କରୋନା ଖୋଲୁଛି ଗୁମର: ଛୁଆଙ୍କ ରାସନ୍‌ ବି ବାବୁ, ବାବୁଆଣୀଙ୍କ ପେଟରେ

ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା, ବଢୁଛି ଅପପୁଷ୍ଟି, ବଲାଙ୍ଗୀରରେ ୫ କୋଟି ୫୫ ଲକ୍ଷର ଦୁର୍ନୀତି!

ବଲାଙ୍ଗୀର/କଣ୍ଟାବାଞ୍ଜି: ଲୋକଙ୍କ ଦୁର୍ଦ୍ଦଶା ବେଳେ ବି ଛାଡ଼ୁନାହାନ୍ତି। ଦାଦନଙ୍କ ଖାଦ୍ୟ, ଭତ୍ତା, ପିଡିଏସ୍‌ ରାସନ୍‌, ରିଲିଫ୍‌, ସଂଗରୋଧ କେନ୍ଦ୍ର ସାମଗ୍ରୀ, ସଂଗରୋଧୀଙ୍କ ଖାଦ୍ୟ ଏମିତିକି ମାସ୍କ୍‌ ପର୍ଯ୍ୟନ୍ତ ବି ଚରି ଯାଉଛନ୍ତି କିଛି ସରକାରୀ ଓ ସରକାରୀକଳ ସହ ସଂପୃକ୍ତ ବେସରକାରୀ ବାବୁ। ସରକାର ଲୋକଙ୍କୁ ସଂକଟରୁ ରକ୍ଷା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ସେଥିରୁ ସିଂହଭାଗକୁ ବାଟରେ ହଡ଼ପ କରିବା ଲାଗି ଲୋକେ ଜଗି ବସିଛନ୍ତି। ସବୁଆଡ଼େ ଦୁର୍ନୀତି ଜଳଜଳ ହୋଇ ଦିଶିଲାଣି। ବଲାଙ୍ଗୀର ଭଳି ଦାଦନ ପ୍ରବଣ ଜିଲ୍ଲାରେ ଦାଦନଙ୍କ ଚାଉଳ ବାଟମାରଣା ହେଉଥିବା ସଂପର୍କରେ ଅନୁସନ୍ଧାନ କରୁ କରୁ ଆହୁରି ସାଂଘାତିକ ତଥ୍ୟ ସାମନାକୁ ଆସିଲାଣି। ଲକ୍‌ଡାଉନ୍‌ ବେଳେ ଜିଲ୍ଲାର ଗରିବ, ପୁଷ୍ଟିହୀନ ଅଙ୍ଗନବାଡ଼ି ଶିଶୁଙ୍କ ଖାଦ୍ୟ ବି ଚଳୁ ହୋଇଗଲାଣି। ଆଇସିଡିଏସ୍‌ରେ ବ୍ୟାପକ ହରିଲୁଟ ହେଲାଣି। କାଗଜପତ୍ରରେ ଏପଟ ସେପଟ କରାଯାଇ ପିଲାଙ୍କ ରାସନ ବାଟମାରଣା କରାଗଲାଣି।

ସରକାରୀ ତଥ୍ୟ ଅନୁସାରେ, ଜିଲ୍ଲାର ଶିଶୁ, ପ୍ରସୂତି ଓ ଗର୍ଭବତୀଙ୍କୁ ଖାଦ୍ୟ ଯୋଗାଇବାକୁ ବଲାଙ୍ଗୀର ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଏପ୍ରିଲ, ମଇ, ଜୁନ ୩ ମାସର ଅଗ୍ରୀମ ଟଙ୍କା ବାବଦକୁ ୫ କୋଟି ୫୫ ଲକ୍ଷ ୬୯ ହଜାର ୫୧୦ ଟଙ୍କା ଆକାଉଣ୍ଟ ଗୁଡ଼ିକରେ ଦିଆଯାଇଛି। ଗୋଟିଏ ଗୋଟିଏ ଅଙ୍ଗନବାଡ଼ି ପ୍ରାୟ ୩୦ରୁ ୪୦ ହଜାର ଲେଖାଏଁ ଟଙ୍କା ପାଇଛନ୍ତି। ସେଥିରେ ସେମାନେ ଛୁଆଙ୍କୁ ରନ୍ଧାଖାଦ୍ୟ ବଦଳରେ ଘରେ ନେଇ ଶୁଖିଲା ଖାଦ୍ୟ ପହଞ୍ଚାଇବେ। ହେଲେ ଗ୍ରାଉଣ୍ଡ ଜିରୋରେ ଏହାର କାର୍ଯ୍ୟକାରିତା ଫେଲ। ଜିଲ୍ଲାରେ ବର୍ତ୍ତମାନ ୨୬୬୦ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ୨୬୧୧ ଜଣ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତ ଅଛନ୍ତି। କିନ୍ତୁ ସବୁସ୍ଥାନରେ ସରକାରଙ୍କ ପ୍ରୟାସ କାର୍ଯ୍ୟକାରୀ ହୋଇନି। ଅନେକ ସ୍ଥାନରେ ପାରମ୍ପରିକ ଛତୁଆ, ଅଣ୍ଡା ଦେଇ ରନ୍ଧାଖାଦ୍ୟ ବଦଳରେ ଦିଆଯିବାକୁ ଥିବା ରାସନ ସାମଗ୍ରୀ ଦିଆଯାଉନାହିଁ। ଲକ୍‌ଡାଉନ୍‌କୁ ଇତି ମଧ୍ୟରେ ୪୫ ଦିନ ବିତିଲାଣି। ଜିଲ୍ଲାର ପୁଷ୍ଟିହୀନ ଶିଶୁ ଖାଇବାକୁ ନପାଇ ଅପପୁଷ୍ଟିର ଶିକାର ହେବାରେ ଲାଗିଛନ୍ତି। ସେପଟେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଏବେ ବହୁ ବାବୁ ବାବୁଆଣୀଙ୍କ ପକେଟ୍‌ ଗରମ କରୁଛି। ଜିଲ୍ଲାର ଉପାନ୍ତ ଅଂଚଳର ଗରିବ ଲୋକେ ଅଙ୍ଗନବାଡ଼ିରୁ କଣ ସହାୟତା ପାଇବା କଥା ତାହା ଜାଣି ପାରୁନଥିବାରୁ ଏଥିଲାଗି ଆପତ୍ତି ଅଭିଯୋଗ ବି କରୁ ନାହାନ୍ତି।

‘ସମ୍ବାଦ’ ଟିମ୍‌ ମଙ୍ଗଳବାର ବଲାଙ୍ଗୀର ଜିଲ୍ଲାର ଅପପୁଷ୍ଟି ଇଲାକା ତଥା ଦାଦନପ୍ରବଣ, ମାଓପ୍ରବଣ ତୁରେକେଲା ବ୍ଲକରେ ଅନୁସନ୍ଧାନ କରିଥିଲା। ଛୁଆଙ୍କ ଖାଦ୍ୟ ସିଧାସଳଖ ସେଠାରେ ହରିଲୁଟ ହେଉଥିବା ଚିତ୍ର ସାମ୍ନାକୁ ଆସିଥିଲା। ସରକାରୀ ରିପୋର୍ଟରେ ଜିଲ୍ଲାର ତୁରେକେଲା ବ୍ଲକ୍‌ରେ ହଜାର ହଜାର ଶିଶୁ ପୁଷ୍ଟିହୀନର ଶିକାର। ହଳଦିଆ ଜୋନରେ ୧୨୯୬ ପୁଷ୍ଟିହୀନ ଶିଶୁ ଓ ୧୩୨ ଜଣ ଅତିଶୟ ପୁଷ୍ଟିହୀନ ଶିଶୁ ଅଛନ୍ତି। ଜନ୍ମରୁ ୫ ବର୍ଷ ଭିତରେ ବ୍ଲକରେ ୧୨୬୩୯ ଶିଶୁ ଅଛନ୍ତି। ଏହି ବ୍ଲକ୍‌ର ବଣଜଙ୍ଗଲ ଘେରା ହଲନଭଟା ପଂଚାୟତର ଆଦିବାସୀ ପ୍ରବଣ ଗୁର୍ଜିଭଟା ଗାଁର ପାତଲପଡାର ପ୍ରାୟ ୧୪ ଜଣ ଶିଶୁ ଅଙ୍ଗନବାଡ଼ିରେ ପାଠ ପଢନ୍ତି। ଅଙ୍ଗନବାଡ଼ି ବନ୍ଦ ହେବା ପରେ ସେମାନଙ୍କ ଭିତରୁ ୩ ଜଣଙ୍କୁ କେବଳ ସାମାନ୍ୟ କିଛି ଖାଦ୍ୟ ଦିଆଯାଇଛି। ଗାଁର ଅଙ୍ଗନବାଡ଼ି କର୍ମୀ ମନଇଚ୍ଛା ସାମଗ୍ରୀ ଦିଅନ୍ତି ନହେଲେ ନାହିଁ ବୋଲି ଗାଁର ପାତଲପଡା ଲୋକେ ଅଭିଯୋଗ କରିଥିଲେ। ଗାଁରେ ପ୍ରାୟ ୧୦ଟି ଶିଶୁଙ୍କ ପରିବାରକୁ ବୁଝାବୁଝି କରିବାରୁ ସେମାନେ ଲକ୍‌ଡାଉନ୍‌ ପରେ ଗତ ମାସ ପାତଲପଡାର ୩ ଜଣଙ୍କୁ ୩ କେଜି ଚାଉଳ, ୫ରୁ ୮ଟି ଅଣ୍ଡା, ଦୁଇଟି ଆଳୁ କେନ୍ଦ୍ରକୁ ଡାକି ଦିଆଯାଇଥିଲା ବୋଲି କହିଛନ୍ତି। ଅନ୍ୟମାନଙ୍କୁ ପରେ ସାମଗ୍ରୀ ଆସିଲେ ଦିଆଯିବ କହି ଫେରାଇ ଦିଆଯାଇଥିଲା। ଗାଁର ମହିଳା ରତି ବରିହା ତାଙ୍କ ନାତୁଣିକୁ ଅଙ୍ଗନବାଡ଼ିରୁ କିଛି ମିଳିନି ବୋଲି କହିଛନ୍ତି। ସେହିପରି ସୁନାଫୁଲ ବରିହା ତାଙ୍କ ଦୁଇ ଛୁଆ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିଲେ। ଗତ ମାସ କେବଳ ୮ଟି ଅଣ୍ଡା ଓ ଛତୁଆ ପାଇଥିବା କହିଛନ୍ତି। ମାଝୀ ବରିହାଙ୍କ ୪ ବର୍ଷର ଛୁଆ ଅଙ୍ଗନବାଡ଼ିରେ ନାଁ ଲେଖାଇଥିଲେ ବି କୌଣସି ରାସନ ସାମଗ୍ରୀ, ଏପରିକି ଅଣ୍ଡା, ଚାଉଳ ପାଇନଥିବା କହିଥିଲେ। ସେହିପରି ଗୌର ବରିହାଙ୍କ ଦୁଇଟି ଛୁଆ ଗୋଟିଏ ୫ ବର୍ଷ ଆଉ ଗୋଟିଏ ଅଢେଇ ବର୍ଷ ସେମାନଙ୍କୁ ବି କିଛି ଶୁଖିଲା ଖାଦ୍ୟ ଅଙ୍ଗନବାଡ଼ି କର୍ମୀ ଦେଇ ନାହାନ୍ତି। ଅଙ୍ଗନବାଡ଼ି କର୍ମୀ ଟେଭାବତୀ ବାଗଙ୍କୁ ଯୋଗାଯୋଗ କରିବାରୁ ରାସନ ସାମଗ୍ରୀ ପାଇଁ କୌଣସି ଟଙ୍କା ଆସି ନଥିବା କହିଥିଲେ। ଅଣ୍ଡା, ଛତୁଆ ଯାହା ଆସିଥିଲା ଦିଆଯାଇଛି ଓ ପରେ ଦିଆଯିବ ବୋଲି କହିଥିଲେ। ସେହିପରି ଉକ୍ତ ପଂଚାୟତର କୁଶପାଲି ଗାଁର ଅଙ୍ଗନବାଡ଼ି ନିରବତୀ ମେହେର ମଧ୍ୟ ଲୋକଙ୍କୁ ଛତୁଆ, ଅଣ୍ଡା ଓ ଶୁଖିଲା ଖାଦ୍ୟ ସାମଗ୍ରୀ ଦେବାରେ ଅନିୟମିତତା କରିଥିବା ଗାଁ ଲୋକ  ଅଭିଯୋଗ କରିଛନ୍ତି। ଏଭଳି ଢଙ୍ଗରେ ଏବେ ତୁରେକେଲା ବ୍ଲକସାରା ଛୁଆଙ୍କ ଖାଦ୍ୟ ହଡ଼ପ ଚାଲିଥିବା ଅଭିଯୋଗ ହେଉଛି।

ଏ ନେଇ ସିଡିପିଓ ସରିତା ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଗୁର୍ଜିଭଟା ଓ କୁଶପାଲିରେ ରାସନ ସାମଗ୍ରୀ ଦିଆଯାଇଛି ବୋଲି କହିଥିଲେ। ସାମଗ୍ରୀ ବଣ୍ଟନ ହୋଇଛି ବୋଲି ସୁପରଭାଇଜର ସାର୍ଟିଫିକେଟ ଦେଇଥିବା ସେ ସୂଚନା ଦେଇଥିଲେ। ସୁପରଭାଇଜର ଶଶିକଳା ଯୋଷୀଙ୍କୁ ପଚରାଯିବାରୁ ମାସର ୧ ରୁ୩ ତାରିଖ ସୁଦ୍ଧା ସାର୍ଟିଫିକେଟ ଦେବାକୁ କୁହାଯାଏ। ସେହିକ୍ରମରେ ସେ ଦେଇଛନ୍ତି ବୋଲି କହିଥିଲେ। ଡିଏସଡବ୍ଲୁଓ ବିନୋଦିନୀ ପଧାନଙ୍କୁ ଜିଲ୍ଲାର ଉପାନ୍ତ ଅଂଚଳରେ ହରିଲୁଟ ନେଇ ପଚାରିବାରୁ ସେ ଏଭଳି ଘଟଣା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର