ଭୁବନେଶ୍ବର : କରୋନା ବା କୋଭିଡ୍-୧୯ ଏକ ଲମ୍ବା ଯୁଦ୍ଧ। ଏଥିପାଇଁ ସମସ୍ତଙ୍କୁ ସଚେତନ ହେବା ସହ ଦାୟିତ୍ବବାନ ହେବାକୁ ପଡ଼ିବ। ପୂର୍ବରୁ ଜୀବନ ଓ ଜୀବନଶୈଳୀ ଯେଉଁଠି ଥିଲା, ସେଠାକୁ ଲେଉଟି ଯାଇହେବ ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ନୂତନ ବାସ୍ତବତାକୁ ସ୍ବୀକାର କରିବାକୁ ହେବ ବୋଲି କହିଛନ୍ତି କୋଭିଡ୍-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।
ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ ଯେ ମହାଭାରତ ଯୁଦ୍ଧ ୧୮ ଦିନ ଚାଲିଥିଲା। ୧୯୬୨ରେ ଭାରତ-ଚୀନ୍ ଯୁଦ୍ଧ ୩୪ ଦିନ, ୧୯୬୫ରେ ଭାରତ-ପାକ୍ ଯୁଦ୍ଧ ୧ ମାସ, ୧୯୭୧ରେ ଭାରତ-ପାକ୍ ଯୁଦ୍ଧ ୧୪ଦିନ ପାଇଁ ଚାଲିଥିଲା। କୋଭିଡ୍-୧୯ ପାଇଁ ରାଜ୍ୟ ସରକାର ଗତ ମାସ ୧୫ତାରିଖରେ ଯୁଦ୍ଧ ଘୋଷଣା କରିଥିଲେ। ଗତ ୨୫ଦିନ ଧରି ଲଗାତାର ଏହି ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ସାମିଲ ହୋଇଥିବା ସମସ୍ତ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। କୋଭିଡ୍-୧୯ ଦିନିକିଆ କିମ୍ବା ଟି-୨୦ ମ୍ୟାଚ୍ ନୁହେଁ। କ୍ରିକେଟ୍ ପଡ଼ିଆରେ ଜଣେ ବ୍ୟାଟ୍ସମ୍ୟାନ୍ର ଖେଳିବା ଶୈଳୀ ଓ ଆଉଟ୍ ହେବାର ଶୈଳୀକୁ ଆକ୍ସନ୍ ରିପ୍ଲେ' ଓ ସ୍ଲୋ' ମୋସନ୍ରେ ଦେଖିବାରେ ମଜା ଲାଗିଥାଏ। କିନ୍ତୁ ଆଜିର ସମୟ କ୍ରିକେଟ୍ ନୁହେଁ, କୋଭିଡ୍ର ଖେଳ। ଆବେଗ ନୁହେଁ, ପ୍ରତ୍ୟୟର ସମୟ।
ଶ୍ରୀ ବାଗଚୀ କହିଥିଲେ ଯେ ରାଜ୍ୟରେ ଏବେ ୪୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪ଟି କଣ୍ଟେନମେଣ୍ଟ ଜୋନ୍ ବା ସଂକ୍ରମଣ ଅବରୋଧ ଅଞ୍ଚଳ ଘୋଷଣା ହୋଇଛି। କୋଭିଡ୍ ବିପଦ ନ ଗଲା ପର୍ଯ୍ୟନ୍ତ ଗଣମାଧ୍ୟମକୁ କେବଳ ବ୍ୟବହାର୍ଯ୍ୟ ତଥ୍ୟ ପ୍ରଦାନ କରାଯିବ। ରାଜ୍ୟ ସରକାର ଠିକ୍ ଖବର, ଠିକ୍ ସମୟରେ ପହଞ୍ଚାଇବାକୁ ପ୍ରତିଶ୍ରୁତିବଦ୍ଧ। ମାତ୍ର ଆପାତ୍କାଳୀନ ପରିସ୍ଥିତିରେ ଘଟଣାଟି ଘଟିବା ପରେ ସଙ୍ଗେ ସଙ୍ଗେ ଖବର ଦେବା ସମ୍ଭବ ନୁହେଁ। ପ୍ରତ୍ୟେକ ଘଟଣାର ସମୀକ୍ଷା କରାଯିବା ଉଚିତ ନୁହେଁ। ଯେଉଁଠି ଜନହିତରେ ଜଣେ ବ୍ୟକ୍ତିର ବିବରଣୀ ଦେବା ଆବଶ୍ୟକ, ସରକାରଙ୍କ ପକ୍ଷରୁ ସେହି ବିବରଣୀ ଦିଆଯିବ। ଯେଉଁଠାରେ ସମାଜ ପ୍ରତି କୌଣସି ବିପଦର ଆଶଙ୍କା ନାହିଁ, ସେଠାରେ ବ୍ୟକ୍ତିଗତ ବିବରଣୀ ଦିଆଯିବ ନାହିଁ। ସାଧାରଣ ସମୟରେ ଗୋଟିଏ ଘଟଣାର ଭିତର ଖବର ଗଣମାଧ୍ୟମ ଦେଖାଇଥାଏ। କୋଟିଏ ଚ୍ୟାନେଲ ହେବା ପୂର୍ବରୁ ଗୋଟିଏ ଚ୍ୟାନେଲ ହେବାକୁ ଚେଷ୍ଟା କରିଥାଏ ଗଣମାଧ୍ୟମ। ଅସାଧାରଣ ସମୟରେ ଦାୟିତ୍ବବାନ ହେବାକୁ ପଡ଼ିବ। କୋଭିଡ୍ ହସ୍ପିଟାଲ ଓ ପରୀକ୍ଷାଗାର ସମ୍ମୁଖରେ ଓବି ଭ୍ୟାନ୍ ଠିଆ କରିବାର ସମୟ ନୁହେଁ। କୋଭିଡ୍ ଲଢ଼େଇ କେବଳ ସରକାରଙ୍କ ନୁହେଁ, ସମାଜର ପ୍ରତ୍ୟେକ ମଣିଷ, ବ୍ୟକ୍ତିଗତ ଓ ସାମୂହିକ ଯୁଦ୍ଧ। ଏଥିପାଇଁ ସମସ୍ତଙ୍କୁ ଧୈର୍ଯ୍ୟ ଓ ବିଶ୍ବାସ ରଖିବାକୁ ପଡ଼ିବ। ଏଥିପାଇଁ ଶକ୍ତି ସଂଚୟ କରିବାକୁ ପଡ଼ିବ। ବିଶେଷକରି ଲୋକସେବାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀ, ପୁଲିସ, ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ଶକ୍ତି ସଂଚୟ କରିବାର ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ବାଗ୍ଚୀ କହିଥିଲେ।