କରୋନା ଖୋଲୁଛି ସ୍ବଚ୍ଛ ଭାରତ ଗୁମର, ପାଇଖାନା ଦୁର୍ନୀତି ଢାଙ୍କୁଛି ପ୍ରଶାସନ!

ବଲାଙ୍ଗୀର,: ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛି ବଲାଙ୍ଗୀର ଜିଲ୍ଲା। ଏଠି ଭୂତ ନାଁରେ ଚାଉଳ ହଡ଼ପ ହୋଇଛି। ଦାଦନଙ୍କ ଚାଉଳ ଖାଇଯାଇଛନ୍ତି ସରକାରୀ ବାବୁ। ଛୋଟ ଛୁଆଙ୍କ ରାସନ ବି ହଡ଼ପ। ଏବେ ପାଇଖାନା ଦୁର୍ନୀତିର ମହାଘୋଟାଲାକୁ ନେଇ ଚର୍ଚ୍ଚା। ସାରା ଜିଲ୍ଲାରେ ୪୦୦କୋଟିର ପାଇଖାନା ଦୁର୍ନୀତି ଏବେ ସାମ୍ନାକୁ ଆସିଛି। ସାରା ରାଜ୍ୟରେ ବଲାଙ୍ଗୀର ଜିଲ୍ଲାର ଏହି ମହାଦୁର୍ନୀତିକୁ ନେଇ ଚାଞ୍ଚ‌ଲ୍ୟ ଖେଳିଥିବା ବେଳେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ତଦନ୍ତ ହେବ ବୋଲି କହିଥିଲେ। ସେହିପରି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ମଧ୍ୟ ତଦନ୍ତ ହେବ ବୋଲି କହିଥିଲେ। କିନ୍ତୁ ପ୍ରଶାସନ ଏତେ ବଡ଼ ଦୁର୍ନୀତିକୁ କରୋନା ଆଳରେ ଢାଙ୍କୁଥିବା ଅଭିଯୋଗ ଉଠିଛି। କୋଟିକୋଟି ଟଙ୍କାର ଦୁର୍ନୀତି ଜଳଜଳ ହୋଇ ଦିଶୁଥିଲେ ବି ଜିଲ୍ଲା ପ୍ରଶାସନ ଏଯାଏ ନିରବ ହୋଇ ରହିଛି।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ତୁରେକେଲା, ବେଲପଡ଼ା ବ୍ଲକ୍‌ରୁ ପ୍ରଥମ କରି ଆସିଥିଲା ପାଇଖାନା ଦୁର୍ନୀତିର ଚିତ୍ର। ଏହାପରେ ପାଟଣାଗଡ଼, ମୁରିବାହାଲ, ସଇନ୍ତଳା ଆଦି ବ୍ଲକ୍‌ରେ ହୋଇଥିବା ପାଇଖାନା ସବୁର କାମ କେମିତି ହୋଇଛି ସେ ନେଇ ‘ସମ୍ବାଦ’ ଗ୍ରାଉଣ୍ତ ଜିରୋକୁ ଯାଇ ଅନୁସନ୍ଧାନ କରିଥିଲା। ଏବେ ବି ବିଭିନ୍ନ ଗାଁର ପାଇଖାନା ନିର୍ମାଣର ଚିତ୍ର ସାମ୍ନାକୁ ଗୋଟିଏ ପରେ ଗୋଟିଏ ଆସୁଛି। କେଉଁଠି ପାଇଖାନା ସୋପିସ୍‌ ନିର୍ମାଣ ହୋଇ ଏକାଧିକ ବ୍ୟକ୍ତିଙ୍କ ନାଁରେ ବିଲ୍‌ କରାଯାଇଛି, ତ ଆଉ କେଉଁଠି ପାଇଖାନା ହିତାଧିକାରୀଙ୍କ ନାଁରେ ନିର୍ମାଣ ହୋଇଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଗୋଚର, ଜଙ୍ଗଲ ଜମିରେ ବି ପାଇଖାନା ସବୁ ନିର୍ମାଣ କରାଯାଇ ଟଙ୍କା ହଡ଼ପ କରାଯାଇଛି। ହିତାଧିକାରୀଙ୍କ ନାଁରେ ବିଲ୍‌ କରି ପାଇଖାନା ଟଙ୍କା ଜେଇ- ଠିକାଦାର ମିଳିମିଶି ଖାଇଛନ୍ତି। ଜିଲ୍ଲାରେ ୩୪୩୯୮୪ଟି ପାଇଖାନା ନିର୍ମାଣ ହୋଇଥିବା ସରକାରୀ ରିପୋର୍ଟ କହୁଥିବା ବେଳେ ବାସ୍ତବରେ ୩୦ ପ୍ରତିଶତ ପାଇଖାନା ନିର୍ମାଣ ହୋଇନି। କେବଳ ହିତାଧିକାରୀଙ୍କ ନାଁରେ ବିଲ୍‌ କରାଯାଇ ଟଙ୍କା ହଡ଼ପ କରାଯାଇଛି। ଇତିମଧ୍ୟରେ ଆସିଥିବା କିଛି ବ୍ଲକ୍‌ର ପାଇଖାନା ଦୁର୍ନୀତିରେ ତୁରେକେଲା ବ୍ଲକ୍‌ ଆର୍‌ଡବ୍ଲୁଏସ୍‌ଏସ୍‌ ଜେଇ ସୁଧାକର ପଣ୍ତା, ପାଟଣାଗଡ଼ ଜେଇ ହିମାଂଶୁ ବେହେରା, ଖପ୍ରାଖୋଲ ଜେଇ ସରିତା କୁଜୁର, ବେଲପଡ଼ା ଜେଇ ରଜନୀକାନ୍ତ ବାଗଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି। ଜେଇମାନଙ୍କ ତତ୍ତ୍ବାବଧାନରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ସବୁ କରାଯାଇଥିବା ବେଳେ ସେମାନେ ସବୁ ଏନଜିଓ, ଏସଏଚଜି, ଠିକାଦାରଙ୍କ ଜରିଆରେ ନିମ୍ନମାନର ତିଆରି କରି ସରକାରୀ ଅର୍ଥ ଭାଗବଣ୍ଟା କରି ଆତ୍ମସାତ କରିଥିବା ଅଭିଯୋଗ ହୁଏ। ଉପରିସ୍ଥ ଅଧିକାରୀମାନେ ବି ବିଲ୍‌ ପାସ କରାଇବା ନାଁରେ ପିସି ନେଇଥିବା କିଛି ଘଟଣାରୁ ସ୍ପଷ୍ଟ ଜଣାପଡ଼େ। ଏତେ ବଡ଼ ଦୁର୍ନୀତିରେ ବି ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିନି। ଜିଲ୍ଲାରେ କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଚାଲିଥିବା ବେଳେ କରୋନା ସମୟରେ ପ୍ରବାସୀଙ୍କ ଫେରନ୍ତାରେ ପ୍ରଶାସନ ନିଜକୁ ବ୍ୟସ୍ତତା ଦର୍ଶାଇ ସବୁ ଦୁର୍ନୀତିକୁ ଢାଙ୍କିବାକୁ ଉଦ୍ୟମ କରୁଛି। ଚାଉଳ ଦୁର୍ନୀତିର ତଦନ୍ତକୁ ନେଇ ସାତ ଦିନର ମହଲତ ଦେଇଥିଲେ ଜିଲ୍ଲାପାଳ। ଠିକ୍‌ ସେହିପରି ଅଙ୍ଗନବାଡ଼ି ରାସନ ହଡ଼ପର ତଦନ୍ତ ହୋଇଥିଲା। ଏବେ ପାଇଖାନାର ତଦନ୍ତ ହେବ ବୋଲି ପ୍ରଶାସନ କହିଚାଲିଛି। ଅନ୍ୟପଟେ କରୋନା ଆଳ ଦେଖାଇ ତଦନ୍ତ ଦାୟିତ୍ବରେ ଥିବା ପ୍ରାଶାସନିକ ଅଧିକାରୀ ଚୁପଚାପ ରହୁଛନ୍ତି। ମୋଟାମୋଟି କରୋନା ଖୋଲିଥିବା ଗୁମରକୁ କରୋନା ଆଳରେ ଢାଙ୍କିବାର ଉଦ୍ୟମ ପ୍ରଶାସନ ଚଳାଇଛି ବୋଲି ଅଭିଯୋଗ ହେଉଛି।

ବେଲପଡ଼ାରେ କମ୍ପାଉଣ୍ଡର ବାବୁ!
କାମ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା। ହେଲେ କମ୍ପାଉଣ୍ଡର ବାବୁଙ୍କ ଠିକାଦାରୀ ନିଶା। ବେଲପଡ଼ା ବ୍ଲକ୍‌ରେ ହୋଇଥିବା ପାଇଖାନା ଦୁର୍ନୀତିରେ ଜଣେ କମ୍ପାଉଣ୍ଡର ବାବୁଙ୍କ କାରନାମା ଚର୍ଚ୍ଚାର ପରିସରକୁ ଆସିଛି। ଏସ୍‌ଏଚ୍‌ଜି ନାଁରେ ନିଜେ କମ୍ପାଉଣ୍ଡର ବାବୁ ଠିକାଦାର ସାଜି କାମଗୁଡ଼ିକ କରିଛନ୍ତି। ହଜାର ସଂଖ୍ୟାରେ ନିମ୍ନମାନର ପାଇଖାନା ନିର୍ମାଣ ସେ କରିଛନ୍ତି। ଏବେ ସେସବୁ କୌଣସି କାମକୁ ଆସୁନି। ଶହଶହ ହିତାଧିକାରୀଙ୍କ ଅଜାଣତରେ ସେ ଜେଇଙ୍କୁ ହାତକରି ଟଙ୍କା ହଡ଼ପ କରିଛନ୍ତି। ଜେଇ- କମ୍ପାଉଣ୍ଡର ଯୋଡ଼ିରେ ବହୁ ଦାଦନ ଶ୍ରମିକଙ୍କ ପାଇଖାନା କାଗଜପତ୍ରରେ କରାଯାଇଛି। ପ୍ରାୟ ୫୦ ଲକ୍ଷ ଟଙ୍କା ହେରାଫେରିରେ କମ୍ପାଉଣ୍ଡର ବାବୁ ହିଁ ମାଷ୍ଟରମାଇଣ୍ତ ରହିଛନ୍ତି।

ପୂର୍ବରୁ ଖପ୍ରାଖୋଲ, ପାଟଣାଗଡ଼ ଓ ସଇନ୍ତଳାରେ ସରକାରୀ ବାବୁ, ନେତା, କୁଜିନେତା ପାଇଖାନା ନିର୍ମାଣ କାମ ସବୁ କରିଥିବା ଜଣାପଡ଼ିଥିଲା। ସଇନ୍ତଳା ବ୍ଲକ୍‌ରେ ସରକାରୀ ବାବୁଙ୍କ ପୁଅ ପାଇଖାନା କାମ ସବୁର ଠିକା କରିଥିବା ନଜରକୁ ଆସିଥିଲା। ହେଲେ ଏବେ ଚର୍ଚ୍ଚାରେ ବେଲପଡ଼ାର କମ୍ପାଉଣ୍ଡର ବାବୁ। କଥା ସାମ୍ନାକୁ ଆସିବା ପରେ ଏବେ କହୁଛନ୍ତି, ନିଜେ ଏକା ଖାଇନାହାନ୍ତି। ସାରା ବ୍ଲକ୍‌ର ଠିକାଦାର ଖାଇଛନ୍ତି। ଯଦି ଦୁର୍ନୀତି ହୋଇଛି ବ୍ଲକ୍‌ ସାରା ତଦନ୍ତ ହେଉ ବୋଲି ସେ କହୁଛନ୍ତି। ଏଠାରୁ ହିଁ ଜଣାପଡ଼େ ପାଇଖାନା ଦୁର୍ନୀତିରେ କେଉଁଭଲି ଦୁର୍ନୀତି ବେଲପଡ଼ା ବ୍ଲକ୍‌ରେ ହୋଇଛି। ଭିଜିଲାନ୍ସ ବିଭାଗ ପାଖରେ ପାଇଖାନା ଦୁର୍ନୀତିର ଅନେକ ତଥ୍ୟ ରହିଥିବା ବେଳେ ଆଗକୁ ଦୁର୍ନୀତିକୁ ନେଇ କେଉଁଠି ଭିଜିଲାନ୍ସ ହାତ ମାରିବ ତାକୁ ଦେଖିବାର ରହିଲା।

ସମ୍ବନ୍ଧିତ ଖବର