ସବୁ ଜିଲ୍ଲାରେ ହେବ କରୋନା ହସ୍ପିଟାଲ: ମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ, ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ୍ -୧୯ ହସ୍ପିଟାଲ ଖୋଲାଯିବ। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏଭଳି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, କଟକ ବଡ଼ ମେଡିକାଲରେ ନମୁନା ପରୀକ୍ଷା ପାଇଁ ଆଇସିଏମଆର୍ ଆଜି ଅନୁମତି ଦେଇଥିବା ମନ୍ତ୍ରୀ ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଆଜି ଝାରସୁଗୁଡାରେ କୋଭିଡ୍-୧୯ ହସ୍ପିଟାଲ ଖୋଲିବା ନେଇ କେୟାର ଓ ବିକାଶ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ସରିଛି। ଅନ୍ୟ ଜିଲ୍ଲାମାନଙ୍କ କ୍ଷେତ୍ରରେ ମଧ୍ୟ ଘରୋଇ ହସ୍ପିଟାଲ ସହିତ ଯୋଗାଯୋଗ କରି ଏ ଦିଗରେ ପଦକ୍ଷେପ ନିଆଯିବ। ଏବେ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଓ ସୁନ୍ଦରଗଡ ଜିଲ୍ଲାରେ କୋଭିଡ୍-୧୯ ହସ୍ପିଟାଲ ଖୋଲିବା ପାଇଁ ବିଚାର ଚାଲିଛି।
ଏକ ପ୍ରେସ ବିଜ୍ଞପ୍ତିରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ପ୍ରତି ଗୁରୁବାର ଦିନ ମନ୍ତ୍ରୀସ୍ତରୀୟ ଉଚ୍ଚକ୍ଷମତା ସଂପନ୍ନ ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଏସବୁ ବିଷୟରେ ତଦାରଖ କରାଯିବ। ଗତକାଲି ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଅପରାହ୍ନରେ ଟେଲିଫୋନରେ କଥା ହୋଇଥିଲେ। ଏଥିରେ ପିପିଇ ଓ ମାସ୍କ ଯୋଗାଇ ଦେବା ପାଇଁ ମଧ୍ୟ ଦାବି କରିଛନ୍ତି।
ଏହାବ୍ୟତୀତ ଓଡ଼ିଶାର ସମ୍ବଲପୁର ସ୍ଥିତ ବୁର୍ଲା ମେଡିକାଲ କଲେଜ, ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ସହିତ କେତେକ ଘରୋଇ ହସ୍ପିଟାଲକୁ ରକ୍ତ ପରୀକ୍ଷା କରାଇବା ଲାଗି ଅନୁମତି ଦେବାକୁ ଆଇସିଏମଆରରକୁ ନିର୍ଦେଶ ଦେବାକୁ ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗତକାଲି ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ଦାବି ଅନୁସାରେ, କଟକ ବଡ଼ ମେଡିକାଲରେ ରକ୍ତ ନମୁନା ପରୀକ୍ଷା ପାଇଁ ଆଜି ଆଇସିଏମଆର ଅନୁମତି ଦେଇଥିବା ମନ୍ତ୍ରୀ ସୂଚନା େଦଇଛନ୍ତି।

ସମ୍ବନ୍ଧିତ ଖବର