କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ହେଲେ ହସ୍ପିଟାଲରେ ବେଡ୍ ଖାଲି; ମାସ ଶେଷ ସୁଦ୍ଧା ଶୀର୍ଷ ଛୁଇଁପାରେ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ପ୍ରତ୍ୟକ ଦିନ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ମାଡି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କିନ୍ତୁ ଆଶ୍ୱସ୍ତିର କଥା ହେଉଛି, ଯେଉଁ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ସେହି ଅନୁସାରେ ହସ୍ପିଟାଲରେ ଭର୍ତ୍ତି ହେଉନାହାନ୍ତି । ହସ୍ପିଟାଲରେ ଖୁବ୍ କମ୍ ଆକ୍ରାନ୍ତଙ୍କୁ ଭର୍ତ୍ତି ହେବାକୁ ପଡୁଛି । ଦେଶରେ ଦିନକରେ ୨ ଲକ୍ଷ ୪୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ଲମ୍ବଡିଆଁ ମାରୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୦ ହଜାର ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦିନକ ପୂର୍ବରୁ ଏହା ୮ ହଜାର ୭୭୮ ଥିଲା । ଜାନୁଆରୀ ୧ ତାରିଖରୁ ୧୩ ମଧ୍ୟରେ ସ୍ଥିତିରେ ୩୩ ଗୁଣରୁ ଅଧିକ ହୋଇଯାଇଛି ଦୈନିକ ସଂକ୍ରମଣ । ଏହି ଅନୁପାତରେ ସଂକ୍ରମଣ ବୃଦ୍ଧି ପାଇଲେ ଅଳ୍ପ ଦିନ ମଧ୍ୟରେ ଦ୍ୱିତୀୟ ଲହର ପିକକୁ ପଛରେ ପକାଇ ଦେବ ତୃତୀୟ ଲହର ସଂକ୍ରମଣ । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଦେଶ ଓ ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଛି । କିଛି ଦିନ ଏପରି ବଢ଼ିବା ପରେ ଆଉ କିଛି ଦିନ ସମାନ୍ତରାଳ ଭାବେ ଗତି କରିବ ଦୈନିକ ସଂକ୍ରମଣ । ଏହାପରେ ତଳମୁହାଁ ହେବ କରୋନା ମିଟର । ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ରାଜ୍ୟରେ ଜାନୁଆରି ଶେଷ ଆଡକୁ ରାଜ୍ୟରେ ପିକ୍ ଛୁଇଁବ । ପିକ୍ ସମୟରେ ୩୦ ହଜାର ଟପିପାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ।

ଓଡ଼ିଶା କରୋନା ମିଟର

୧୩ ଜାନୁଆରି ୧୦,୦୫୯
୧୨ ଜାନୁଆରି ୮,୭୭୮
୧୦ ଜାନୁଆରି ୪,୮୨୯
୭ ଜାନୁଆରି ୨,୭୦୩
୪ ଜାନୁଆରି ୬୪୦
୧ ଜାନୁଆରି ୨୯୮
ଏ ହେଉଛି ଓଡ଼ିଶାର କରୋନା ମ୍ୟାପ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଜିଲ୍ଲା ରେଡ୍ ଜୋନରେ ରହିଛି । ଖୋର୍ଦ୍ଧାରେ ୧୪ ହଜାର ଉପରେ ପହଁଚିଛି ସଂକ୍ରମିତଙ୍କ ସଂଖ୍ୟା । ଏହା ତଳକୁ ସୁନ୍ଦରଗଡ଼, ସମ୍ବଲପୁର ଓ କଟକ ରହିଛି । ସେହିପରି ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ଦୃଷ୍ଟିରୁ ୧୦ଟି ଜିଲ୍ଲାକୁ ରେଡ୍ ଜୋନରେ ରଖାଯାଇଛି । ସୁନ୍ଦରଗଡ଼ରେ ସଂକ୍ରମଣ ହାର ୨୮ ପ୍ରତିଶତ ଟପିଛି, ସେହିପରି ଖୋର୍ଦ୍ଧାରେ ୨୦ ପ୍ରତିଶତ ଉପରେ ରହିଛି ସଂକ୍ରମଣ ହାର ।

ସଂକ୍ରମଣ ହାର ବଢ଼ୁଥିଲେ ବି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଆନୁପାତିକ ଦୃଷ୍ଟିରୁ ବହୁତ କମ୍ ରହିଛି । ଓମିକ୍ରନ ପ୍ରଭାବ ବିସ୍ତାର କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ନିଆଁ ଭଳି ବ୍ୟାପୁଛି । ମାତ୍ର ଅଧିକାଂଶ ରୋଗୀ ଗୁରୁତର ହେଉନାହାନ୍ତି । ଅନେକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁନାହିଁ । ଅକ୍ସିଜେନ୍ ଆବଶ୍ୟକତା ମଧ୍ୟ ଦ୍ୱିତୀୟ ଲହର ଠାରୁ ଯଥେଷ୍ଟ କମ ରହିଛି ।

ନଜର ପକାନ୍ତୁ, ଓଡ଼ିଶାରେ ହସ୍ପିଟାଲ୍ ସ୍ଥିତି ଉପରେ

*ଜେନେରାଲ ବେଡ୍ ୬.୫୧ ପ୍ରତିଶତ ଭର୍ତ୍ତି ହୋଇଛି
*୧୨.୫୧ ପ୍ରତିଶତ ଆଇସିୟୁରେ ରୋଗୀ ଅଛନ୍ତି
*୩.୬୨ ପ୍ରତିଶତ କ୍ରିଟିକାଲ୍ କେୟାରରେ ରୋଗୀ ଚିକିତ୍ସିତ ହେଉଛନ୍ତି

କେନ୍ଦ୍ର ସରକାରଙ୍କୁ ଭାରତୀୟ ଶିଳ୍ପ ସଂଘର ଚିଠି । ମନଇଚ୍ଛା କଟକଣା ନଲଗାଇବାକୁ ପରାମର୍ଶ । ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ଦେଖି, ମନ ଇଛା କଟକଣା ନଲଗାଇ, ହସ୍ପିଟାଲରେ ଭର୍ତି ହେଉଥିବା ରୋଗୀ ସଂଖ୍ୟାକୁ ଦେଖି ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛି ସିଆଇଆଇ । ବିଶେଷକରି ଆଇସିୟୁ ଭେଣ୍ଟିଲେଟରରେ କେତେ ରୋଗୀ ଭର୍ତ୍ତି ହେଉଛନ୍ତି, କେତେ ଅକ୍ସିଜେନର ଆବଶ୍ୟକତା ପଡୁଛି, ତାକୁ ଦେଖି କଟକଣା ଲଗାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ବୁଷ୍ଟର ଡୋଜ୍ ଟିକା ଓ କିଶୋରଙ୍କ ଟିକାକୁ ଆହୁରି ଅଧିକ କରିବାକୁ ଜୋର ଦେଇଛନ୍ତି । ମନଇଚ୍ଛା କଟକଣା ଲଗାଇଲେ ଦେଶରେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରହିବ ନାହିଁ ବୋଲି ସତର୍କ କରି ଦେଇଛି ଭାରତୀୟ ଶିଳ୍ପ ସଂଘ ।

ସମ୍ବନ୍ଧିତ ଖବର