କରୋନାର ଲମ୍ବ ଡିଆଁ: ଦିନକରେ ୩୦% ବୃଦ୍ଧି, ୧୦୪୩ ପଜିଟିଭ୍, ଜଣେ ମୃତ

ଠିକ୍ ସମୟରେ ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି: ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ରାଜ୍ୟରେ ‌ଗୋଟିଏ ଦିନରେ କରୋନା ଲମ୍ବା ଡିଆଁ ମାରିଛି। ଦିନକରେ ୩୦ ପ୍ରତିଶତ ବଢ଼ିବା ସହିତ ଦୈନିକ ସଂକ୍ରମଣ ହଜାର ପାର୍ କରିଛି। ଏକାଧିକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। କେବଳ ସଂକ୍ରମିତଙ୍କ ସଂଖ୍ୟା ବଢ଼ିନାହିଁ, ମୃତ୍ୟୁ ସଂଖ୍ୟା ବି ବଢ଼ିଛି। କରୋନାର ଚତୁର୍ଥ ଲହର ଏବେ ଧୀରେ ଧୀରେ ଓଡ଼ିଶାକୁ ଡରାଇବାକୁ ଆରମ୍ଭ କଲାଣି। ରାଜ୍ୟରେ କରୋନାର ଓମିକ୍ରନ୍ ପ୍ରଜାତି ବାଦ୍ ଅନ୍ୟ କୌଣସି ପ୍ରଜାତି ଚିହ୍ନଟ ହୋଇନାହିଁ। ହେଲେ ସଂକ୍ରମଣ ଉପରମୁହାଁ ହୋଇଛି। ସଂକ୍ରମଣକୁ ଦେଖି ଏକାଧିକ ସହରରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। କରୋନାର ପୂର୍ବ ଲହର ତୁଳନାରେ ଚଳିତ ‌ଲହରରେ ଲୋକମାନେ ସେତେଟା ସତର୍କତା ଅବଲମ୍ବନ କରୁଥିବା ଦେଖିବାକୁ ମିଳୁନାହିଁ। ସାମାଜିକ ଦୂରତାକୁ ଲୋକମାନେ ଭୁଲି ଗଲେଣି। ଏହାସହ ସ୍କୁଲ କଲେଜରେ ପାଠପଢ଼ା ଜାରି ରହିଥିବାରୁ ବହୁ ସଂଖ୍ୟାରେ ପିଲା ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। ତେବେ ଠିକ୍ ସମୟରେ ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ସରକାର ପଜିଟିଭିଟି ରେଟ୍ ଦେଖି ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି ନେବେ। ଯେତେ ପର୍ଯ୍ୟନ୍ତ ସେଭଳି ପରିସ୍ଥିତି ନ ଆସିଛି ସବୁ ବନ୍ଦ କରିଦେବା ଠିକ୍ ନୁହେଁ। ସରକାର ଠିକ୍ ସମୟରେ ଏହାର ନିଷ୍ପତ୍ତି ନେବେ। ସ୍କୁଲ, କଲେଜ ଭିଡ଼ ହେଉଥିବା ଅଞ୍ଚଳରେ ଉପରେ ଫୋକସ୍ ଦିଆଯିବ। ଆତଙ୍କିତ ହୁଅନ୍ତୁ ନାହିଁ କିମ୍ବା ଅବହେଳା କରନ୍ତୁ ନାହିଁ। ଏବେ ଘରେ ଘରେ ଥଣ୍ଡା ଜ୍ବର ଦେଖିବାକୁ ମିଳୁଛି। ତେଣୁ ଲକ୍ଷଣ ଆସିଲେ, ତୁରନ୍ତ ଟେଷ୍ଟ କରାଇନିଅନ୍ତୁ। କୋଭିଡ ସଂକ୍ରମଣ ଯେତେବେଳେ ବଢୁଛି ତା ସହ ପଜିଟିଭ୍ ରେଟ୍ ବି ବଢୁଛି, ଏହା ଗ୍ରହଣ କରିବାକୁ ପଡ଼ିବ। କିନ୍ତୁ ପୂର୍ବ ଲହରଗୁଡ଼ିକ ଅପେକ୍ଷା ବଢିବା ହାର କମ୍ ରହିଛି। ହସ୍ପିଟାଲାଇଜେସନ ରେଟ୍ ଏତେ ଉଦବେଗଜନକ ନୁହେଁ। ସମୁଦାୟ ପଜିଟିଭ ମାମଲାରୁ ମାତ୍ର ୧.୧ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ତେଣୁ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ରହିଛି। ଯେତେବେଳେ ଦରକାର ପଡ଼ିବ ବ୍ୟବସ୍ଥାକୁ ବଢ଼ାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଅନ୍ୟ ସ୍ଥାନରେ ସଂକ୍ରମଣ ବଢୁଛି। ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟଗୁଡ଼ିକରେ ଯେବେ ବଢ଼ିଥାଏ, ତା’ର କିଛି ଦିନ ବ୍ୟବଧାନରେ ଓଡ଼ିଶାରେ ବଢ଼ିବା ଆରମ୍ଭ କରିଥାଏ। ତେଣୁ ଥରେ ବଢ଼ିବା ଆରମ୍ଭ ହେଲେ କିଛି ଦିନ ନିଶ୍ଚିତ ଭାବରେ ବଢ଼ିବ। ଯେତେବେଳେ ମହାମାରୀ ବଢେ, କିଛି ଦିନ ବଢ଼ିଲା ପରେ ସ୍ଥିରତା ଆସେ ଓ ପରେ ହ୍ରାସ ପାଏ। ଏବେ ସଂକ୍ରମଣ ଉପରମୁହାଁ ରହିଛି। କେବେ ଏଥିରେ ସ୍ଥିରତା ଆସିବ ତାହା କହିହେବ ନାହିଁ। ବିଭାଗ ପକ୍ଷରୁ ସର୍ଭିଲାନ୍ସକୁ ଆହୁରି ଜୋରଦାର କରାଯିବ। ଆଜିଠାରୁ ୧୮ରୁ ଅଧିକ ବର୍ଗଙ୍କ ପାଇଁ ପ୍ରିକସନ ଡୋଜର ଟିକାକରଣ ଆରମ୍ଭ ହୋଇଛି। ସବୁ ଦିନର ପରିସଂଖ୍ୟାନକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେଉଛନ୍ତି ବୋଲି ଡା.ମହାପାତ୍ର କହିଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ବର୍ଷରୁ କମ୍ ୧୦୦ ଜଣ ପିଲା ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୩୩୫, କଟକ ୨୦୫, ସୁନ୍ଦରଗଡ଼ ୧୦୬, ସୋନପୁର ୩୨, ସମ୍ବଲପୁର ୩୧, ଜଗତସିଂହପୁର ୨୨ ଓ ଷ୍ଟେଟ୍‌ ପୁଲରୁ ୭୯ ଜଣ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟର ସଂକ୍ରମଣ ହାର ରହିଛି ୫.୫୯ ପ୍ରତିଶତ। ତେବେ ରାଜ୍ୟ ତୁଳନାରେ ବୌଦ୍ଧରେ ୧୬, ଖୋର୍ଧା ୧୩.୩, ସୋନପୁର ୧୨.୭. କଟକ ୧୧.୧ ଓ ସୁନ୍ଦରଗଡ଼ରେ ୮.୪ ସଂକ୍ରମଣ ହାର ଦେଖିବାକୁ ମିଳିଛି। ଚତୁର୍ଥ ଲହରରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘୋଷଣା ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୧୨୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୫୧୪ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ୪୩୧୧ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର