଧି ପାଇଛି। ଏହାର କାରଣ ହେଲା ଯେ, ମାଲଗାଡ଼ିରେ ବାହାରୁ ଆସୁଥିବା କର୍ମଚାରୀ ଓ ରାଜ୍ୟ ବାହାରେ ମେଡିକାଲ କାମରେ ଯାଇ ଏବେ ଫେରୁଥିବା ଲୋକଙ୍କ ଯୋଗୁଁ ଏହି ସଂଖ୍ୟା ବଢ଼ୁଥିବା କୁହାଯାଉଛି। ଉଭୟ ଶ୍ରେଣୀର ଲୋକଙ୍କ ସ୍ବାବ୍ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ମାତ୍ର ରିପୋର୍ଟ ଶୀଘ୍ର ଆସୁନଥିବାରୁ ପ୍ରକୃତ ତଥ୍ୟ ଜଣାପଡ଼ିବାରେ ବିଳମ୍ବ ହେଉଛି।

ପଞ୍ଚାୟତ ଏକାନ୍ତବାସ ଖାଲି ରହିଲା
ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳରେ କରାଯାଇଥିବା ଏକାନ୍ତବାସ କେନ୍ଦ୍ର ବହୁ ସ୍ଥାନରେ ଖାଲି ରହିଥିଲା। ଅନେକ ପଞ୍ଚାୟତରେ ନାମକୁ ମାତ୍ର କେନ୍ଦ୍ର ଖୋଲାଯାଇଥିଲା। ଯଦି ଆକାଳନ କରାଯାଏ ତେବେ ମୋଟ ଏକାନ୍ତବାସ କେନ୍ଦ୍ର ମଧ୍ୟରୁ ମାତ୍ର ୧୦ ପ୍ରତିଶତ କେନ୍ଦ୍ରରେ କିଛି ଲୋକ ରହିଥିବା କୁହାଯାଉଛ। ଅନେକ ପଞ୍ଚାୟତରେ ଏବେ ଏହି କେନ୍ଦ୍ରର ଚିହ୍ନବର୍ଣ୍ଣ ମଧ୍ୟ ଆଉ ନାହିଁ। ସରକାର ଗୋଟିଏ କେନ୍ଦ୍ର ପାଇଁ ୫ ଲକ୍ଷ ଟଙ୍କା ଯୋଗାଇ ଦେଇଥିବା ବେଳେ ଅନେକ ସ୍ଥାନରେ ଏହା ଅପବ୍ୟବହାର ଓ ଚଞ୍ଚକତା କରାଯାଇ ବାଟମାରଣା କରାଯାଇଥିବା ଅଭିଯୋଗ ହୋଇଛି।

କୋଭିଡ୍ ହସପିଟାଲରେ ଦୁଇଟି ସଂସ୍ଥାର ଅର୍ଥ
ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ହସପିଟାଲ ଖୋଲି ସାରିଥିବା ବେଳେ ଝାରସୁଗୁଡ଼ାରେ କୋଭିଡ୍ ହସପିଟାଲ ଖୋଲିବାରେ ଅହେତୁକ ବିଳମ୍ବ ଘଟିଛି। କୋଭିଡ୍ ହସପିଟାଲ ଆରମ୍ଭ କରୁ କରୁ ମୁଣ୍ଡରେ ଚାଳ ବାଜିଲା ଭଳି ଘଟଣା ଘଟିଥିଲା। ପ୍ରଥମେ ଏହି ହସପିଟାଲକୁ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ବ୍ଲାକ୍ ଡାଇମଣ୍ଡ କଲେଜରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର କଲେଜ କର୍ତ୍ତୃପକ୍ଷ ଏହାକୁ ବିରୋଧ କରିବା ସହିତ କଲେଜ ପରିଦର୍ଶନ କରୁଥିବର ବେଳେ ପିଡ଼ି ଏବଂ ଡିପିଏମ୍ଙ୍କୁ ଅସଦ ଆଚରଣ କରି ଜେଲ ଯାଇଥିଲେ। ଲହଣ୍ଡାବୁଡ଼ ନବୋଦୟ ସ୍କୁଲରେ ମଧ୍ୟ ପ୍ରସ୍ତାବ ହୋଇ ତାହା ବାତିଲ ହୋଇଥିଲା। ଶେଷ ମୁହୂତ୍ତର୍ରେ ପ୍ରଶାସନ ପକ୍ଷରୁ ମଙ୍ଗଳବଜାର ମୁଖ୍ୟ ଚିକତ୍ସାଳୟର ପୁରୁଣା କୋଠାରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଜିଲ୍ଲା କଣିଜ ପାଣ୍ଠି ଓ ବେଦାନ୍ତ ପକ୍ଷରୁ ଅର୍ଥ ବ୍ୟୟ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପରିଚାଳନା ଭାର ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜକୁ ଦିଆଯାଇଛି।

ଖାଦ୍ୟ ବିତରଣ ପାଇଁ ପ୍ରତିଯୋଗିତା
କରୋନା ଲକ୍ଡାଉନ୍ ଯୋଗୁଁ ବିଶେଷ ପରି ଗରୀବ ଶ୍ରେଣୀର ଲୋକେ ବେଶୀ ପ୍ରଭାବିତ ହେଉଥିବା ଦେଖା ଯାଉଛି। ଠେଲା ବ୍ୟବସାୟୀ, ଉଠା ଦୋକାନୀ, ହୋଟେଲ ଶ୍ରମିକ, ମେକାନିକ୍, ଅଟୋ ଚାଳକ, ରିକ୍ସାବାଲା, ଟ୍ୟାକ୍ସି ଚାଳକ, ଛୋଟ ଚା,ପାନ ଦୋକାନୀ ଓ ଭିକାରୀ। ତେବେ ଏଭଳି ଲୋକ ଯେଉଁମାନେ କୌଣସି ସରକାରୀ ଯୋଜନାରେ ସାମିଲ ନୁହନ୍ତି ସେମାନଙ୍କୁ ସରକାରୀ ସ୍ତରରେ ପ୍ରତିଦିନ ଖାଇବାକୁ ଦେବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରଣୟନ କରି ପଞ୍ଚାୟତ ଓ ପୌରସଂସ୍ଥା ମାନଙ୍କୁ ଦାୟିତ୍ବ ଦେଇଛନ୍ତି। ମାତ୍ର ଝାରସୁଗୁଡ଼ାରେ ଦୁଇ ଡଜନରୁ ଅଧିକ ସ୍ବେଚ୍ଛୋସେବୀ ଓ ସାମାଜିକ ସଂଗଠନ ବିଭିନ୍ନ ଅଞ୍ଚଳରେ ଖାଦ୍ୟ ବିତରଣ କରୁଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ, ଜଣଙ୍କ ପାଖକୁ ଚାରି ଗୋଟି ସଂସ୍ଥାରୁ ଏକାସାଙ୍ଗରେ ମଧ୍ୟାହ୍ନ ଭୋଜନ ପହଞ୍ଚୁଛି। କିଛି ଲୋକ ଏକା ସାଙ୍ଗରେ ଅଧିକ ପରିମାଣରେ ଖାଦ୍ୟ ପାଉଥିବାରୁ ତାକୁ ଖାଇନପାରି ଫିଙ୍ଗି ଦେଉଥିବା ମଧ୍ୟ ଦେଖା ଯାଉଛି।

ମାଜିଷ୍ଟ୍ରେଟ୍‌ଙ୍କ ସାଇରନ୍ ନିଶା
କରୋନା ଲକ୍‌ଡାଉନ ପାଳନ କରିବା ପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ମାନ ନିଆଯାଇଛି। ସହରର ବିଭିନ୍ନ ସ୍ଥାନରେ ୭/୮ ଗୋଟି ସ୍ଥାନରେ ପୁଲିସ ଯାଞ୍ଚ କରୁଛି। ସେହି ସ୍ଥାନ ଗୁଡ଼ିକରେ ରାସ୍ତା ଅବରୋଧ କରି ସେଠାରେ ଜଣେ ମାଜିଷ୍ଟ୍ରେଟ୍, ପୁଲିସ ଅଧିକାରୀ ଓ ପୁଲିସ କର୍ମଚାରୀ ଜଗି ରହୁଛନ୍ତି। ମାଜିଷ୍ଟ୍ରେଟ୍ ମାନଙ୍କୁ ସାଇରନ୍ ଲାଗିଥିବା ଗାଡ଼ି ପ୍ରଦାନ କରାଯାଇଛି। ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା କିଛି ଅଧିକାରୀ ଏହାକୁ ବ୍ୟବହାର କରୁନଥିବା ବେଳେ ଆଉ କିଛି ଅଧିକାରୀ ଦିନ ରାତି ନନ୍‌ଷ୍ଟପ ଏହି ସାଇରନ୍ ବଜାଇ ଗାଡ଼ିରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର